ଭୁବନେଶ୍ବର: ୨୦୨୩ ଜୁଲାଇ ୧୧ ତାରିଖରେ ଆଦିବାସୀ ଉପଦେଷ୍ଟା ପରିଷଦ(ଟିଏସି) ବୈଠକ ବସିଥିଲା। ଏହି ବୈଠକରେ ହୋଇଥିବା ଆଲୋଚନା ଓ ସୁପାରିସ୍‌କୁ ନେଇ ପରିଷଦର ସଦସ୍ୟଙ୍କ ମଧ୍ୟରେ ଭିନ୍ନ ମତ ଦେଖାଦେଇଛି। ପରିଷଦର ସଦସ୍ୟ ଥିବା ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଯୁକ୍ତି ହେଲା, ଓଡ଼ିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି(ଅନୁସୂଚିତ ଜନଜାତି ଦ୍ବାରା) ହସ୍ତାନ୍ତର ଆଇନ,୧୯୫୬କୁ ସଂଶୋଧନ କରିବା ସମ୍ପର୍କରେ କୌଣସି ଆଲୋଚନା ବୈଠକରେ ହୋଇ ନଥିଲା। ସରକାର ପବିତ୍ର ଗୃହରେ ମିଛ କହୁଛନ୍ତି। ଏହାର ଭିଡିଓ ରେକର୍ଡିଂକୁ ସର୍ବସାଧାରଣରେ ଛଡ଼ାଯାଉ। ଯଦି ଆଲୋଚନାର ପ୍ରମାଣ ସରକାର ଦେଇଦେବେ, ତେବେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। କିନ୍ତୁ ଟିଏସିର ସଦସ୍ୟ ଥିବା ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଜୋର୍ ଦେଇ କହିଥିଲେ, ଟିଏସି ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। କେହି ଏହାକୁ ବିରୋଧ କରି ନଥିଲେ। ପୁଣି ୫.୮.୨୦୨୩ରେ ବୈଠକର ବିବରଣୀ ମଧ୍ୟ ସବୁ ସଦସ୍ୟଙ୍କୁ ଦିଆଯାଇଛି। ତାହା ପରେ ବି କେହି ପ୍ରତିବାଦ କରିନାହାନ୍ତି। ଏତେ ଦିନ ସେମାନେ ନିରବ ରହିଲା ପରେ ଏବେ କାହିଁକି ଏତେ କଥା କହୁଛନ୍ତି?

Advertisment

ଆଜି ବିଧାନସଭାରେ ବିଜେପି ପକ୍ଷରୁ ଆସିଥିବା ‘ସରକାର ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନକଲେ ରାଜ୍ୟରେ ଆଦିବାସୀମାନେ ସର୍ବହରା ହୋଇଯିବେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା। ଏଥିରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଏମିତି କଥା କଟାକଟି ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ରାଜ୍ୟ ସରକାର ପକାଇଥିବା ଛେପ ଢୋକିଛନ୍ତି। କ୍ୟାବିନେଟ୍‌ରେ ତରବରିଆ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ୨୪ ଘଣ୍ଟା ମଧ୍ୟରେ ସ୍ଥଗିତ ରଖାଗଲା। କିନ୍ତୁ କ୍ୟାବିନେଟ୍‌ର ନିଷ୍ପତ୍ତି ସ୍ଥଗିତ ରଖାଗଲା ବୋଲି ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଜଣାଇବା କେତେଦୂର ଯଥାର୍ଥ? ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଏମିତି ନିୟମ ଆସିଲେ ଆଦିବାସୀ ସର୍ବହରା ହୋଇଯିବେ। ଆଦିବାସୀଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର। ୫ ବର୍ଷ ପର୍ଯ୍ୟନ୍ତ ଟିଏସି ବୈଠକ ନ ବସିବା ଦୁର୍ଭାଗ୍ୟଜନକ। ନବ ଚରଣ ମାଝୀ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ।

କଂଗ୍ରେସ ବିଧାୟକ ସି ଏସ୍ ରାଜନ୍ ଏକ୍କା କହିଲେ, ଆଦିବାସୀଙ୍କ ବିରୋଧରେ ସରକାରଙ୍କ ଷଡ଼ଯନ୍ତ୍ରକୁ ଆମେ ବିରୋଧ କରୁଛୁ। ସମ୍ବିଧାନ ଆଦିବାସୀଙ୍କୁ ସୁରକ୍ଷା ଦେଇଛି। କିନ୍ତୁ ଏ ସରକାର ଆଦିବାସୀ ମାରଣ ନୀତି ଅବଲମ୍ବନ କରୁଛନ୍ତି। ରାଜ୍ୟରେ ତୁରନ୍ତ ପେସା ଆକ୍ଟ ଲାଗୁ କରିବାକୁ ସେ ଦାବି କରିଥିଲେ। ତାରା ପ୍ରସାଦ ବାହିନୀପତି କହିଲେ, ଏ ସରକାର ବାରମ୍ବାର ଆଦିବାସୀଙ୍କୁ ହଇରାଣ କରୁଛନ୍ତି। କଳିଙ୍ଗ ନଗରରେ ତ ଆଦିବାସୀଙ୍କ ପାପୁଲି କାଟି ଦେଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହୋଇଥିବା ଶିଳ୍ପରେ କେତେ ଆଦିବାସୀଙ୍କୁ ଚାକିରି ମିଳିଛି, ସରକାର ତାହାର ହିସାବ ଦେଇପାରିବେ କି?
ଶାସକ ଦଳ ସଭ୍ୟ ଅରୁଣ ସାହୁ ବିରୋଧୀଙ୍କୁ ସମାଲୋଚନା କରି କହିଥିଲେ, ବିଜେପି ବିଧାୟକମାନେ ଏଠାରେ ପ୍ରହସନ ନକରି କେନ୍ଦ୍ରରେ ଆଦିବାସୀଙ୍କ ଦାବି ଉପସ୍ଥାପନ କରନ୍ତୁ। ହୋ, ମୁଣ୍ଡାରି, ଭୂମିଜ, ସଉରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପଠାଯାଇଥିବା ପ୍ରସ୍ତାବ ଏବେ ବି କେନ୍ଦ୍ରରେ ପଡ଼ି ରହିଛି। ଆଦିବାସୀ ଅଧ୍ୟୁଷିତ କେବିକେ ଜିଲ୍ଲା ପାଇଁ ସ୍ବତନ୍ତ୍ର ଅନୁଦାନ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। କେନ୍ଦ୍ରରେ ଓଡ଼ିଶାରୁ ଜଣେ ସାଂସଦ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି। ସେ ବି କିଛି କରୁନାହାନ୍ତି। ବିଜେପିର ୮ ସାଂସଦ ସେଠି କ’ଣ କରୁଛନ୍ତି? ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିକାଶ ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ଶଶିଭୂଷଣ ବେହେରା କହିଲେ, ଟିଏସି ବୈଠକରେ କେହି ଏହି ପ୍ରସ୍ତାବକୁ ବିରୋଧ କଲେ ନାହିଁ। ପୁଣି ବୈଠକ ବିବରଣୀ ପାଇଲା ପରେ ବି କେହି କିଛି କହିଲେ ନାହିଁ। ଏବେ ଏହି ପ୍ରସଙ୍ଗ ଉଠାଇବାର ମାନେ କ’ଣ? ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଆଲୋଚନାରେ ଭାଗ ନେଇଥିଲେ।