ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଛି। ସେ ସଂପର୍କରେ ନିମ୍ନରେ ସୂଚନା ଦିଆଯାଇଛି।

Advertisment

ମାଛ ମାରିବାକୁ ଯାଇ ନାଳାରେ ଭାସିଗଲେ ୨ ଯୁବକ

ଡୁଡୁକା: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ଭରସୁଜା କୁଲାରୀ ନାଳାକୁ ମାଛ ଧରିବାକୁ ଯାଇଥିବା ବେଳେ ୨ ଜଣ ଯୁବକ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରରୁ ପିପିଲିପାଲି ଗାଁର ଗୋଲେଖ ପୋଢ଼ (୪୫ବର୍ଷ)ଙ୍କ ମୃତ୍ୟୁ ଘଟିଛି ଓ ପ୍ରମୋଦ ପୋଢ଼ ନିଖୋଜ ଅଛନ୍ତି।
ସୂଚନା ଅନୁସାରେ, ଗୁରୁବାର ଦିନ ପ୍ରାୟ ୧୧ଟା ବେଳେ ଭରସୁଜା ନିକଟସ୍ଥ କୁଲାରୀ ନାଳାକୁ ପିପିଲିପାଲି ଗାଁର ରଜନୀ ପୋଢ଼, ଗୋଲେଖ ଓ ପ୍ରମୋଦ ମାଛ ଧରିବାକୁ ଯାଇଥିଲେ। ଜାଲ ପକାଇ ମାଛ ଧରୁଥିବା ବେଳେ ପ୍ରଖର ସ୍ରୋତରେ ଗୋଲେଖ ଓ ପ୍ରମୋଦ ନାଳା ଗର୍ଭକୁ ଚାଲି ଯାଇଥିଲେ। କୂଳରେ ଥିବା ରଜନୀ ଚିତ୍କାର କରିବାରୁ ଆଖପାଖ ଲୋକେ ସଙ୍ଗେ ସଙ୍ଗେ ଆଗଲପୁର ତହସିଲଦାର, ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୋଲେଖଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଆଗଲପୁର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରମୋଦଙ୍କ ସନ୍ଧାନ ମିଳିନାହିଁ। ଏହି ଘଟଣାକୁ ନେଇ ଉକ୍ତ ଗାଁରେ ଶୋକର ଛାୟା ଖେଳିଯାଇଛି।

ଟ୍ରକ୍‌ ଧକ୍କାରେ ପୁଲିସ୍ ଡ୍ରାଇଭର ମୃତ

ଦେବଗଡ଼: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡ଼ା ରାଜପଥର ଲକ୍ଷ୍ମୀପୁର ଗ୍ରାମ ନିକଟରେ ଗୁରୁବାର ଟ୍ରକ୍‌ ସହ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀ ରଞ୍ଜନ ସେଠୀ (୪୦)ଙ୍କ ମୃତ୍ୟୁ ଘଟିଛି। ମୃତ ରଞ୍ଜନ ଦେବଗଡ଼ ପୁଲିସ ଏସ୍‌ଡିପିଓଙ୍କ ସରକାରୀ ଡ୍ରାଇଭର ଓ ତାଙ୍କ ଘର ରିଆମାଳ ବ୍ଲକର ଜରାଛାଟ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ରଞ୍ଜନ ଗୁରୁବାର ନିଜ ଡ୍ୟୁଟି ସାରି ଛୁଟି ନେଇ ବାଇକ ଯୋଗେ ନିଜ ଗାଁ ଜରାଛାଟକୁ ଯାଉଥିଲେ। ଲକ୍ଷ୍ମୀପୁର ଗ୍ରାମ ନିକଟରେ ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥର ଏକ ବୁଲାଣିରେ ସମ୍ମୁଖ ପଟୁ ଆସୁଥିବା ଏକ ଟ୍ରକ (ଓଡି-୩୫ ଜି ୦୩୧୦) ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଖଇରପାଲି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଏହାସହିତ ଟ୍ରକ ଚାଳକକୁ ପୁଲିସ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଖବରପାଇ ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଏବଂ ପୁଲିସ ବିଭାଗର କର୍ମଚାରୀମାନେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଥିଲେ। ଶବ ବ୍ୟବଚ୍ଛେଦ ପରେ ପୁଲିସ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୁରକ୍ଷାବାଡ଼ରେ ପିଟିହେଲା ସ୍କର୍ପିଓ, ଚାଳକ ମୃତ
ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବୈତରଣୀ ପୋଲର ସୁରକ୍ଷାବାଡ଼‌ରେ ଏକ ସ୍କର୍ପିଓ ଧକ୍କା ହେବାରୁ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଗୋପୀନାଥପୁର ଗ୍ରାମର ଜୁଲଫକିର। ସ୍କର୍ପିଓଟି କରଞ୍ଜିଆ ପଟୁ ତୁରୁମୁଙ୍ଗା ଆଡ଼କୁ ଆସୁଥିଲା। ବୈତରଣୀ ପୋଲ ଉପରେ ଭାରସାମ୍ୟ ହରାଇ ସୁରକ୍ଷାବାଡ଼ରେ ସ୍କର୍ପିଓଟି ପିଟି ହୋଇଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ପାଇଁ ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓକୁ ଜବତ କରିଛି।

ବର୍ଷାରେ ଘର ଭାଙ୍ଗି ଆଉ ଜଣେ ମୃତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଘର ଭାଙ୍ଗି ଗତ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବିଶ୍ୱନାଥପୁର ଥାନା ଡୁମେରମୁଣ୍ଡା ଗାଁର ଋଷିମଣି ସାହୁ (୪୫)। ଋଷି ଘରେ ଶୋଇଥିବା ସମୟରେ ଗୁରୁବାର ଭୋର୍‌ରେ ମାଟି କାନ୍ଥଟି ଭାଙ୍ଗି ଯାଇଥିଲା। ଫଳରେ ବହୁ ସମୟ ଧରି ଚାପି ହୋଇ ରହିବା ପରେ ତାଙ୍କୁ ଉଦ୍ଧାର କରାଯାଇ ବିଶ୍ୱନାଥପୁର ସିଏଚ୍‌ସିକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବିଶ୍ବନାଥପୁର ପୁଲିସ୍‌ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଥାଉକି, ଗତ ମଙ୍ଗଳବାର ଛତ୍ରପୁର ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମର ସ୍ବର୍ଗତ ଶ୍ୟାମ ପରାଭୋଇଙ୍କ ଝିଅ ବନିତା ପରାଭୋଇ ଘର ଭିତରେ ରୋଷେଇ କରୁଥିବା ସମୟରେ ବର୍ଷା ଯୋଗୁଁ କାନ୍ଥ ଭାଙ୍ଗି ଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ନଦୀରେ ଭାସିଯାଇ ବୃଦ୍ଧ ମୃତ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଚମ୍ପାଚୁଆଁ ଗ୍ରାମର ଜଣେ ବୃଦ୍ଧ ଝିଅ ଘରୁ ଫେରୁଥିବା ବେଳେ ଇନ୍ଦ୍ରାବତୀ ନଦୀରେ ଭାସିଯାଇ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଥୁଆମୂଳ ରାମପୁର ଥାନା ଚମ୍ପାଚୁଆଁ ଗ୍ରାମର ସୁନାଧର ମାଝୀ (୫୦) ଗତ ୧୧ ତାରିଖ ସାନ ଝିଅ ରହୁଥିବା ପେଙ୍ଗଢୁସି ଗ୍ରାମକୁ ଯାଇଥିଲେ। ଝିଅକୁ ଭେଟି ଇନ୍ଦ୍ରାବତୀ ନଦୀ ପାରି ହୋଇ ଗାଁକୁ ଫେରୁଥିଲେ। ହଠାତ୍ ପାଣିର ସ୍ରୋତ ବଢ଼ିଯିବାରୁ ଭାସି ଯାଇଥିଲେ। ଆଜି କୁମୁଡ଼ାବାହଲି ଡ୍ୟାମ ପାଖରେ ଶବ ଭାସୁଥିବା ଦେଖି ଲୋକେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ସେମାନେ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପୁଲିସ୍‌ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ଟ୍ରେଲର-ହାଇୱା  ମୁହାଁମୁହିଁ ଧକ୍କା, ୨ ମୃତ

ଜମନକିରା, ୧୪।୯ (ଇମିସ): ଏନ୍ଏଚ୍‌ ୫୩ ସମ୍ବଲପୁର ଜିଲ୍ଲା ବଡ଼ରମା- କୁରେଇବାହାଲ୍ ରାସ୍ତାର ଖରମୁଣ୍ଡା ଛକଠାରେ ଟ୍ରେଲର ଓ ହାଇୱା ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିର ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରେ ହିଁ ଟ୍ରେଲର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ହାଇୱା ଚାଳକଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବା କହାଯାଉଛି।
ସୂଚନା ଅନୁଯାୟୀ, ବୁଧବାର ଅପରାହ୍‌ଣ ପ୍ରାୟ ୨ଟାରେ ଏକ ହାଇୱା (ଓଡି ୧୫ ଡବ୍ଲୁ ୫୦୪୩) ଓ ବିପରୀତ ଦିଗରୁ ଆସୁଥିବା ଟ୍ରେଲର (ଆରଜେ ୦୪- ଜିଏ ୫୬୨୬) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରେଲରଟି ଦେବଗଡ଼ରୁ ସମ୍ବଲପୁର ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ହାଇୱା ଗାଡ଼ି ଯାଉଥିଲା। ଦୁର୍ଘଟଣାସ୍ଥଳରେ ଟ୍ରେଲର ଚାଳକ ମୃତ୍ୟୁ ଘଟିଥିଲା। ପୁଲିସ, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ସହଯୋଗରେ ହାଇୱା ଭିତରେ ଫସିଥିବା ଚାଳକକୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା ପଠାଯାଇଥିଲା। ହେଲେ ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା। ଏପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଳକ ଦ୍ବୟଙ୍କ ପରିଚୟ ଜଣାପଡ଼ି ନାହିଁ।

କାର୍‌ ଧକ୍କାରେ ଜଣେ ମୃତ

ହୀରାକୁଦ: ହୀରାକୁଦ ଥାନା ରେମେଡ଼ ବିହାରିପଡ଼ା ଅଞ୍ଚଳରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗତକାଲି ସାଢ଼େ ୧୦ଟା ସମୟରେ ହିଣ୍ଡାଲକୋର ଠିକା କର୍ମଚାରୀ କାର୍ତ୍ତିକ ମୁଣ୍ଡା (୩୩) କାମ ସାରି ବାଇକ୍ ଯୋଗେ ଘରକୁ ଫେରିବା ସମୟରେ ଏକ କାର୍‌ ସହିତ ତାଙ୍କ ଧକ୍କା ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭିମ୍‌ସାରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଦୁର୍ଘଟଣା ଘଟାଇଥିବା କାର ମାଲିକ ପ୍ରଣବ ପଟ୍ଟନାୟକ ହିଣ୍ଡାଲକୋରେ ଚାକିରି କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି l ଅନ୍ୟ ପଟେ କାର୍ତ୍ତିକଙ୍କ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଆଜି ପୁଣି ଯୁବତୀ ମହାନଦୀକୁ ଡେଇଁଲେ

ସମ୍ବଲପୁର: ଚାଉଁରପୁର ମହାନଦୀ ସେତୁ ସୁଇସାଇଡ୍‌ ଜୋନ୍‌ରେ ପରିଣତ ହୋଇଛି। ଆଜି ପୁଣି ଜଣେ ଯୁବତୀ ସେତୁ ଉପରକୁ ମହାନଦୀ ଗର୍ଭକୁ ଡେଇଁ ପଡ଼ିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଯୁବତୀ ଜଣକ ମହାନଦୀ ସେତୁ ଉପରକୁ ଆସିଥିଲେ। ସେତୁ ଉପରେ ଚପଲ ରଖି କେହି କିଛି ଭାବିବା ପୂର୍ବରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ସଂଗେ ସଂ‌ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲହେଁ ଯୁବତୀଙ୍କ ସନ୍ଧାନ ମିଳିନଥିଲା। ମହାନଦୀ ସ୍ରୋତରେ ସେ ଭାସିଯାଇଥିବା ଏହି ଯୁବତୀଙ୍କ ବୟସ ୧୬/୧୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟ ପଟେ କୌଣସି ବ୍ୟକ୍ତି ଯୁବତୀଙ୍କ ନିଖୋଜ ସଂକ୍ରାନ୍ତରେ ଅଭିଯୋଗ କରିନଥିବାରୁ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ଆଗରୁ ଜଣେ ଅବସରପ୍ରାପ୍ତ କର୍ମଚାରୀ ସେହି ସେତୁ ଉପରୁ ସେଲ୍‌ଫି ନେବା ସମୟରେ ଖସି ପଡ଼ିଥିଲେ। ପାଣିର ସ୍ରୋତ କମ୍ ଥିବାରୁ ‌ସେ ଏକ ବୁଦା ନିକଟରେ ଲଟକି ଥିବା ବେଳେ ଅଗ୍ନିଶମ ବାହିନୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା।