ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ‘କରୋନା ଏବଂ ଟିକାକରଣ:ସତ୍ୟତା ଓ ବାସ୍ତବତା’ ଆଲୋଚନା
୨୦୨୦ ପୂର୍ବରୁ ବି ଲୋକେ ଥଣ୍ଡା, ଜ୍ବରରେ ମରୁଥିଲେ
ଭୁଲ୍ ଚିକିତ୍ସା ପାଇଁ ଲୋକଙ୍କ ମୃତ୍ୟୁ ହୋଇଛି
ଭୁବନେଶ୍ବର : କୋଭିଡ୍ ଏକ ନୂଆ ରୋଗ ନୁହେଁ। ସାଧାରଣ ଥଣ୍ଡା, ଜ୍ବର ଜନିତ ରୋଗକୁ କୋଭିଡ୍ ନାମକରଣ କରାଯାଇଛି। ୨୦୨୦ ମସିହା ପୂର୍ବରୁ ଏହା ଥିଲା ଓ ଆଗକୁ ରହିବ ମଧ୍ୟ। କିନ୍ତୁ ଏହାକୁ ନେଇ ଲୋକଙ୍କୁ ଅନ୍ଧାରରେ ରଖାଯାଇଛି। କରୋନା ପୂର୍ବରୁ ମଧ୍ୟ ସାଧାରଣ ଥଣ୍ଡା ଜ୍ବର ଜନିତ ରୋଗରେ ଲୋକଙ୍କର ମୃତ୍ୟୁ ହେଉଥିଲା। ୨୦୨୦ ମସିହା ପୂର୍ବରୁ ପ୍ରତ୍ୟେକ ଦେଶ ପାଖରେ ଏହାର ତଥ୍ୟ ରହୁଥିଲା। କିନ୍ତୁ ୨୦୨୦ ମସିହା ପରେ ଏସବୁ ସଂକ୍ରାନ୍ତରେ ଦେଶଗୁଡ଼ିକ ତଥ୍ୟ ରଖିନାହାନ୍ତି। ଥଣ୍ଡା, ଜ୍ବର ଜନିତ ରୋଗରେ ମୃତ୍ୟୁ ହେଉଥିବା ସଂଖ୍ୟା କୁଆଡ଼େ ଗଲା? ସେହିପରି ଯେଉଁଠି ପ୍ରାକୃତିକ ରୋଗ ନିରୋଧ ଶକ୍ତି ଲୋକମାନଙ୍କ ଭିତରେ ତିଆରି ହୋଇସାରିଛି, ସେଠାରେ ଟିକା ଦେବାର ଆବଶ୍ୟକତା ନାହିଁ। କିନ୍ତୁ ଲୋକଙ୍କୁ ପ୍ରଥମ, ଦ୍ବିତୀୟ ଡୋଜ୍ ପରେ ଏବେ ବୁଷ୍ଟର୍ ଡୋଜ୍ ପାଇଁ କୁହାଯାଉଛି। ସବୁ କମ୍ପାନି କ୍ଷତିରେ ଚାଲୁଥିବା ବେଳେ ଫାଇଜର୍, ମଡର୍ଣ୍ଣା ଭଳି ଟିକା ତିଆରି କରୁଥିବା କମ୍ପାନି ସେକେଣ୍ଡ ପିଛା ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ସରକାର ଖୋଲାଖୋଲି ଲୋକମାନଙ୍କ ଟଙ୍କା ଲୁଟ୍ କରି ଟିକା କମ୍ପାନିଙ୍କୁ ଟେକି ଦେଉଛନ୍ତି। କୋଭିଡ୍ ଓ ଟିକାକରଣକୁ ନେଇ ଆଜି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ୟୁନିଟ୍-୪ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ସଭାଗୃହରେ ‘କରୋନା ଏବଂ ଟିକାକରଣ:ସତ୍ୟତା ଓ ବାସ୍ତବତା’ ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ଭିନ୍ନ ମତ ପ୍ରକାଶ ପାଇଛି।
ଭାରତ ନବନିର୍ମାଣ ଅଭିଯାନ ଏବଂ ଆୱାକେନ୍ ଇଣ୍ଡିଆ ମୁଭ୍ମେଣ୍ଟ ସହଯୋଗରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ନବନିର୍ମାଣ କୃଷକ ସଙ୍ଗଠନର ଜାତୀୟ ଆବାହକ ଅକ୍ଷୟ କୁମାର ସଂଯୋଜନା କରିଥିଲେ। ଏଥିରେ ସୁପ୍ରିମ୍କୋର୍ଟର ଆଇନଜୀବୀ ନିଲେଶ ଓଝା ମୁଖ୍ୟ ଅତିଥି, ନୂଆଦିଲ୍ଲୀ ଏମ୍ସ୍ର ପ୍ରଫେସର୍ ଡ. ସଂଜୟ ରାୟ ମୁଖ୍ୟବକ୍ତା, ଡ. ବିଶ୍ବରୂପ ରାୟ ଚୌଧୁରୀ ବିଶିଷ୍ଟ ବକ୍ତା ଓ ରବି କୋହର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
ବର୍ତ୍ତମାନ ପରିସ୍ଥିତିରେ ୯୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇସାରିଲାଣି। ବର୍ତ୍ତମାନ ଟିକାକରଣର ଆବଶ୍ୟକତା ନାହିଁ। ମାସ୍କ ପିନ୍ଧିବା ଓ ୬ଫୁଟ୍ ସାମାଜିକ ଦୂରତା ବଜାୟ ରଖିଲେ ଯେ କରୋନା ହେବ ନାହିଁ, ସେ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଆଇସିଏମ୍ଆର୍ ଓ ସରକାର କହୁଛନ୍ତି ମାସ୍କ ପିନ୍ଧିବା ଜରୁରୀ ନୁହେଁ। କିନ୍ତୁ ଏହାକୁ ପ୍ରଚାରପ୍ରସାର କରାଯାଉନାହିଁ। ଓଲଟି, ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉଛି ବୋଲି ଅତିଥିମାନେ କହିଥିଲେ।
ସେହିପରି କୋଭିଡ୍ ମୃତ୍ୟୁ ସଂପର୍କରେ ଅତିଥିମାନେ କହିଥିଲେ ଯେ ଯେଉଁମାନଙ୍କୁ ସଂକ୍ରମଣ ହୋଇଥିଲା, ସେମାନଙ୍କୁ ପ୍ରାକୃତିକ ଉପାୟରେ ଭଲ କରାନଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କରୋନା ଯୋଗୁଁ ନୁହେଁ, ବରଂ ଭୁଲ୍ ଚିକିତ୍ସା ପାଇଁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଭୁଲ୍ ଚିକିତ୍ସା ଯୋଗୁଁ ଲୋକଙ୍କ ମୃତ୍ୟୁ ହେବା ଘଟଣାକୁ ଲୁଚାଇବାକୁ ଯାଇ ଶବ ବ୍ୟବଚ୍ଛେଦ କରାଯାଇନାହିଁ। ତେଣୁ ଏବେ ଲୋକମାନେ ସଚେତନ ହୋଇ ଏ ଦିଗରେ ବିଚାର କରନ୍ତୁ ବୋଲି ଅତିଥିମାନେ ଆହ୍ବାନ କରିଥିଲେ। ଏହି ଅବସରରେ ଡ. ନିରଜ ମିଶ୍ରଙ୍କ ସମେତ ୧୬ଜଣ ଡାକ୍ତରଙ୍କୁ ସମ୍ବର୍ଧିତ କରାଯାଇଥିଲା। ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମ୍ବର କୋଇରି, ଜଗଦୀଶ ଚନ୍ଦ୍ରା, ବୀରେନ୍ଦ୍ର ସିଂ, ମଦନ ଦୁବେ, ଆଇନଜୀବୀ ଅଭିଷେକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।