ହାର ମାନିନାହାନ୍ତି ଜନ୍ମରୁ ଦିବ୍ୟାଙ୍ଗ ଥିବା ୫୦ ବର୍ଷ ବୟସ୍କା କୁମାରୀ; ବିନା ସରକାରୀ ସହାୟତା‌ରେ ଏକାକୀ ଜାରି ରଖିଛନ୍ତି ନିଜର ଜୀବନ ସଂଘ‌ର୍ଷ

ଭଞ୍ଜନଗର: ପିଲାଟି ଦିନରୁ ବାପା ଛାଡି ଚାଲିଗଲେ। ମାଆ ଦୁଇ ଭାଇ ପରିବାରର ସାହାର ହୋଇଥିବା ବେଳେ ଦୁଇ ଭାଇ ମଧ୍ୟ କିଛି ବର୍ଷ ବ୍ୟବଧାନରେ ରୋଗରେ ଆକ୍ରାନ୍ତ ହୋଇ ଦୁହେଁ ଆରପାରିକୁ ଚାଲି ଯାଇଛନ୍ତି। ଭାଗ୍ୟକୁ ଆଦରି ମାଆ ସହ ଯେନତେନ ଚଳି ଆସୁଥିବା ବେ୍ଳେ ମାଆ ମଧ୍ୟ ଜୀବନ ସଂଗ୍ରାମରେ ଦୀର୍ଘ ୨୦ ବର୍ଷ ହେଲା ଏକାକୀ କରି ଆରପାରିକୁ ଚାଲି ଗଲେ। ଏଭଳି ସ୍ଥିତିରେ ଏକାକୀ ହୋଇପଡିଥିବା ବେଳେ ପ୍ରତିଦିନ ବଞ୍ଚିବା ପାଇଁ ସଂର୍ଘଷ କରୁଛନ୍ତି ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୫ରେ ରହୁଥିବା କୁମାରୀ ବେହେରା। ବର୍ତ୍ତମାନ ତାଙ୍କୁ ପାଖାପାଖି ୫୦ ବର୍ଷ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି କୁମାରୀ ଜନ୍ମରୁ ଭିନ୍ନକ୍ଷମ ହୋଇଥିବା ବେଳେ ତାଙ୍କ ପାଖରେ ବର୍ତ୍ତମାନ ଦୁଇଓଳା ଖାଇବା ଯୋଗଡ କରିବା କଷ୍ଟକର ହୋଇପଡିଛି।

କୌଣସି ଅପହଞ୍ଚ କିମ୍ବା ଦୁର୍ଗମ ଇଲାକାରେ ରହିନଥିବା ବେଳେ ଖୋଦ୍ ଗଞ୍ଜାମ ଜିଲ୍ଲାର ସଦର ମହକୁମାର ମୁଖ୍ୟାଳୟ ସହରରେ ବାସ କରୁଥିଲେ ମଧ୍ୟ ସରକାରଙ୍କ ଯୋଜନା ତାଙ୍କ ଠାରୁ ଅପହଞ୍ଚ ହୋଇ ରହିଛି। ଏନ୍ଏସି ଅଧୀନ ୱାର୍ଡ ନମ୍ବର ୫ ରେ ଥିବା ତ୍ରିମୂର୍ତ୍ତି ସାହିରେ ତିନି ହାତର ଟିଣ ଛପର ଘରେ ରହୁଛନ୍ତି। ସରକାରୀ ସହାୟତା କହିଲେ ଭିନ୍ନକ୍ଷମ ଭତ୍ତା ବାବଦକୁ ୫୦୦ ଟଙ୍କା ମିଳୁଛି। ଏହାଛଡା ଆଉ କୌଣସି ସହାୟତା ପାଇନଥିବା ପ୍ରକାଶ କରିଛନ୍ତି। ପିଲାଟି ଦିନରୁ ବାପା ରଘୁନାଥ ବେହେରାଙ୍କ ଦେହାନ୍ତ ଘଟିଥିବା ବେଳେ ମାଆ କନ୍ଧୁଣି ଚାଲିଯିବା ପରେ ଦୀର୍ଘ ୨୦ବର୍ଷ ହେବ ଏକାକୀ ଜୀବନ କାଟୁଛନ୍ତି।

ଭିନ୍ନକ୍ଷମ ହୋଇଥିବାରୁ ନିଜକୁ ରୋଜଗାରକ୍ଷମ ମଧ୍ୟ କରିପାରି ନାହାନ୍ତି। ବହୁ କାକୁତି ମିନତି ହେବା ପରେ ଚାଉଳ କାର୍ଡ ଖଣ୍ଡିଏ ହୋଇଥିଲା। ସେଥିରେ ୨୫ କେଜି ଚାଉଳ ତାଙ୍କୁ ମିଳୁଥିଲା। କିନ୍ତୁ ଚଳିବା କଷ୍ଟକର ହେବାରୁ ସେ କନ୍ଧମାଳ ଜିଲ୍ଲା ଟିକାବାଲି ଜଣେ ବ୍ୟକ୍ତିଙ୍କ ଘରକୁ କେୟାର ଟେକର ଭାବେ କାମ କରିବା ପାଇଁ ଚାଲି ଯାଇଥିଲେ। ସେଠାରୁ ୮ ବର୍ଷ ପରେ ଘରକୁ ଫେରିବା ପରେ ତାଙ୍କର ସେହି କାର୍ଡ କଟିଯାଇଥିବା ଜାଣିବାକୁ ପାଇଥିଲେ। ପୁଣିଥରେ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ସଂଯୋଗ କରିବା ପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଥିରୁ ବଞ୍ଚିତ ରହିଥିବା ପ୍ରକାଶ କରିଛନ୍ତି। ଏଥିସହ ଘରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ସରକାରୀ ମାଗଣା ବିଦ୍ୟୁତ୍ ସଂଯୋଗ ଟିଏ କରିବା ପାଇଁ ସେ ନିବେଦନ କରିଛନ୍ତି।

ଟିକାବାଲିରୁ ଫେରିବା ପରେ ସଂର୍ପକୀୟ ମାନଙ୍କ ଘରେ କିଛି ଦିନ କାଟିଥିବା ବେଳେ କିଛି ବର୍ଷ ହେବ ଏକାକୀ ଏଠାରେ ରହୁଛନ୍ତି। ସାହି ପଡୋଶୀକୁ କିଛି ମାଗିଯାଚି ଚଳୁଥିବା ବେଳେ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ସଫା ସୁତୁରା କାମ କରିଲେ ମନ୍ଦରରୁ ଗୋଟିଏ ପାରସୁ ମିଳେ ବୋଲି କୁମାରୀ କହିଛନ୍ତି। ପେଟ ନ ପୁରିଲେ ମଧ୍ୟ ସେଥିରେ ଦୁଇଓଳା ଚଳାଇନେବାକୁ ପଡୁଛି ବୋେଲି କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି। ତାଙ୍କର ଏହି ଅବସ୍ଥା ସଂର୍ପକରେ ଜାଣିବାକୁ ପାଇ ସାଇବାବା ଏସ୍ଏସ୍ଜିର ସଭାପତି ଗୀତାଞ୍ଜଳି ତ୍ରିପାଠି ସହାୟତାର ହାତ ବଢାଇବା ସହ ପିଏଚ୍ଡି ବିଭାଗ ସହ ଯୋଗାଯୋଗ କରି ଘର ସାମ୍ନାକୁ ପାଇପ ପାଣି ବ୍ୟବସ୍ଥା କରାଇ ପାରିଛନ୍ତି। ଏଥିସହ ରାସନ କାର୍ଡ କରିବା ପାଇଁ ଏନ୍ଏସି ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର