୧୦ ଫୁଟ୍‌ ଦୂରତାରେ ସ୍ୱର୍ଗ ଆଉ ନର୍କ

ବାଲେଶ୍ୱର: ଏପଟେ ଗଦାଗଦା ଅଳିଆ। ଆବର୍ଜନା ଭର୍ତି। ଚାରିଆଡ଼େ ପଲିଥିନ୍‌ ଉଡ଼ୁଛି। ଶୁଖିଲା ପଇଡ଼ ଫାଳ ଏେଣେତେଣେ ପଡ଼ିଛି। ଖୋଲା ମଳତ୍ୟାଗର ଇଲାକା ପାଲଟିଛି ଏ ଅଞ୍ଚଳ। ହେଲେ ମାତ୍ର ୧୦ ଫୁଟ୍‌ ଦୂରତାରୁ ଆରମ୍ଭ ହୋଇଛି ସୌନ୍ଦର୍ଯ୍ୟ ଓ ସ୍ୱଚ୍ଛତାର ଚିତ୍ର। ଏ ହେଉଛି ଉଦୟପୁର ବେଳାଭୂମିର ଦୃଶ୍ୟ। ଯାହା ଡାକିହାକି କହୁଛି ଦୁଇ ରାଜ୍ୟ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ନଜର କେମିତି ପଡ଼ିଛି ଏଠି।

ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ରହିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁରର ବିସ୍ତୀର୍ଣ୍ଣ ବେଳାଭୂମି। ବହୁ ବାଦବିବାଦ ପରେ, ଉଭୟ ରାଜ୍ୟ ସରକାର ସୀମା ଚିହ୍ନଟ କରି ବେଳାଭୂମିକୁ ବିଭାଜିତ କରିଛନ୍ତି। ସୀମା ଚିହ୍ନଟ ପରେ ପଶ୍ଚିମବଙ୍ଗ ସରକାର ତାଙ୍କ ପାର୍ଶ୍ୱ ବେଳାଭୂମିକୁ ସ୍ୱର୍ଗ ସଦୃଶ କରି ସାରିଲେଣି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୭ରେ ଉଦୟପୁର ବେଳାଭୂମିର ୱାଚ୍‌ ଟାଓ୍ଵାର୍‌ ଓ ଲାଇଟପୋଷ୍ଟକୁ ଉଦଘାଟନ କରିଥିଲେ। ଉଦୟପୁରରୁ ଦୀଘା ପର୍ଯ୍ୟନ୍ତ ନୂଆ ପଥର ବନ୍ଧକୁ ମଧ୍ୟ ପଶ୍ଚିମବଙ୍ଗ ସରକାର ଉଦଘାଟନ କଲେ। ବେଳାଭୂମିରେ ଦର୍ଶକଙ୍କ ବସିବା ପାଇଁ ଲମ୍ବା ଲମ୍ବା ସିମେଣ୍ଟ ବେଞ୍ଚ ନିର୍ମାଣ କଲେ। ସମୁଦ୍ର ଜୁଆରରୁ ଉପକୂଳ ସୁରକ୍ଷା ପାଇଁ ପକ୍କା ଚଟାଣ ନିର୍ମାଣ ବି କରାଗଲା। ପୂର୍ବ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଏହି ଅଞ୍ଚଳକୁ ଦେଖିଲେ ଲାଗୁଛି ଏହା କୌଣସି ବିଦେଶୀ ପର୍ଯ୍ୟଟନସ୍ଥଳୀ। ବେଳାଭୂମିରେ ଜରି ଖଣ୍ଡିଏ କି ଅଳିଆ ଟିକିଏ କେଉଁଠି ପଡ଼ିନାହିଁ। ଏପଟେ ମାତ୍ର ୧୦ ଫୁଟ୍‌ ଦୂରତାରେ ରହିଛି ଓଡ଼ିଶାର ଉଦୟପୁର ବେଳାଭୂମି। କେବଳ ପଥର ପ୍ୟାକିଂରେ ସୀମିତ ହୋଇ ରହିଛି ଆମ ସରକାରଙ୍କ କାମ। ୨୦୧୧-୧୨ ଆର୍ଥିକ ବର୍ଷରେ ଉଦୟପୁରରୁ ତାଳସାରୀ ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ ପାଇଁ ୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୧୩-୧୪ରେ ଏଥିପାଇଁ ଆଉ ୧୨ କୋଟି ଟଙ୍କା ମିଳିଲା। ଏଥିରେ ଲାଇଟ୍‌ ପୋଷ୍ଟ, ଭେଣ୍ଡିଂ ଜୋନ୍‌ ନିର୍ମାଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଗଲା। ସଂପୃକ୍ତ କମିଟି ୧୩ କୋଟି ୯୬ ଲକ୍ଷ ଟଙ୍କାର ପ୍ରସ୍ତାବ ମଧ୍ୟ ସରକାରଙ୍କୁ ଦେଲେ। ହେଲେ ଅବସ୍ଥା କାଲି ଯେମିତି ଥିଲା, ଆଜି ବି ସେମିତି ରହିଛି। କିଛି ବି ପରିବର୍ତନ ହୋଇନାହିଁ। କେବଳ ସାହାବାଜିପୁରରୁ ଉଦୟପୁରକୁ ପିଚୁ ରାସ୍ତାଟିଏ ନିର୍ମାଣ କରି ଚୁପ୍‌ ବସିପଡିଛନ୍ତି ଓଡ଼ିଶା ସରକାର। ମେରାଇନ୍‌ ଥାନା ପ୍ରତିଷ୍ଠା ହୋଇଛି। ବିଜୁ ପଟ୍ଟନାୟକ ପାର୍କ ନିର୍ମାଣ ଚାଲିଛି ଯେ ଚାଲିଛି। ସବୁ କ୍ଷେତ୍ରରେ କଚ୍ଛପ ଗତି। ସ୍ଥାନୀୟ ତହସିଲଦାରଙ୍କ କହିବା କଥା ଜଳସେଚନ ବିଭାଗ ସେ କାମ କରୁଛି। ପାର୍କ କାମ ଚାଲିଛି, ଖୁବଶୀଘ୍ର ସରିବ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଏବେ ଦୀଘାଠାରୁ ବି ଅଧିକ ସୁନ୍ଦର କରି ଉଦୟପୁର ବେଳାଭୂମିକୁ ପ୍ରସ୍ତୁତ କରୁଛି

ପଶ୍ଚିମବଙ୍ଗ। ଯାହା ଜଣାପଡ଼ୁଛି; ଓଡ଼ିଶାର ପର୍ଯ୍ୟଟକମାନେ ଉଦୟପୁର ବୁଲିବେ, ହେଲେ ରାଜସ୍ୱ ପଶ୍ଚିମବଙ୍ଗ ସରକାର ନେବେ। ଓଡ଼ିଶାର ଉଦୟପୁର ବେଳାଭୂମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ଏ ଅବସ୍ଥା ହେବାକୁ ଯାଉଛି। ପରିସ୍ଥିତି ଯାହା, ସ୍ଥାନୀୟ ଲୋକେ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କାମ ପାଇବା ଥୟ। ସ୍ଥାନୀୟ ଲୋକଙ୍କ କହିବା ହେଲା, ମାତ୍ର ୩ କିମି ଦୂରରେ ଥିବା ତାଳସାରୀ ବେଳାଭୂମିକୁ ୨୦୦୮ରୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି। ଉଦୟପୁରରେ ଥରୁଟିଏ ବି ତାଙ୍କ ପାଦପଡିନି। ସେପଟେ ପ୍ରତିବର୍ଷ ସେଠାକୁ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ବିକାଶ ତ୍ୱରାନ୍ଵିତ ହେଉଛି ଓ ସ୍ଥାନୀୟ ଲୋକଙ୍କ ମନୋବଳ ବି ଦୃଢ ହେଉଛି। ଓଡ଼ିଶା ସରକାରଙ୍କ ଏ ଉଦାସୀନତାର ପରିଣାମ ଯେ କ’ଣ ହେବ, ତାହା ଆଉ ଦିନ କେଇଟା ପରେ ଜଣାପଡ଼ିଯିବ। ଆଉ ଏକ ଗୁରୁତ୍ୱପୂର୍ଣ୍‌ କଥା ହେଲା, ଦୀଘା-ଶଙ୍କରପୁର-ମନ୍ଦାରବଣି ଉନ୍ନୟନ କର୍ତ୍ତପକ୍ଷ ଗତ ୨ ବର୍ଷରେ ଅନେକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍‌ ନିଷ୍ପତ୍ତି ନେଇଛନ୍ତି। ଏଣେ ଆମ ତାଳସାରି-ଉଦୟପୁର ଉନ୍ନୟନ କର୍ତ୍ତୃପକ୍ଷ ବର୍ଷରେ ଗୋଟେ ଅଧେ ବୈଠକ କରି କାମ ସାରିଦେଉଛନ୍ତି। ଓଡ଼ିଆ ବେକାର ଯୁବକ ଉଦୟପୁରରେ ପଇଡ଼ ବିକୁଥିବା ବେଳେ ପୂର୍ବ ମେଦିନାପୁରର ଯୁବକ ସେଠାରେ ଷ୍ଟଲ କରି ଯେ ବେପାର କରିବେ, ଏଥିରେ ସନ୍ଦେହ ନାହିଁ। ହଜାରେ ସମସ୍ୟାରୁ ଗୋଟିଏ ସମସ୍ୟାକୁ ଦେଖିଲେ ବିକାଶ ଏଠି ଯେ ପ୍ରହସନ ପାଲଟିଛି ତାହା ଜଳ ଜଳ ହୋଇ ଦିଶୁଛି।

ସମ୍ବନ୍ଧିତ ଖବର