ରାଜ୍ୟରେ ପେଟ୍ରୋଲ୍‌ ପରେ ଡିଜେଲ ବି ଶହେ ଟପିଲା

ଅନୁଗୁଳ/କୋରାପୁଟ : ପଶ୍ଚିମ ବଙ୍ଗ ନିର୍ବାଚନ ଶେଷ ହେବା ପରଠାରୁ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇବାରେ ଲାଗିଛି। ଗତ ମାସ ପ୍ରଥମ ସପ୍ତାହରୁ ବର୍ତମାନ ସୁଦ୍ଧା ତେଲ ଦରରେ ଲିଟର ପିଛା ପାଖାପାଖି ୭ ଟଙ୍କା ବୃଦ୍ଧି ପାଇଛି। ଓଡ଼ିଶାର ଅନେକ ସ୍ଥାନରେ ପେଟ୍ରୋଲ ଶହେ ଟଙ୍କା ଟପିଥିବା ବେଳେ ଆଜି ଡିଜେଲ ମଧ୍ୟ ଶହେ ଟଙ୍କା ଟପିଯାଇଛି।

କୋରାପୁଟ ଜିଲ୍ଲାରେ ପେଟ୍ରୋଲ ପରେ ସୋମବାର ଡିଜେଲ୍‌ ଦର ଶହେ ଟଙ୍କା ଅତିକ୍ରମ କରିଛି। ରବିବାର ଦିନ କୋରାପୁଟରେ ଡିଜେଲ ଦର ଲିଟର ପିଛା ୯୯ ଟଙ୍କା ୯୩ ପଇସା ରହିଥିଲା। ସୋମବାର ସକାଳେ ଦର ୨ଟଙ୍କା ୨୦ପଇସା ବୃଦ୍ଧି ପାଇବା ପରେ ଦର ୧୦୨ ଟଙ୍କା୧୩ ପଇସାରେ ପହଞ୍ଚିଛି। ‌ପେ‌ଟ୍ରୋ‌ଲ ଦର ମଧ୍ୟ ଜୁନ୍ ୧୧ତାରିଖରେ ୧୦୦.୭୯ ରହିଥିବା ବେଳେ ଆଜି ୧୦୨ ଟଙ୍କା ୪୩ପଇସା ରହିଥିଲା। କିଛିଦିନ ପୂର୍ବେ କୋରାପୁଟ ଜିଲ୍ଲାରେ ଶତକ ଟପିଥିଲା ପେଟ୍ରୋଲ ଦର।

ସେହିଭଳି ଅନୁଗୁଳ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍ କରିଛି। ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ ପେଟ୍ରୋଲ ଦର ଆଜି ୧୦୦ ଟଙ୍କା ୩ ପଇସାରେ ପହଞ୍ଚିଛି। ପୂର୍ବରୁ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ପେଟ୍ରୋଲ୍‌ ଦର ଶହେ ଟଙ୍କା ଟପିଥିବା ବେଳେ ଅନୁଗୁଳ ଜିଲ୍ଲାରେ ଆଜି ପ୍ରଥମଥର ପାଇଁ ଏହିଭଳି ବୃଦ୍ଧି ଘଟିଛି। ଆଠମଲ୍ଲିକ ଅଂଚଳରେ ସ୍ପିଡ୍‌ ପେଟ୍ରୋଲ ଦର ରହିଛି ୧୦୩ ଟଙ୍କା ୧୭ ପଇସା। ଅନ୍ୟପକ୍ଷରେ ଡିଜେଲ ଦର ଆଜି ଆଠମଲ୍ଲିକ ଅଂଚଳରେ ୯୭ଟଙ୍କା ୮୫ ପଇସା ରହିଥିଲା। ତେବେ ଅନୁଗୁଳ ସହରରେ ଦର ରହିଛି ୯୯ ଟଙ୍କା ୨୮ ପଇସା।

ସମ୍ବନ୍ଧିତ ଖବର