ଭୁବନେଶ୍ବର: ନଚିକେତା ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସ୍ବର୍ଗତ ପ୍ରଫେସର ଦିଗମ୍ବର ମିଶ୍ରଙ୍କ ଉଦ୍ଦେଶ୍ୟରେ ‘ସ୍ମୃତିରେ ଦିଗମ୍ବର’ ଆୟୋଜିତ ହୋଇଯାଇଛି। ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ରାଜନେତା, ପ୍ରଶାସକ, କବି, ଲେଖକ ଓ ବୁଦ୍ଧିଜୀବୀ ଯୋଗଦେଇ ‘ଦିଗମ୍ବର ମିଶ୍ର ଥିଲେ ଆମେରିକା ଓ ଓଡ଼ିଶା ଭିତରେ ସୁବର୍ଣ୍ଣ ସେତୁ’ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଯୋଗଦେଇ କହିଥିଲେ, ଦିଗମ୍ବର ଭାଇନା ଆମେରିକାରେ ବହୁ ବର୍ଷ ରହିଥିଲେ ମଧ୍ୟ ଓଡ଼ିଶାକୁ ସବୁବେଳେ ନିଜ ପାଖରେ ରଖିଥିଲେ। ଆମେରିକାରେ ଥିବା ଓଡ଼ିଆଙ୍କ ପାଖରେ ସେ ସବୁବେଳେ ଚର୍ଚ୍ଚା ଓ ଭଲ ପାଇବାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲେ।
ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଯୋଗଦେଇ କହିଥିଲେ ସ୍ବର୍ଗତ ଦିଗମ୍ବର ବାବୁ ଓଡ଼ିଶାର ଲୋକଙ୍କ ପାଇଁ ଆମେରିକାରେ ଭୀଷ୍ମ ପିତାମହ ଭଳି ଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ଆମେ ସମସ୍ତେ ଆନନ୍ଦିତ ହେବା କଥା ଯେ, ସେ ଜୀବନକୁ କେବଳ ଉପଭୋଗ କରି ନାହାନ୍ତି ଆମ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି। ବିଦେଶରେ ରହି ଓଡ଼ିଶାକୁ ଭଲ ପାଉଥିବା ଲୋକଙ୍କ ତାଲିକା ତିଆରି କଲେ ସେ ନିଶ୍ଚୟ ଶୀର୍ଷରେ ରହିବେ। ତେଣୁ ଏହା ଶୋକସଭା ନୁହେଁ, ବରଂ ଏହାକୁ ସତ୍ସଙ୍ଗ ବୋଲି ବିଚାର କରାଯିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ତାଙ୍କ ପ୍ରେରଣାରେ ଅନ୍ଲାଇନ୍ରେ ଓଡ଼ିଆ ଶିଖିବା ଭଳି ପଦେକ୍ଷପ ନେଇଥିଲୁ। ଆମ ସାମାଜିକ ଜୀବନକୁ ସଜାଡ଼ିବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହିଥିଲେ।
ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ପରାମର୍ଶରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ପ୍ରସ୍ତୁତ କରାଯାଇଥିଲା ବୋଲି କହିଥିଲେ। ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ଭାଜପା ନେତା ପ୍ରିୟଦର୍ଶୀ ମିଶ୍ର, କଂଗ୍ରେସ ନେତା ସୁଦର୍ଶନ ଦାସ, ଅଧ୍ୟାପକ ବିଶ୍ୱରଞ୍ଜନ, ନିରଞ୍ଜନ ବାରିକ, କବି ସୌଭାଗ୍ୟ କୁମାର ମିଶ୍ର, କବି ସୂର୍ଯ୍ୟ ମିଶ୍ର, ବିଜୟାନନ୍ଦ ସିଂହ ତାଙ୍କ ସହ ବିତାଇଥିବା କଥା ମନେ ପକାଇବା ସହ ଓଡ଼ିଆ ଅସ୍ମିତାକୁ ଆଗକୁ ବଢ଼ାଇବାରେ ଆମେରିକାରେ ଥିବା ଦିଗମ୍ବର ବାବୁ ସର୍ବାଗ୍ରେ ରହିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା କଥାକାର ଗୌରହରି ଦାସ ଯୋଗଦେଇ କହିଥିଲେ, ଡ. ଦିଗମ୍ବର ମିଶ୍ର ୧୯୩୮ ମସିହା ମେ ମାସ ୮ ତାରିଖରେ ଯାଜପୁରଜିଲ୍ଲା କମଳପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରେ ପାଠ ସାରି ଗବେଷଣା ଲାଗି ଆମେରିକା ଯାଇଥିଲେ ଏବଂ ସେଇଠି ରହିଯାଇଥିଲେ। ଆମେରିକା ଓ ଓଡ଼ିଶା ସହ ତାଙ୍କର ସମ୍ପର୍କ ସବୁବେଳେ ଅନ୍ତରଙ୍ଗ ଥିଲା। ଓଡ଼ିଶାର ସାଧାରଣ ଜନଜୀବନ, ରାଜନୀତି, ସାହିତ୍ୟ ସଂସ୍କୃତି ସହ ସମ୍ପର୍କ ଖୁବ ନିବିଡ଼ ଥିଲା। ତାଙ୍କର ବିୟୋଗ ବାସ୍ତବରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଥିଲେ। ସୂର୍ଯ୍ୟମଣି ତ୍ରିପାଠୀ ଧନ୍ୟବାଦ ଦେଇଥିବା ବେଳେ ନଚିକେତା ଫାଉଣ୍ଡେସନ୍ ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରିୟବ୍ରତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିଳ୍ପୀ ବିବେକ ରାଉତ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରଚିତ ‘ ଜୀବନ ପାତ୍ର ମୋ ଭରିଛ କେତେ ମତେ..’ ଗାନ କରିଥିଲେ।