ପରିଜନଙ୍କୁ ହରାଇବାଠୁ ବଳିପଡ଼ୁଛି ଚିହ୍ନଟ କଷ୍ଟ

ଡିଏନ୍‌ଏ ରିପୋର୍ଟ କହିବ ଜହର ଅଲ୍ଲୀଙ୍କ ସମ୍ପର୍କୀୟ କିଏ?

ଭୁବନେଶ୍ବର : ଡିଏନ୍‌ଏ ରିପୋର୍ଟ କହିବ ବାହାନଗା ରେଳ ଦୁର୍ଘଟଣା‌ରେ ମୃତକ ଜହରଅଲ୍ଲୀଙ୍କ ସମ୍ପର୍କୀୟ କିଏ? ପଶ୍ଚିମବଙ୍ଗ ଅଧିବାସୀ ଜହର ଅଲ୍ଲୀଙ୍କ ଶବକୁ ନେଇ ବିବାଦ ସୃଷ୍ଟି ହେବା ପରେ ପଶ୍ଚିମବଙ୍ଗ ହେଲ୍ପ ଡେସ୍କର ପଦସ୍ଥ ପୁଲିସ୍‌ ଅଧିକାରୀ ଏହି ମନ୍ତବ୍ୟ ଦେଇଛନ୍ତି।

ସୋମବାର ମଧ୍ୟାହ୍ନରେ ଜହରଅଲ୍ଲୀଙ୍କ ଶବ ନେବା ପାଇଁ ତାଙ୍କ ସମ୍ପର୍କୀୟ ଇର୍ସାଦ ଅଲ୍ଲୀ ପହଞ୍ଚିଥିଲେ। ମାତ୍ର ଶବଗୃହରେ ଜହରଙ୍କ ଶବ ନଥିଲା। ପୂର୍ବରୁ ଅନ୍ୟ କେହି ନେଇଯାଇଥିବା ଜଣାପଡ଼ିଥିଲା। ଶବ ନେଇଥିବା ବ୍ୟକ୍ତିଜଣକ ମଧ୍ୟ ପଶ୍ଚିମବଙ୍ଗର। ଅଭିଯୋଗ ଏମ୍‌ସରେ ଖୋଲିଥିବା ପଶ୍ଚିମବଙ୍ଗର ହେଲ୍ପଡେସ୍କ ପାଖକୁ ଯିବା ପରେ ଏହାକୁ ନେଇ ତଦନ୍ତ କରାଯିବ ଏବଂ ଇର୍ସାଦଙ୍କୁ ଘରକୁ ଚାଲିଯିବା ପାଇଁ କୁହାଯାଇଥିଲା।

‌ତେବେ ଜହର ଅଲ୍ଲୀଙ୍କ ପ୍ରକୃତ ସମ୍ପର୍କୀୟ କିଏ? ଇର୍ସାଦ ନା ପୂର୍ବରୁ ତାଙ୍କ ଶବ ନେଇଯାଇଥିବା ସେ ବ୍ୟକ୍ତି। ବର୍ତ୍ତମାନ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ମିଳୁଥିବାରୁ ସେଇ ଲୋଭରେ କେହି ଅସାଧୁ ନିଜକୁ ମୃତକଙ୍କ ସଂପର୍କୀୟ ଦାବି କରୁନାହାନ୍ତି ତ? ନା ଶବର ମୁହଁ ବିକୃତ ହୋଇଯାଇଥିବାରୁ ଭୁଲ୍‌ରେ ଅଦଳବଦଳ ହୋଇଛି?

ମରଶରୀରଙ୍କ ଫଟୋ ଅଛି କିନ୍ତୁ କେଉଁଠି ଅଛନ୍ତି ଜଣାପଡ଼ୁନି
ବାଲେଶ୍ବର-ଭୁବନେଶ୍ବର ସମନ୍ବୟ ଅଭାବ ଜଳ ଜଳ

ନିଜ ପ୍ରିୟଜନଙ୍କ ଶବ ନେବା ପାଇଁ ଭୁବନେଶ୍ବର ଏମ୍‌ସକୁ ଆସିଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ବହୁ ଶବ ବିକୃତ ହୋଇଯାଇଥିବା ବେଳେ ବାଲେଶ୍ବର ଏବଂ ଭୁବନେଶ୍ବର ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବ, ତ୍ରୁଟିପୂର୍ଣ୍ଣ ଟ୍ୟାଗିଂ ଆଦି ଅବ୍ୟବସ୍ଥା ଯୋଗୁଁ ଲୋକ ହଇରାଣ ହେଉଛନ୍ତି। ପରିଜନଙ୍କୁ ହରାଇବା ଦୁଃଖଠାରୁ ତାଙ୍କୁ ଖୋଜିବା କଷ୍ଟ ବଳି ପଡ଼ିଛି।

‌ସେହିପରି ବିହାରର ଶଙ୍କର କାମତ ଏବଂ ସୁମିତଙ୍କୁ ଖୋଜିବା ପାଇଁ ତାଙ୍କ ସଂପର୍କୀୟ ଅନିଲ କାମତ ବିହାରରୁ ଓଡ଼ିଶା ଆସିଥିଲେ। ବାଲେଶ୍ବରରେ ଜାଣିବାକୁ ପାଇଥିଲେ ଯେ ଉଭୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଛି ଏବଂ ମରଶରୀର ଭୁବନେଶ୍ବରକୁ ପଠାଇ ଦିଆଯାଇଛି। ସେମାନଙ୍କ ଫଟୋ, ଟ୍ୟାଗ୍‌ ନମ୍ବର ତାଙ୍କୁ ଧରାଇ ଦିଆଯାଇଥିଲା। ଏଠି ସୁମିତଙ୍କ ଶବକୁ ଚିହ୍ନଟ କରାଯାଇପାରିଲା। କିନ୍ତୁ ଶଙ୍କରଙ୍କ ଶବ କେଉଁଠି ଅଛି, ତାହା ଜଣାପଡ଼ୁନାହିଁ। ବିଏମ୍‌ସି ପକ୍ଷରୁ ଖୋଲାଯାଇଥିବା ହେଲ୍ପଡେସ୍କର କମ୍ପ୍ୟୁଟର୍‌ ସ୍କ୍ରିନରେ ଆମୂଳଚୁଳ ସମସ୍ତଙ୍କ ଫଟୋ ବାରମ୍ବାର ଦେଖିଲେ ମଧ୍ୟ ଭାଣିଜୀଙ୍କ ସ୍ବାମୀଙ୍କୁ ସେ ଚିହ୍ନଟ କରିପାରିଲେ ନାହିଁ। ମଧୁବନୀ ଜିଲ୍ଲାର ବିଜୟ ନିଜ ଭାଇ ସୁମିତ ଏବଂ ଶଙ୍କରଙ୍କ ମରଶରୀର ଖୋଜୁଥିବା ବେଳେ କେବଳ ଜଣଙ୍କୁ ପାଇ ଅନ୍ୟ ଜଣଙ୍କୁ ନ ପାଇବାରୁ ବାରମ୍ବାର କାନ୍ଦି ପକାଉଥିଲେ।

ଝାଡ଼ଖଣ୍ଡର ଜ୍ଞାନଚାନ୍ଦ କୁମାରଙ୍କ ଦୁଃଖ ଆହୁରି ଅଧିକ। ସାନ ଭାଇ ସୋନୁ କୁମାରଙ୍କ ଶବ ନେବାକୁ ଏମ୍‌ସ ଆସିଥିଲେ। ପ୍ରୋଜେକ୍ଟରରେ ଭାଇର ମରଶରୀରକୁ ଚିହ୍ନଟ ମଧ୍ୟ କଲେ, କିନ୍ତୁ ସେଥିରେ କୌଣସି ଟ୍ୟାଗ୍‌ ନମ୍ବର ନଥିବାରୁ ପ୍ରକୃତରେ ଏହା କେଉଁ ଡାକ୍ତରଖାନାରେ ଅଛି, ସେ ଜାଣିପାରୁନାହାନ୍ତି। ଖବର ଲେଖାହେବା ବେଳକୁ ସେ ଭାଇର ମରଶରୀର ପାଇ ନଥିଲେ।

ପଶ୍ଚିମବଙ୍ଗ ମୁର୍ସିଦାବାଦର ହାରୁନ ବାଦସାଙ୍କୁ ଖୋଜିବା ପାଇଁ ତାଙ୍କ ବାପା ଏବଂ ଦାଦା ବାଲେଶ୍ବରରେ ପହଞ୍ଚିଥିଲେ। ସେଠାରେ ଜାଣିଲେ ତାଙ୍କ ପୁଅଙ୍କୁ ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ପୁଅ ଆଉ ଜୀବିତ ନାହିଁ। ତାଙ୍କ ପାର୍ଥିବ ଶରୀରକୁ ଡାକ୍ତରଖାନା କର୍ତ୍ତୃପକ୍ଷ କେଉଁଠିକୁ ପଠାଇଛନ୍ତି କହିପାରିଲେ ନାହିଁ। ବାଧ୍ୟ ହୋଇ ବାପା ଖୋଜିଖୋଜି ଭୁବନେଶ୍ବରରେ ପହଞ୍ଚିଲେ। ଗତକାଲି ଦିନତମାମ ବାଉଳା ହୋଇ ଏମ୍‌ସ, କିମ୍‌ସ, ସମ, କ୍ୟାପିଟାଲ ଡାକ୍ତରଖାନା ବୁଲିଲେ। ଶେଷରେ ସ୍ଥାନୀୟ ଜଣେ ସମାଜସେବୀଙ୍କ ସହାୟତାରେ ପୁନର୍ବାର ଏମ୍‌ସରେ ଖୋଲିଥିବା ବିଏମ୍‌ସର ହେଲ୍ପଡେସ୍କର ପ୍ରୋଜେକ୍ଟରରେ ହାରୁନଙ୍କ ମରଶରୀର ହାଇଟେକରେ ରଖାଯାଇଥିବା ଜଣାପଡ଼ିଥିଲା। ବହୁତ କଷ୍ଟରେ ସଂଧ୍ୟାରେ ହାଇଟେକ୍‌ରେ ପହଞ୍ଚି ନିଜ ପୁଅକୁ ଚିହ୍ନଟ କରିଛନ୍ତି।

ଉପରୋକ୍ତ ଘଟଣାଗୁଡ଼ିକ କେବଳ ଗୋଟିଏ ଗୋଟିଏ ଉଦାହରଣ ମାତ୍ର। ଏମାନଙ୍କ ଭଳି ବହୁ ଲୋକ ନିଜ ପ୍ରିୟଜନଙ୍କ ମରଶରୀର ପାଇଁ ବାରଦୁଆର ହୋଇ ଯେଉଁ କଷ୍ଟ ପାଇଛନ୍ତି, ତାହା ଅବର୍ଣ୍ଣନୀୟ। କେଉଁ ଡାକ୍ତରଖାନାରେ କାହାର ଶବ ଅଛି, ତାକୁ ନେଇ ସ୍ବତନ୍ତ୍ର ଫଟୋ ଫାଇଲ ବିଏମ୍‌ସି ପକ୍ଷରୁ ପ୍ରୋଜେକ୍ଟରରେ ଦେଖାଯାଉଛି। ସାମାଜିକ ସଂଗଠନମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ହେଲେ ଅନେକ ମରଶରୀର ରହିଯାଇଛି, ପ୍ରକୃତରେ ସେମାନେ କେଉଁଠି ଅଛନ୍ତି ତାହା ଜଣା ପଡ଼ୁ ନାହିଁ। ଏହାବ୍ୟତୀତ ଅନେକ ବ୍ୟକ୍ତି ଅଛନ୍ତି ସେମାନେ ଆଜି ବି ପରିଜନ ବଞ୍ଚିଛନ୍ତି କି ନାହାନ୍ତି, ତାହା ଜାଣିପାରୁନାହାନ୍ତି।

ସମ୍ବନ୍ଧିତ ଖବର