ଛତିଆ : ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ସମିଆ ପଞ୍ଚାୟତର ବୁଢ଼ାକେନ୍ଦୁଆ ବଜାରରେ ଆଜି ପୁଲିସ ଚଢ଼ଉ କରି ଡିଜେଲ ଅପମିଶ୍ରଣ ଗୋଦାମକୁ ସିଲ୍‌ କରିଛି। ସେଠାରୁ ୧୪ ବ୍ୟାରେଲ ଡିଜେଲ ଜବତ ହୋଇଛି। ପୋଡ଼ା ମୋବିଲ, ପିଡିଏସ୍‌ କିରାସିନି ଓ କେମିକାଲ ମିଶାଇ ଏଠାରେ ଡିଜେଲ ପ୍ରସ୍ତୁତ ହେଉଥିଲା। ଏହି ବେଆଇନ କାରବାର ଚଳାଇଥିବା ଅଭିଯୋଗରେ ପାରିଆ ପଞ୍ଚାୟତର ନାଣ୍ତୁଆଝର ଗ୍ରାମର ଝୁମର ଖଟୁଆ (୪୩)କୁ ପୁଲିସ ଗିରଫ କରିଛି। ଏହି ଗୋଦାମରୁ ୨ଶହ ଲିଟର ଲେଖାଏଁ ଭର୍ତ୍ତି ହୋଇଥିବା ୧୪ ବ୍ୟାରେଲ ଡିଜେଲ, ୫ ଡ୍ରମ୍ କିରାସିନି, ୩ ଡ୍ରମ୍ ମୋବିଲ, ଜସ୍ମିନ୍ ବାସ୍ନା ତେଲ, ପଲିଥିନ, ଗୋଲାପ ଜଳ, କେମିକାଲ ଓ ପାଉଡର ଆଦି ଜବତ ହୋଇଛି। ଅଭିଯୁକ୍ତ ଝୁମର ଖଟୁଆ ବ୍ୟବହାର କରୁଥିବା ଏକ୍‌ ବାଇକ୍‌ (ଓଡି ୦୫ ପି ୧୦୯୨)କୁ ମଧ୍ୟ ଜବତ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଦୀର୍ଘଦିନ ଧରି ଚାଲିଥିବା ଏହି ଅପମିଶ୍ରଣ ଗୋଦାମ ଉପରେ ଯାଜପୁର ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ବୈରୀ ଥାନା ଅଧିକାରୀ ମିଳିତ ଚଢ଼ଉ କରିଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ ବୁଢ଼ାକେନ୍ଦୁଆ ବଜାରରେ ଝୁମର ବହୁଦିନ ହେବ ନକଲି ଡିଜେଲ ତିଆରି କରି ବ୍ୟବସାୟ ଚଳାଇଥିଲା। ବିଭିନ୍ନ ଶ୍ରେଣୀର ଲୋକଙ୍କୁ ହାତ କରି ସେ ଅପମିଶ୍ରଣ କରି ଚାଲିଥିଲା ବୋଲି ଜଣାପଡ଼ିଛି। ବିଭିନ୍ନ ଛକବଜାରରୁ ପୋଡ଼ା ମୋବିଲ ଓ ପିଡିଏସ୍‌ କିରାସିନି ସଂଗ୍ରହ କରି ସେଥିରେ ବିଭିନ୍ନ ପ୍ରକାର କେମିକାଲ ମିଶାଇ ସେ ଡିଜେଲ ପ୍ରସ୍ତୁତ କରିଥାଏ। ଏହି ରାସ୍ତାରେ ଯାଉଥିବା ଗାଡ଼ି ଡ୍ରାଇଭରଙ୍କୁ ହାତକରି ଅପମିଶ୍ରିତ ଡିଜେଲ ବିକ୍ରି କରୁଥିଲା। ନିକଟସ୍ଥ ବୁଢ଼ାକେନ୍ଦୁଆ କାରଖାନାକୁ ଆସୁଥିବା ଗାଡ଼ିଗୁଡ଼ିକୁ ମଧ୍ୟ ସେ ଏହି ଡିଜେଲ ବିକ୍ରି କରୁଥିଲା ବୋଲି ଜଣାପଡ଼ିଛି। ଯାଜପୁର ଏସ୍‌ପିଙ୍କ ରାହୁଲ ପିଆର୍‌ଙ୍କ ନିର୍ଦେଶକ୍ରମେ ଜିଲ୍ଲା ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ରମେଶ ଚନ୍ଦ୍ର ସାହାଣୀଙ୍କ ଏକ ଟିମ୍‌ ଓ ବୈରୀ ଥାନା ଅଧିକାରୀ ସଂଘମିତ୍ରା ନାୟକଙ୍କ ତତ୍ତ୍ବାବଧାନରେ ଏହି ଚଢ଼ଉ ହୋଇଥିଲା।