ଜୟପୁର: ଡାଏଟ୍ ପରିସରରେ ନିର୍ମାଣ ହେବାକୁ ଥିବା ଅଡିଟୋରିୟମ୍ ସ୍ଥାନ ଚିହ୍ନଟ ପାଇଁ ଶନିବାର ଦିନ ଯାଇଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସ୍ଥାନ ଚିହ୍ନଟ ପରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ କାର୍ଯ୍ୟରତ ପ୍ରଶିକ୍ଷକ, ପ୍ରଶିକ୍ଷିକା, କର୍ମଚାରୀ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଆଦିଙ୍କୁ ନେଇ ବୈଠକ କରିଥିଲେ। ଡାଏଟ୍ ପରିସରରେ ରହିବା ପାଇଁ କ୍ବାଟର୍ସ ନଥିବାରୁ ବହୁ ପ୍ରଶିକ୍ଷକ ଓପ୍ରଶିକ୍ଷିକା ମାନେ ଭଡା ଘର ନେଇ ରହୁଥିବା ଅବଗତ କରିଥିଲେ। ତେଣୁ ଏଠାରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପ୍ରଶିକ୍ଷକ ମାନଙ୍କ ପାଇଁ କ୍ବାଟର୍ସ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ।
ସେଭଳି ପ୍ରଶିକ୍ଷକ ମାନେ ଡବଲ୍ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ସହ ପିଏଚଡି,ଏମଫିଲ୍ ଶିକ୍ଷାଗତ ଲାଭକରି ପ୍ରଶିକ୍ଷକ ଭାବେ ଚାକିରୀ କରୁଛନ୍ତି। କିନ୍ତୁ ସେମାନଙ୍କୁ ହାଇସ୍କୁଲ ଶିକ୍ଷକ ସମାନ ଭାବେ ୪୨୦୦କ୍ୟାଡେରର ଦରମା ଦିଆଯାଉଥିବା ଅଭିଯୋଗ କରିଥିଲେ। ସ୍ବଳ୍ପଦରମାରେ ଏତେ ପାଠ ପଢ଼ି ଏଠାରେ ଚାକିରୀ କରିବାକୁ ବହୁ ପ୍ରଶିକ୍ଷକ ଚାହୁଁ ନଥିବା ଏମାନେ କହିଥିଲେ। ଏପରିକି ନବନିଯୁକ୍ତି ପାଇଥିବା ଜଣେ ପ୍ରଶିକ୍ଷିକା ଦରମା କମ୍ ଜାଣିବା ପରେ ସେ ଆଉ କାର୍ଯ୍ୟରେ ଯୋଗ ଦେଇ ନଥିବା ଏମାନେ କହିଥିଲେ। ଡାଏଟରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ସଂପର୍କରେ ତାଙ୍କୁ ଲିଖିତ ଭାବେ ଦେବା ପାଇଁ ବିଧାୟକ କହିଥିଲେ। କିଛି ପ୍ରମୁଖ ସମସ୍ୟାକୁ ସେ ବିଧାନସଭାରେ ଉଠାଇବା ସହ ରାଜ୍ୟସରକାରଙ୍କ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରାଇବେ ବୋଲି ପ୍ରତିଶ୍ରୃତି ଦେଇଥିଲେ।