ବ୍ୟାସନଗର/ରାମଚନ୍ଦ୍ରପୁର: ପ୍ଲାଟଫର୍ମରେ ଖସିପଡ଼ିଲେ ଜଣେ ଦିବ୍ୟାଙ୍ଗ ଯୁବକ। ଟ୍ରେନ୍ ମାଡ଼ିଯାଇ ୨ ଗୋଡ଼ ଶରୀରରୁ ଅଲଗା ହୋଇଗଲା। ଯାଜପୁର ରୋଡ ରେଳଷ୍ଟେସନ୍ର ଦୁଇ ନମ୍ବର ପ୍ଲାଟଫର୍ମରେ ଦୀର୍ଘ ସମୟ ଧରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ। ରେଳବାଇ ପୁଲିସ ଆଡ଼ଆଖିରେ ଦେଖିଲାନି। କେବଳ ସେତିକି ନୁହେଁ, ଆମ୍ବୁଲାନ୍ସ ମଧ୍ୟ ଆସି ନଥିଲା। ଦିବ୍ୟାଙ୍ଗଙ୍କ ସାନଭାଇ ଏକ ଟ୍ରଲିରେ ଆହତ ଯୁବକଙ୍କୁ ଡାକ୍ତରଖାନାକୁ ନେଇଥିଲେ। ପ୍ରଥମେ ଯାଜପୁରରୋଡ଼ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ତରୁଆଁ ଗ୍ରାମର ମୂକବଧିର ଯୁବକ ଅର୍ଜୁନ କୁମାର ଭଞ୍ଜ(୩୬)।
ତରୁଆଁ ଗ୍ରାମର ହରିଶ୍ଚନ୍ଦ୍ର ଭଞ୍ଜଙ୍କ ତିନିପୁଅ ମଧ୍ୟରେ ମଝିଆ ପୁଅ ଅର୍ଜୁନ। ଜନ୍ମରୁ ମୂକ ଓ ବଧିର। ନିଜେ ସବୁ କାମଧନ୍ଦା କରୁଥିଲେ। ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କ ସାନଭାଇ ଶରତ ଓ ସମ୍ପର୍କୀୟ ଲୋକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ନେଉଥିଲେ। ମାତ୍ର ଅର୍ଜୁନ ପ୍ଲାଟଫର୍ମ ପାର ହେଉଥିବା ବେଳେ ଅସାବଧାନତା ହେତୁ ଗୋଡ ଖସିଯିବାରୁ ଏକ ମାଲବାହୀ ଟ୍ରେନରେ ଗୋଡ଼ କଟିଯାଇଥିଲା। ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା।
କଥା କହିପାରୁ ନଥିବା ଅର୍ଜୁନ ପ୍ଲାଟଫର୍ମ ଉପରେ ଛଟପଟ ହେଉଥିବା ବେଳେ ତାଙ୍କ ସାନଭାଇ ଚିତ୍କାର କରୁଥିଲେ। ମାତ୍ର ରେଳବାଇ ପୁଲିସକୁ ତାଙ୍କ ସାନ ଭାଇର ଚିତ୍କାର ଶୁଭି ନଥିଲା। ଏଥିପ୍ରତି ଧ୍ୟାନ ଦେଇ ନଥିଲା। ନିୟମ ଅନୁଯାୟୀ ପ୍ଲାଟଫର୍ମରେ କିଛି ଅଘଟଣ ଘଟିଲେ ରେଲବାଇ ପୁଲିସ ତୁରନ୍ତ ଆହତଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇବା ସହିତ ପରିବାର ଲୋକଙ୍କୁ ଖବର ଦେବେ। ମାତ୍ର ଯାଜପୁର ରୋଡ଼ ରେଳବାଇ ଥାନା ପୁଲିିସ ମାନବିକତା ଭୁଲିଗଲା। ଡାକ୍ତରଖାନାରେ ପହଞ୍ଚାଇବା ତ ଦୂରର କଥା ଷ୍ଟ୍ରେଚରଟିଏ ବି ଦେଲା ନାହିଁ।
ଘଟଣା ପରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ମାତ୍ର ଆମ୍ବୁଲାନ୍ସ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ଆସି ନଥିଲା। ପରିବାର ଲୋକେ ଏକ ଟ୍ରଲିରେ କଟାଗୋଡ଼ ସହ ଅଜୁର୍ନଙ୍କୁ ନେଇ ଡାକ୍ତରଖାନାକୁ ଯାଇଥିଲେ। ପ୍ରଥମେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ଦିନ ପ୍ରାୟ ସାଢ଼େ ୩ଟା ବେଳେ ମୃତ୍ୟୁ ହୋଇଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jajpur-road.jpg)