ଅଦ୍ଭୁତ ଶୈଳୀରେ ଦୀପାବଳି ପାଳନ: ହାତରେ ରକେଟ ବାକ୍ସ ବାଣ ଧରି ନିଆଁ ଲଗାଇ ହଷ୍ଟେଲ ଉପରକୁ ମାଡ କଲେ ଯୁବକ

ଭୁବନେଶ୍ୱର: ସୋସିଆଲ ମିଡିଆରେ କିଛି ଯୁବକଙ୍କ ବାଣ ଫୁଟାଇବା ଶୈଳୀ ଭାଇରାଲ ହୋଇଛି । ପ୍ରତୀକ ପ୍ରସନ୍ନଜିତଙ୍କ ଟୁଇଟର ଆକାଉଣ୍ଟରେ ଛଡା ଯାଇଥିବା ଏହି ଭିଡିଓ ଦେଖିଲେ ଆପଣ ତାଜୁବ ହୋଇଯିବେ । ଏହି ଭିଡିଓଟି ଓଡିଶାର ବୋଲି ସନ୍ଦେହ କରାଯାଉଛି।

ଭିଡିଓରେ ଦେଖିବାକୁ ମଳିଛି ମୁଣ୍ଡରେ ହେଲମେଟ, ହାତରେ ଗ୍ଲୋବ୍‌ସ ଏବଂ ଗୋଡରେ ପ୍ୟାଡ ନାଇ ପୂରା କ୍ରିକେଟର ଅନ୍ଦାଜରେ କିଛି ଯୁବକ ହାତରେ ରକେଟ ବକ୍ସ ବାଣ ଧରି ନିଆଁ ସଂଯୋଗ କରି ଏକ ହଷ୍ଟେଲ ଆଡକୁ ମାଡି ଚାଲିଛନ୍ତି। ରକେଟ ବକ୍ସ ବାଣ ମାଧ୍ୟମରେ ହଷ୍ଟେଲ ମଧ୍ୟକୁ ଆକ୍ରମଣ କରି ଚାଲିଛନ୍ତି ଏହି ଯୁବକ । ବକ୍ସରୁ ଗୋଟିଏ ପରେ ଗୋଟିଏ ରକେଟ ବାଣ ହଷ୍ଟେଲ ମଧ୍ୟରେ ମାଡ କରି ଚାଲିଥିବା ଦେଖିବାକୁ ମିଳୁଛି। ଯାହାର ମଜା ନେଉଥିଲେ ସାଙ୍ଗରେ ଥିବା ଅନ୍ୟ ଯୁବକ । ଏପରିକି ହଷ୍ଟେଲ ମଧ୍ୟକୁ ଅଧିକ ରକେଟ ବାଣ ଛାଡିବାକୁ ହେଲମେଟ ପିନ୍ଧିଥିବା ଯୁବକଙ୍କୁ ଅନ୍ୟ ସାଙ୍ଗମାନେ କହୁଥିଲେ ଶୁଣିବାକୁ ମିଳିଛି। ବାଣ ସହ ଏମିତି ସାଂଘାତିକ ଖେଳକୁ ପାଖରେ ଥିବା ଅନ୍ୟ ଯୁବକ ମାନେ ବିରୋଧ ନ କରି ମଜା ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏଥିରେ ଯୁବକ ଓଡିଆରେ କଥା ହେଉଛନ୍ତି । ଏହାଛଡା ଯୁବକ ଜଣକ ଯେଉଁ ହଷ୍ଟେଲ ମାଡ କରୁଥିଲେ ତାହାର ନାମ ଭୃଗୁ ବୋଲି ଭିଡିଓରେ ଦେଖିବାକୁ ମିଳିଛି । ପ୍ରକୃତରେ ଏହା କେଉଁ ଶିକ୍ଷାନୁଷ୍ଠାନର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ବିପଦପୂର୍ଣ୍ଣ ବାଣ ଫୁଟାରେ କାହାର କ୍ଷତି ହୋଇଛି କି ନାହିଁ ତାହା ଜଣା ପଡିନାହିଁ ।

ତେବେ ଟୁଇଟରରେ କିଛି ୟୁଜର୍ସମାନେ ଏହାକୁ ଭିଏସଏସ ମେଡିକାଲ କଲେଜ ବୁର୍ଲାର ବୋଲି କହିଛନ୍ତି। ଏପରିକି ଦେବ ନାରାୟଣ ନାମକ ଜଣେ ୟୁଜର୍ସ ଲେଖିଛନ୍ତି ପ୍ରତିବର୍ଷ ଦୀପାବଳିରେ ହଷ୍ଟେଲଗୁଡିକ ମଧ୍ୟରେ ଏହିଭଳି ଆତସବାଜି ଦେଖିବାକୁ ମିଳେ କିନ୍ତୁ ଏବର୍ଷ ଏହା ପୂର୍ବବର୍ଷରୁ ବଳି ଯାଇଛି।

ଅନ୍ୟ ଜଣେ ଟୁଇଟର ବ୍ୟବହାରକାରୀ ନବକିଷ୍ଣ ଲେଖିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ପାଗଳାମୀ । ଏଭଳି ଢଙ୍ଗରେ ବାଣ ଫୁଟାଇବା ଅପରାଧ । ତେଣୁ ଏଥିରେ ସମ୍ପୃକ୍ତ ଥିବା ଯୁବକ ମାନଙ୍କୁ ଦଣ୍ଡ ଦିଆଯିବା ଉଚିତ ।

ସମ୍ବନ୍ଧିତ ଖବର