ରାଜଗାଙ୍ଗପୁର, ବୀରମିତ୍ରପୁରରେ ବିଜେଡିର ଭିନ୍ନ ଚିତ୍ର

ସାଂସଦ, ବିଧାୟକଙ୍କ ଠାରୁ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ମିଳିଛି କମ୍ ଭୋଟ୍

ସୁନ୍ଦରଗଡ଼: ସରିଛି ପୌର ନିର୍ବାଚନ। ସୁନ୍ଦରଗଡ଼ରେ ବିଜେଡି ହାତରୁ  ପୌରାଧ୍ୟକ୍ଷ ଆସନ ବିଜେପି  ଛଡ଼ାଇ ନେଇଥିବା ବେଳେ   ବୀରମିତ୍ରପୁର ଓ ରାଜଗାଙ୍ଗପୁରରେ ବିଜେଡି ବାଜି ମାରିଛି। ଏବେ ସମସ୍ତଙ୍କ ନଜର ଉପାଧ୍ୟକ୍ଷ ଆସନ ଉପରେ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ପୌରାଞ୍ଚଳରେ ଦଳୀୟ ସାଂସଦ ଓ ବିଧାୟକ ପାଇଥିବା ଭୋଟ୍   ତୁଳନାରେ ପୌର ପ୍ରାର୍ଥୀମାନେ କମ୍ ଭୋଟ୍ ପାଇଥିବା ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ବିଜେଡିର  କିଛି ଭିନ୍ନ ଚିତ୍ର ସାମ୍ନାକୁ ଆସିଛି।

ସୁନ୍ଦରଗଡ଼ ପୌରାଞ୍ଚଳରେ ଗତ ସାଧାରଣ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଏଠାରେ ଲୋକସଭାରେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ୧୨୭୨୫ ଭୋଟ୍ ପାଇଥିଲେ ଓ ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ୧୦୨୪୫ ଭୋଟ୍ ପାଇଥିଲେ। କିନ୍ତୁ  ପୌର ନିର୍ବାଚନରେ ଦଳର ପୌରାଧ୍ୟକ୍ଷ ପ୍ରାର୍ଥୀ ତନୟା ମିଶ୍ର ଏଠାରେ  ବିଜୟୀ ହୋଇଥିଲେ ମଧ୍ୟ ତୁଳନାତ୍ମକ ଭାବେ ସାଧାରଣ ନିର୍ବାଚନ ଠାରୁ ତାଙ୍କୁ କମ୍ ଭୋଟ୍ ମିଳିଛି। ନିର୍ବାଚନରେ ପଡ଼ିଥିବା ୨୨୨୧୨ ଭୋଟରୁ ସେ ୭୮୧୨ ଭୋଟ୍ ପାଇଛନ୍ତି। ସେହିପରି ଲୋକସଭାରେ କଂଗ୍ରେସର ଜର୍ଜ ତିର୍କୀ ଏଠାରେ ୩୪୯୩ ଓ ବିଧାୟକ  ପ୍ରାର୍ଥୀ ଅମିତା ବିଶ୍ବାଳ  ୧୭୮୧ ଭୋଟ୍ ପାଇଥିବା ବେଳେ ପୌରାଧ୍ୟକ୍ଷ ପ୍ରାର୍ଥୀ ସସ୍ମିତା ଯୋଶୀ ମାତ୍ର ୮୫୮ ଭୋଟ୍ ପାଇ ଅମାନତ ହରାଇଛନ୍ତି। ସାଧାରଣ ନିର୍ବାଚନରେ ବିଜେଡି ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ବାଳ ଏଠାରେ ୫୨୩୪ ଓ ବିଧାୟକ   ପ୍ରାର୍ଥୀ ଯୋଗେଶ କୁମାର ସିଂ ୯୬୩୦ ଭୋଟ୍ ପାଇଥିଲେ।

କିନ୍ତୁ ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରଞ୍ଜନା ପଣ୍ତା ମାତ୍ର ୬୫୭୭ ଭୋଟ୍ ପାଇ ପରାଜିତ ହୋଇଛନ୍ତି। ଅନ୍ୟପଟେ ରାଜଗାଙ୍ଗପୁରରେ ଲୋକସଭାରେ ପ୍ରାର୍ଥୀ ଜୁଏଲ ଓରାମ ୧୫୩୯୫ ଓ ବିଧାୟକ  ପ୍ରାର୍ଥୀ  ନରସିଂହ ମିଞ୍ଜ ୧୨୭୨୫ ପାଇଥିବା ବେଳେ ଏଠାରେ ପୌରାଧ୍ୟକ୍ଷ ପ୍ରାର୍ଥୀ କୁଳଦୀପ ସିଂ  ୭୪୧୭ ଭୋଟ୍ ପାଇଛନ୍ତି। ଏଠାରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଜର୍ଜ ତିର୍କୀ ୭୫୯୯ ଓ ବିଧାୟକ ପ୍ରାର୍ଥୀ ରାଜନ ଏକ୍କା ୬୧୩୧ ଭୋଟ୍ ପାଇଥିଲେ। କିନ୍ତୁ ଦଳ ସମର୍ଥିତ  ପୌରାଧ୍ୟକ୍ଷ ପ୍ରାର୍ଥୀ ଜୟଦେବ ଦାଶ ୪୪୭୮ ଭୋଟ୍ ପାଇଛନ୍ତି। ବିଜେଡି ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ବାଳ ଏଠାରେ ୪୨୬୫ ଓ ବିଧାୟକ ପ୍ରାର୍ଥୀ ମଙ୍ଗଳା କିସାନ ୭୬୫୫ ଭୋଟ୍ ପାଇଥିଲେ। ହେଲେ ପୌର ନିର୍ବାଚନରେ ଦଳ ଚମକ ଦେଖାଇଛି।  ପ୍ରାର୍ଥୀ ମାଧୁରୀ ଲୁଗୁନ ରେକର୍ଡ ଭୋଟ୍ ୧୦୯୧୯ ପାଇ ବିଜୟୀ ହୋଇଛନ୍ତି।

ବୀରମିତ୍ରପୁରରେ ୨୦୧୯ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ପୌର ନିର୍ବାଚନରେ ଧରାଶାୟୀ ହୋଇଛି। ଏଠାରେ ଦଳର  ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ୮୪୨୪ ଓ ବିଧାୟକ  ପ୍ରାର୍ଥୀ ଶଙ୍କର ଓରାମ ୬୫୦୪ ଭୋଟ୍ ପାଇଥିବା ବେଳେ ଦଳର ପୌରାଧ୍ୟକ୍ଷ ପ୍ରାର୍ଥୀ ସୁନୀଳ ତିୱାରୀ ୪୪୭୩ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସ ଲୋକସଭା ପ୍ରାର୍ଥୀ ଜର୍ଜ ତିର୍କୀ ଏଠାରେ ୫୬୩୨ ଓ ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ ୩୪୫୦  ଭୋଟ୍ ପାଇଥିଲେ। ହେଲେ ଦଳର ପୌରାଧ୍ୟକ୍ଷ ପ୍ରାର୍ଥୀ ଶଶୀ ସାଗର ୩୬୩୨ ଭୋଟ୍ ପାଇଛନ୍ତି। ଅନ୍ୟପଟେ ବିଜେଡି ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ବାଳ ୨୪୪୦ ଓ ବିଧାନସଭା ପ୍ରାର୍ଥୀ ମଖଲୁ ଏକ୍କା ୩୮୧୮   ଭୋଟ୍ ପାଇଥିବା ବେଳେ ପୌରାଧ୍ୟକ୍ଷ ପ୍ରାର୍ଥୀ ସନ୍ଦୀପ ମିଶ୍ର ସେମାନଙ୍କ ଠାରୁ ଅଧିକ ଅର୍ଥାତ ୮୨୩୦ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର