କୋଇଲା ଖଣିରୁ ଡିଜେଲ ଚୋରି: ବନ୍ଧା ହେଲେ ୨ କର୍ମଚାରୀ

ଅନୁଗୁଳ/ବଳରାମପ୍ରସାଦ : ତାଳଚେର ଏମ୍‌ସିଏଲ ବଳରାମ କୋଇଲା ଖଣିରୁ ବହୁଦିନ ଧରି ଖଣି କର୍ମଚାରୀମାନେ ଡିଜେଲ ଚୋରି କରୁଥିବା ନେଇ ଅଭିଯୋଗ ହେଉଥିଲା। ଶେଷରେ ଏହା ସତ ପ୍ରମାଣିତ ହୋଇଛି। ଖଣିରୁ ଡିଜେଲ ଚୋରି କରିବା ଅଭିଯୋଗରେ ପୁଲିସ ୨ ଜଣ ଖଣି କର୍ମଚାରୀଙ୍କୁ ଗିରଫ କରିଛି। ଏହି ଚୋରି ପଛରେ ଏହି ଗ୍ୟାଙ୍ଗ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି।

କୋଇଲା ଖଣି ଅଞ୍ଚଳରୁ ଡିଜେଲ ଚୋରି ହେବା ନେଇ ଅଭିଯୋଗ ହେବା ପରେ ଏମସିଏଲର ବଳରାମ ପ୍ରକଳ୍ପ ଅଧିକାରୀ ଏସ.ଭି. ଯୋଶୀ ଘଟଣାର ତଦନ୍ତ କରୁଥିଲେ। ଆଜି ୨ ଜଣ ଖଣି କର୍ମଚାରୀ ଡିଜେଲ ଚୋରି କରୁଥିବା ଖବର ପାଇବା ପରେ ସେଠାରେ ପହଞ୍ଚି ଯାଞ୍ଚ କରିଥିଲେ। ଏହି ସମୟରେ ଖଣିର ଦୁଇ ଡମ୍ଫର ଅପେରେଟର ଅମର ଗୋଛାୟତ(୪୦) ଓ ସୁଶାନ୍ତ ପ୍ରଧାନ(୪୨) ୬ଟି ୪୦ ଲିଟିର ଜାରକିନ୍‌ରେ ଡିଜେଲ ଭର୍ତ୍ତି କରି ବାହାରକୁ ଆଣିବାକୁ ଚେ‌ଷ୍ଟା କରୁଥିଲେ। ସେମାନଙ୍କୁ ଘଟଣାସ୍ଥଳରୁ ଅଧିକାରୀମାନେ ଧରି ପୁଲିସ୍‌କୁ ଜିମା ଦେଇଥିଲେ। କୋଲିଆରୀ ଥାନା ପୁଲିସ୍‌ ଉଭୟଙ୍କୁ ଗିରଫ କରି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ଏହି ଦୁଇଜଣ କର୍ମଚାରୀଙ୍କ ଆଉ ପ୍ରାୟ ୧୦ରୁ ୧୫ ଜଣ ଖଣି କର୍ମଚାରୀ ଏହି ଡିଜେଲ ଚୋରି ଗ୍ୟାଙ୍ଗରେ ସାମିଲ ରହିଥିବା ସେମାନେ ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, କଳମଛୁଇଁ ପଞ୍ଚାୟତର ଜଣେ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏହି ଡିଜେଲ ମାଫିଆ ଗ୍ୟାଙ୍ଗରେ ସାମିଲ ରହିଥିବା ସେମାନେ ସ୍ବୀକାର କରିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଏଥି ନେଇ ବଳରାମ ଖୋଲା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଶ୍ରୀ ଯୋଶୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବଳରାମ କୋଇଲା ଖଣିରୁ ଦୀର୍ଘ ଦିନ ହେବ ଅମର ଗୋଛାୟତ ଓ ସୁଶାନ୍ତ ପ୍ରଧାନ ଖଣିରେ ଚାଲୁଥିବା ବିଭିନ୍ନ ଗାଡ଼ି ଗୁଡ଼ିକରୁ ଡିଜେଲ ଚୋରି କରୁଥିଲେ। ହେଲେ ‌ସେମାନଙ୍କୁ ଧରିବା ସମ୍ଭବ ହୋଇ ପାରୁ ନଥିଲା। ଆଗାମୀଦିନରେ ଚୋରିରେ ସାମିଲ ଥିବା ଅନ୍ୟ କର୍ମଚାରୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର