ପରିବାର ଲୋକଙ୍କ କଥା ଶୁଣିଲେନି କବିତା, ଦିବ୍ୟାଙ୍ଗ ତାପସଙ୍କୁ ବାଛିନେଲେ ଜୀବନ ସାଥୀ

ଚିତ୍ରଡ଼ା: ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଛି ଏକ ନିଆରା ବାହାଘର। ସାରା ଜୀବନ ପାଇଁ ଦିବ୍ୟାଙ୍ଗ ତାପସଙ୍କ ହାତଧରିଲେ କବିତା। ଏଭଳି ଏକ ନିଆରା ବାହାଘର ପାଇଁ ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୋରଡ଼ା ପଞ୍ଚାୟତ ମାଳିହତା ଗ୍ରାମର ଛତିଶ ଚନ୍ଦ୍ର ରାଉତଙ୍କ ଦିବ୍ୟାଙ୍ଗ ପୁଅ ତାପସ ରାଉତ (୩୭) ଜନ୍ମରୁ ଦିବ୍ୟାଙ୍ଗ। ଏମିତି କି ନିଜର ସବୁ କାର୍ଯ୍ୟ ପାଇଁ ସେ ଅନ୍ୟ ଉପରେ ନିର୍ଭର କରିଥାନ୍ତି।

ତେବେ ଦିବ୍ୟାଙ୍ଗ ହୋଇଥିବାରୁ ବିବାହର ବୟସ ହୋଇଥିଲେ ହେଁ ତାପସଙ୍କୁ କେହି ଝିଅ ଦେବାକୁ ରାଜି ହେଉନଥିଲେ କିମ୍ବା ବିବାହ କରିବାକୁ କୌଣସି ଝିଅ ରାଜି ହେଉନଥିଲେ। ତେବେ ଇତିମଧ୍ୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରଙ୍ଗାମାଟିଆ ଅଞ୍ଚଳର ଯୁବତୀ କବିତା ସିଂ (୨୫)ଙ୍କ ସହିତ ସାକ୍ଷାତ ହୁଏ ତାପସଙ୍କର ଏବଂ ତାପସ, କବିତାଙ୍କ ମୋବାଇଲ ନମ୍ବର ମାଗି ଆଣି ଫୋନରେ କବିତାଙ୍କୁ ଆଇ ଲୋଭ ୟୁ ବୋଲି କହିବାରୁ କବିତା ଉତ୍ତରରେ ଆଇ ଲୋଭ ୟୁ ଠୁ ବୋଲି ତାପସ ଙ୍କୁ କୁହନ୍ତି।

ପ୍ରେମ ଧିରେ ଧିରେ ନିବିଡ଼ ହୋଇ ବିବାହ ପର୍ଯ୍ୟନ୍ତ ପହଞ୍ଚି ଯାଏ। କିନ୍ତୁ ଉଭୟଙ୍କ ବିବାହ ପାଇଁ ଉଭୟ ପରିବାର ରାଜି ନଥିବାରୁ ଶେଷରେ ଦୁହେଁ ପରିବାର କଥାକୁ ଖାତିର ନକରି ପ୍ରଥମେ ନୋଟାରି ଏବଂ ପରେ ମନ୍ଦିରରେ ନିରାଡ଼ମ୍ବର ଭାବେ ଗତ ବୁଧବାର ଦିନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। କିଛି ଜଣ ସାଙ୍ଗ ସାଥିଙ୍କ ଗହଣରେ ପ୍ରଥମେ ବାରିପଦା ନୋଟାରିରେ ଦୁହେଁ ବିବାହ କରିବା ପରେ ବାରିପଦା ବଡ଼ ବଜାରସ୍ଥିତ ଏକ ମନ୍ଦିରରେ ଭଗବାନଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ସୂଚନାଯୋଗ୍ୟ କି ଦିବ୍ୟାଙ୍ଗ ହେଲେ ବି ତାପସ ନିଜେ ସ୍ୱାବଲମୀ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାର ଯୋଗାଉଛନ୍ତି। ତାପସଙ୍କ ଦୁଇଟି ଟ୍ରାକ୍ଟର, ଗୋଟିଏ ପିକଅପ ଏବଂ ଗୋଟିଏ ଟେମ୍ପୋ ଅଛି ଏବଂ ପରିବାର ଚଳାଇବା ପାଇଁ ତାଙ୍କ ରୋଜଗାର କିଛି କମ ନୁହେଁ। ସୌରଭ ରଞ୍ଜନ ମହାନ୍ତି, ସରସ୍ୱତୀ ମହାନ୍ତି, ସାବତ୍ରୀ ରାଉତ, ମାନୁ ବେହେରା, ଦେବେନ୍ଦ୍ର ପରିଡ଼ା, ସବିତା ବେହେରା, ଶିଶିର ବେହେରା, ସସ୍ମିତା ଟାଉତ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଉକ୍ତ ଦମ୍ପତିଙ୍କ ବିବାହରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର