ରାଉରକେଲାରେ କଣ୍ଟେନମେଣ୍ଟ ଓ ବଫର ଜୋନର ସ୍ଥିତି ଅନୁଧ୍ୟାନ କଲେ ଡିଆଇଜି,କମିସନର

ରାଉରକେଲା : ବିଶ୍ରା ଗୁଡଗୁଡଜୋରରେ ଦୁଇ, ରାଉରକେଲା ନାଲାରୋଡରେ ଜଣେ କରୋନା ପଜିଟିଭ ଚି଼ହ୍ନଟ ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ l ରାଉରକେଲା ନାଲାରୋଡ ଓ ଏହା ସଂଲଗ୍ନ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି l ଏଥିପାଇଁ ୧୨ଟି ସ୍ଥାନରେ ବ୍ୟାରିକେଟ କରାଯାଇଛି l ଆଜି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା , ରାଉରକେଲା ଏସପି କେ ଶିବ ସୁବ୍ରମଣୀଙ୍କ ସମେତ ବରିଷ୍ଠ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି l

ଡିଆଇଜି ଜାଲାନ ସେଠାରେ ଡ୍ୟୁଟି କରୁଥିବା ପୁଲିସଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ l ସେପଟେ ପ୍ଲାଣ୍ଟସାଇଟ, ପାୱାରହାଉସ ରୋଡ, ବଫର ଜୋନର ମୁଖ୍ୟ ରାସ୍ତାକୁ ବିଶୋଧନ କରାଯାଇଛି l ଏଥିସହ ଆରଏମସିର ୩୦ ଟିମ କଣ୍ଟେନମେଣ୍ଟ ଜୋନର ଗଳିକନ୍ଦି ବୁଲି ବୁଲି ବିଶୋଧନ କରୁଛନ୍ତି l ଅନ୍ୟ ୧୪ଟି ଟିମ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି l

ସେହିପରି ମେଡିକାଲ ଟିମ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପଡୋଶୀ ସମ୍ପର୍କୀୟଙ୍କ ସହ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି l ଲକ୍ଷଣ ଥିବା ଲୋକଙ୍କ ପଞ୍ଜିକରଣ କରାଯାଉଛି l ପରେ ସେମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷଣ ପାଇଁ ଆଇଜିଏଚକୁ ପଠାଯିବ ବୋଲି ଜଣାପଡିଛି l କଣ୍ଟେନମେଣ୍ଟ ଜୋନରେ ତିନି ହଜାରରୁ ଅଧିକ ଘର ରହିଥିବାରୁ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ନିଶ୍ଚିତ ଭାବେ ଅଧିକ ସମୟ ଲାଗିପାରେ l

ସମ୍ବନ୍ଧିତ ଖବର