ମିଳିଲାନି ଭିସା, ମାସେ ତଳୁ କରିଥିଲେ ଆବେଦନ: ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରୁ ବଞ୍ଚିତ ହେଲେ ସୁଦର୍ଶନ

ପୁରୀ: ଭିସା ନ ମିଳିବାରୁ ବାଲୁକା କଳାର ଯାଦୁଗର ସୁଦର୍ଶନ ପଟ୍ଟନାୟକ କାନାଡ଼ାଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରୁ ବଞ୍ଚିତ ହୋଇଛନ୍ତି। ଏହି ସୌଭାଗ୍ୟ ହାତଛଡ଼ା ହୋଇଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ନିଜ ଅସନ୍ତୋଷ ଜାହିର କରିଛନ୍ତି। ନିଜ ଟ୍ବିଟର୍‌ ଆକାଉଣ୍ଟରେ ବି ଶ୍ରୀ ପଟ୍ଟନାୟକ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ବିଟର୍‌ରୁ ଭିସା ପାଇଁ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରୁ ଶ୍ରୀ ପଟ୍ଟନାୟକଙ୍କ ବଞ୍ଚିତ ହେବା ଜାଣିବାପରେ ସାରାବିଶ୍ବର ଲୋକେ ଏହାକୁ ସମାଲୋଚନା କରିଛନ୍ତି। ବଡ଼ ବଡ଼ ମନ୍ତ୍ରୀ, ଲେଖକ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଏହାକୁ ନିନ୍ଦା କରିଛନ୍ତି। ବିଦେଶରୁ ମଧ୍ୟ ଲୋକେ ଏହାକୁ ଦୃଢ଼ ନିନ୍ଦା କରାଯାଇଛି।

ପ୍ରତିଯୋଗିତା ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆସନ୍ତା ୧୫ ତାରିଖରେ କାନାଡ଼ାର ଟରୋଣ୍ଟୋ ନିକଟରେ ଏହି ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତା ଆୟୋଜନ କରାଯାଇଛି। ଯେଉଁଥିରେ ସାରାବିଶ୍ବର ବିଭିନ୍ନ ଦେଶରୁ ୨୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ସେ ଏକମାତ୍ର ପ୍ରତିଯୋଗୀ ଭାବେ ଭାରତରୁ ପ୍ରତିନିଧିତ୍ବ କରୁଥିଲେ। ଏଥିନିମନ୍ତେ ସେ ମାସେ ପୂର୍ବରୁ ଭିସା ପାଇଁ ଆବେଦନ କରିଥିଲେ। ଆଜି ହିଁ କାନାଡ଼ା ଗସ୍ତ କରିବାର ଥିଲା। କିନ୍ତୁ, ତାଙ୍କୁ ଭିସା ମିଳି ପାରିଲାନି। ଏଣୁ ଏଭଳି ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାରୁ ବଞ୍ଚିତ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଯେହେତୁ ସେ ଭିସା ପାଇବାରୁ ବଞ୍ଚିତ ହେଲେ, ତେଣୁ କାନାଡ଼ା ଗସ୍ତ ବି ବାତିଲ୍‌ କରିଛନ୍ତି। ସେପଟେ କାନାଡ଼ାରେ ପହଞ୍ଚି ପାରିନଥିବାରୁ ଆୟୋଜକ ବି ଶ୍ରୀ ପଟ୍ଟନାୟକଙ୍କୁ ପ୍ରତିଯୋଗିତାରୁ ବାଦ୍‌ ଦେଇଛନ୍ତି। ଏଥିପାଇଁ ସେ କାହାକୁ ଦାୟୀ କରିନଥିଲେ ବି ଭିସା ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ନ କରି ପାରିବା ଦୁଃଖ ଓ ପରିତାପର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ କେବେ ବି ଏଭଳି ପ୍ରତିଯୋଗିତାରେ ଭାଗ ନେଉଥିବା ଅନ୍ୟ କାହାରି ସହିତ ଏଭଳି ନ ଘଟୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର