ଭିନ୍ନ ଏକ ଗାଁରେ ଭିନ୍ନ ବିଶ୍ୱାସ: ଛୁଆଙ୍କୁ ଦୋଳି ଝୁଲିବା ମନା

ବରଗଡ: ଘର ନିର୍ମାଣ କଲେ ଖପର ବ୍ୟବହାର ହେବ ନାହିଁ। ଛାତ କଂକ୍ରିଟ ହେବ କିମ୍ବା ନଡ଼ା ଛାଉଣି ହେବ। କେବଳ ଏତିକି ନୁହେଁ, ଛୋଟ ଛୁଆଙ୍କୁ ଦୋଳି ଝୁଲିବା ବି ମନା। ଏଭଳି ଏକ ଗାଁ ବରଗଡ଼ ଜିଲ୍ଲାରେ ଅଛି। ଭଟଲି ବ୍ଲକ୍‌ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତ କହ୍ନେଇପାଲି ଗାଁରେ ଏଭଳି ଏକ ଭିନ୍ନ ଚିତ୍ର ଦେଖବାକୁ ମି‌ଳୁଛି। ବଂଶ ବୁଡ଼ିଯିବା ଭୟରେ କେହି ବି ଘର କଲେ ଖପର ବ୍ୟବହାର କରନ୍ତି ନାହିଁ। ଏପରିକି ଗାଁର ଇଷ୍ଟଦେବଦେବୀଙ୍କ ନିର୍ଦ୍ଦେଶ ଥିବା ବିଶ୍ବାସ କରି କେହି ଘରେ ଦୋଳି ଲଗାନ୍ତି ନାହିଁ।

ବ୍ଲକ୍‌ ମୁଖ୍ୟାଳୟରୁ ପ୍ରାୟ ୮ କିମି ଦୂରରେ ରହିଛି କହ୍ନେଇପାଲି। ଗାଁର ଦୁଇଟି ପଡ଼ାରେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି। ଗାଁ ବସିବା ଦିନଠାରୁ କେହି ବି ଖପର ବ୍ୟବହାର କରି ନାହାନ୍ତି। ବହୁ ବର୍ଷ ପୂର୍ବରୁ ଇଷ୍ଟଦେବୀଙ୍କ ନିର୍ଦ୍ଦେଶ ଅବମାନନା କରି ଯିଏ ଖପର ଲଗାଇଛନ୍ତି ବଂଶ ବୁଡ଼ିଯାଇଛି ବୋଲି ଗାଁ ଲୋକ କହିଛନ୍ତି। ସେହିପରି ଦୋଳି ଝୁଲିଲେ ବି ଅଘଟଣ ହୁଏ ଏବଂ ଏଥିପାଇଁ ଦୋଳି କେହି ଝୁଲନ୍ତି ନାହିଁ ବୋଲି କହିଛନ୍ତି। ଗାଁର ଝାଙ୍କର ସଉକି ସିଂହ କହିଛନ୍ତି, ଗାଁର ସମସ୍ତେ ଇଷ୍ଟଦେବୀ କେଲିଏନ୍‌ ଝୁଲିଏନ୍‌ଙ୍କୁ ମାନିଥାନ୍ତି। ହୋଲି ସମୟରେ ଯାତ୍ରା ହୁଏ। ଆଉ ଦେବଦେବୀଙ୍କ ନିର୍ଦ୍ଦେଶ ଯୋଗୁଁ କେହି ଖପର ଘର କରନ୍ତି ନାହିଁ କି ଦୋଳି ଲଗାନ୍ତି ନାହିଁ ବୋଲି କହିଛନ୍ତି। ପୂର୍ବରୁ ବଂଶ ବୁଡ଼ିବା ନଜିର ବି ରହିଥିବା ସେ ସୂଚନା ଦେଇଥିଲେ। ଗାଁର ଆଉ ଏକ ପ୍ରସଙ୍ଗ ପ୍ରେରଣାଦାୟୀ ରହିଛି। ଏକଜୁଟ ହୋଇ ଗାଁ ଲୋକ ଜଣେ ଆଉ ଜଣଙ୍କୁ ସହାୟତା କରନ୍ତି। ପ୍ରତିବର୍ଷ ହୋଲି ପୂର୍ବରୁ ନିଆରା ଢଙ୍ଗରେ ଯାତ୍ରା ହୋଇଥାଏ। ଏହି ଯାତ୍ରାରେ ଗାଁର ସମସ୍ତେ ସାମିଲ ହୋଇଥାନ୍ତି। ହୋଲିକା ଦହନ ସମୟରେ ନିଆଁ ଉପରେ ଗୋଟିଏ ପଟୁ ଅନ୍ୟପଟକୁ ଡେଇଁବା ପରମ୍ପରା ରହିଛି।

ସମ୍ବନ୍ଧିତ ଖବର