ମମିତା ହତ୍ୟା ମାମଲା: ନିଜ ମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ଦେଲେ ଡିଆଇଜି!

‘ମମିତା ରାୟପୁର ଯାଇ ନାହାନ୍ତି କି ମାମଲାରେ ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ’

ସମ୍ବଲପୁର : ମମିତା ରାୟପୁର ଯାଇନଥିଲେ କିମ୍ବା ତାଙ୍କ ହତ୍ୟାକାଣ୍ଡରେ ତୃତୀୟ ପକ୍ଷର ସମ୍ପୃକ୍ତି ନାହିଁ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହରେ ହତ୍ୟା ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଶନିବାର ସାମ୍ବାଦିକ ସମ୍ମିଳନୀ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ପରୋକ୍ଷରେ ଡିଆଇଜି ଜଣାଇ ଦେଇଛନ୍ତି ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ମମିତା ମାମଲାରେ ଆଦୌ ସମ୍ପୃକ୍ତି ନାହିଁ। ସରଳ ଭାବରେ କହିଲେ ନିଜ ମନ୍ତ୍ରୀଙ୍କୁ ଆଜି ଡିଆଇଜି ଏକ ପ୍ରକାର କ୍ଲିନ୍‌ଚିଟ୍‌ ଦେଇଛନ୍ତି।

ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟର ସମ୍ମିଳନୀ‌ କକ୍ଷରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ଉପସ୍ଥିତିରେ କହିଛନ୍ତି ଯେ ମମିତା ମେହେର ହତ୍ୟା ଘଟଣାରେ ଗତ ଅକ୍ଟୋବର ୧୩ ତାରିଖ ରାତି ୧୨ଟା ୫୦ରେ ମାମଲା ରୁଜୁ ହେବା ସହ କୋର୍ଟକୁ ମାମଲା ପଠାଯାଇଥିଲା। ଏଥି ସହ ସିସିଟିଏନ୍‌ଏସ୍‌ ଜରିଆରେ ଏଫ୍‌ଆଇଆର୍‌ ବରିଷ୍ଠ ଅଧିକାରୀଙ୍କ ପାଖକୁ ଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଏହା ଅପଲୋଡ଼ ମଧ୍ୟ ହୋଇଥିଲା। କୋର୍ଟକୁ ବିଳମ୍ବରେ ମାମଲା ଆସିଥିବା ଅଭିଯୋଗ ଭିତ୍ତିହୀନ।

ଡିଆଇଜି ଦୀପକ କୁମାର କହିଛନ୍ତି ଯେ ପୁଲିସ ‌ଉଦ୍ଦେଶ୍ୟମୂଳକ ଭାବେ ମାମଲାର ତଦନ୍ତ କରିବାରେ ବିଳମ୍ବ କରିନାହିଁ। ଗତ ଅକ୍ଟୋବର ୧୪ ଓ ୧୫ ତାରିଖ ଦଶହରା ଛୁଟି ଥିଲା। ଏହାର ପରବର୍ତ୍ତୀ କାର୍ଯ୍ୟଦିବସ ୧୬ ଅକ୍ଟୋବରରେ ମାମଲା ମାଜିଷ୍ଟ୍ରେଟଙ୍କ ପାଖକୁ ଯାଇଥିଲା। ପୁଲିସ ପେଶାଦାର ମନୋବୃତ୍ତି ନେଇ ଅତ୍ୟନ୍ତ ନିଷ୍ଠାର ସହିତ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରୁଛି। ମାମଲାକୁ ଗୁରୁତ୍ବ ଦେଇଛି। ଯେଉଁ ସବୁ କାଗଜପତ୍ର ସଂଗ୍ରହ ହୋଇଛି, ତାହା ମାମଲାର ବିଚାର ବେଳେ ଯାଞ୍ଚ ହେବ ଏବଂ ଦୋଷୀ ନିଶ୍ଚିତ ଭାବେ ଦଣ୍ଡ ପାଇବ। ପୁଲିସ ଏହି ମାମଲାରେ ସଠିକ୍‌ ଭାବରେ ତଦନ୍ତ କରୁଛି। ସିଆର୍‌ପିସିର ଧାରା ୧୬୧ରେ ୧୦ ଜଣ ସାକ୍ଷୀ ଏବଂ ୧୬୪ରେ ୧୦୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇସାରିଛି। ପୀଡ଼ିତା ରାୟପୁର ଯାଇଥିବା ନେଇ ଏପର୍ଯ୍ୟନ୍ତ ସେଭଳି କିଛି ତଥ୍ୟ ମିଳିନାହିଁ। ହତ୍ୟା ପଛର ଉଦ୍ଦେଶ୍ୟ କଣ ପୂର୍ବରୁ ଆମେ କହିସାରିଛୁ ବୋଲି ଶ୍ରୀ କୁମାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ମମିତା ମେହେର ରାୟପୁର ଯିବା ନେଇ ପୁଲିସ ପାଖରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ମମିତା ମୃତ୍ୟୁ ଘଟଣା ସହିତ ୩ୟ ବ୍ୟକ୍ତିର କୌଣସି ସଂପୃକ୍ତି ଥିବା ଜଣାପଡ଼ି ନାହିଁ ବୋଲି ଡିଆଇଜି ସ୍ପଷ୍ଟ କରିଥିଲେ।

ସୂଚନାଯୋଗ୍ୟ ଯେ ମମିତା ହତ୍ୟାକାଣ୍ଡରେ ପୁଲିସ ତଦନ୍ତ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଥିଲେ। କୋର୍ଟରେ ଦାଖଲ ହୋଇଥିବା କେସ୍‌ ଡାଏରି ଧରି ସେ ପୁଲିସ ଉପରେ ବର୍ଷିଥିଲେ।

ସମ୍ବନ୍ଧିତ ଖବର