ତେଲଗୁପଡ଼ା, ଗୁରୁଦ୍ୱାରା କଲୋନି, ଆମ୍ବେଦକର ନଗର କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ; ବଫର ଜୋନ୍‌ରେ ବୁର୍ଲାର ବିଭିନ୍ନ ଅଞ୍ଚଳ

ବୁର୍ଲା ବଡ଼ ଡାକ୍ତରଖାନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ସମ୍ବଲପୁର : ବୁର୍ଲା ସହର ସମେତ ସମ୍ବଲପୁର ମହାନଗରର ବିଭିନ୍ନ ଅଞ୍ଚଳରେ କରୋନାର ବ୍ୟାପକତାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସହର ତଥା ଜିଲ୍ଲାବାସୀଙ୍କ ବୃହତ୍ତର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ବୁର୍ଲାର ୨ଟି ଓ ସମ୍ବଲପୁରର ଗୋଟିଏ ସ୍ଥାନକୁ ମିଶାଇ ମହାନଗରର ୩ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରା ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାଛଡ଼ା ବୁର୍ଲା ଓ ସମ୍ବଲପୁରର ଆଉ କିଛି ଅଞ୍ଚଳକୁ ‌ବଫର ଜୋନ୍‌ ଘୋଷଣା କରାଯାଇଛି। ବୁର୍ଲା ଅନ୍ତର୍ଗତ ଏସଏମ୍‌ସି ୱାର୍ଡ ନମ୍ବର ୪ର ଗୁରୁଦ୍ବାରା କଲୋନି ଓ ୱାର୍ଡ ନମ୍ବର ୭ର ତେଲଗୁପଡ଼ାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ଏସ୍‌ଏମ୍‌ସି ୨୫ ନମ୍ବର ୱାର୍ଡ ଅନ୍ତର୍ଗତ ସମ୍ବଲପୁର ସହରର ଆମ୍ବେଦକର ନଗରକୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବୁର୍ଲାର ୱାର୍ଡ ନମ୍ବର ୪ ଅନ୍ତର୍ଗତ ଫରୱାର୍ଡ କଲୋନିର ‘ଇ’ ଓ ‘ଏଫ୍‌’ ଟାଇପ୍‌ କ୍ବାର୍ଟର୍ସ ଅଞ୍ଚଳ, ନୂଆପଡ଼ା, ଓଏଚ୍‌ପିସି କଲୋନି, ଫ୍ରେଣ୍ଡସ କଲୋନି, ବିନାୟକ ହସ୍‌ପିଟାଲ, ସୌରଭ ବିହାର ଆଦି ଅଞ୍ଚଳକୁ ବଫର୍‌ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ୱାର୍ଡ ନମ୍ବର ୨୪ ଓ ୨୫ ଅନ୍ତର୍ଗତ ପଟ୍ଟନାୟକପଡ଼ା, ସମଲେଶ୍ବରୀ କଲୋନି ଓ ଠେଲ୍‌କୋପଡ଼ାକୁ ବଫର୍‌ ଜୋନ୍‌ ଘୋଷଣା କରାଯାଇଛି। କାଇଁଶିର ରୋଡ୍‌ସ୍ଥିତ ମୌର୍ଯ୍ୟ ରେସିଡେନ୍‌ସି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କଟକଣା ବୃଦ୍ଧି ସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି।

ତିନିଟି ଯାକ କଣ୍ଟେନ୍‌ମେଣ୍ଟ ଅଞ୍ଚଳକୁ ବ୍ୟାରିକେଡ୍ କରି ଯାତାୟତରେ କଟକଣା ଲାଗୁ କରାଯାଇଛି। ଏହି ଅଞ୍ଚଳ ଗୁଡ଼ିକୁ ସମସ୍ତ ସାଧାରଣ ଓ ବ୍ୟକ୍ତିଗତ ଯାନବାହନ ଯିବା ଆସିବା ବନ୍ଦ କରାଯାଇଛି। କେବଳ ଜରୁରୀ ଡାକ୍ତରୀ ସେବା ପାଇଁ ଅନୁମତି ଦିଆଯିବ। ବୁର୍ଲାର ତେଲଗୁପଡ଼ା ଓ ଗୋପବନ୍ଧୁ ଛକଠାରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସେଠାରେ ପୁଲିସ୍‌, ମେଡିକାଲ୍ ଟିମ୍‌ ଓ ଏସ୍‌ଏମ୍‌ସି କର୍ମଚାରୀ ଉପସ୍ଥିତ ରହି ଲୋକଙ୍କୁ ଜରୁରୀ ସେବା ଯୋଗାଇ ଦେବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ଓ ବଫର ଜୋନ୍‌ର ସମସ୍ତ ଅଧିବାସୀଙ୍କୁ ଘରେ ରହିବାକୁ କହାଯାଇଛି। ଉକ୍ତ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ। ତେବେ ଜରୁରୀ ଓ ଡାକ୍ତରୀ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଉପରୋକ୍ତ ଜୋନ୍‌ର ସମସ୍ତ ବ୍ୟକ୍ତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। ସମସ୍ତ ଅଣଜରୁରୀ କାର୍ଯ୍ୟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ସମସ୍ତ କଟକଣା ଗୁରୁବାର ସକାଳୁ ପରବର୍ତ୍ତୀ ନିର୍ଦ୍ଦେଶ ‌ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରୁ କହାଯାଇଛି।

ଅପରପକ୍ଷରେ ବୁଧବାର ସକାଳେ ଜିଲ୍ଲାପାଳ ଶୁଭମ ସକ୍‌ସେନା ଭିମସାର୍‌ ବଡ଼ ଡାକ୍ତରଖାନା ପରିସରକୁ ଯାଇ ସେଠାକାର ସ୍ଥିତିର ସମୀକ୍ଷା କରିଥିଲେ। ସେ ଭିମସାର୍‌ ନିର୍ଦ୍ଦେଶକ, ଅନ୍ୟ ଅଧିକାରୀ ଏବଂ କୋଭିଡ୍ ଯୋଦ୍ଧା ମାନଙ୍କ ସହ ଆଲୋଚନା କରିଥିଲେ। ସମଗ୍ର ଭିମସାର୍‌ କ୍ୟାମ୍ପସ୍‌କୁ ବିଶୋଧନ ତଥା ସଂକ୍ରମଣ ନିରୋଧ ପଦକ୍ଷେପ ଗ୍ରହଣ ନେଇ ଆବଶ୍ୟକ ବ୍ୟବସ୍ଥା କରିବା ଉପରେ ଗୁରୁତ୍ବ ଦେଇଥିଲେ।

ସମ୍ବନ୍ଧିତ ଖବର