ଦିଗପହଣ୍ଡି ବ୍ଲକ୍‌ ମନରେଗା ଅନୁଦାନ: ଜଙ୍ଗଲ ଜମିରେ ୫୦ ଲକ୍ଷର ପୋଖରୀ, ଶିଶୁ ଉଦ୍ୟାନ

ବନବିଭାଗ ଅଧିକାରୀ, ଚିକିଟି ବ୍ଲକ୍‌ ପ୍ରଶାସନ ଜାଣିନାହାନ୍ତି

ଚିକିଟି: ଅନୁଦାନ ନିର୍ଦ୍ଦିଷ୍ଟ ଏକ ବ୍ଲକ୍‌ର। କିନ୍ତୁ ମନରେଗା କାମ ହୋଇଛି ପଡ଼ୋଶୀ ତହସିଲରେ। ଆଦର୍ଶ ପୋଖରୀଠୁ ଆରମ୍ଭ କରି ହିଲଟପ୍ ପାର୍କ, ଶିଶୁ ଉଦ୍ୟାନ ଓ ରାସ୍ତା ସମେତ ଆଦି କାମ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଜଙ୍ଗଲ ଜମି ଉପରେ ଏହି ନିର୍ମାଣ କାମ ସଂପର୍କରେ ଖୋଦ୍ ବନ ବିଭାଗ ଅଧିକାରୀ ବି ଅବଗତ ନୁହନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ପ୍ରଶାସନର ଏଭଳି କାରନାମା ପଦାକୁ ଆସିବା ପରେ ହଟଚମଟ ସୃଷ୍ଟି ହୋଇଛି। ହେଲେ କେଉଁ ଆଧାରରେ ପଡ଼ୋଶୀ ତହସିଲ ଇଲାକା‌ରେ ମନରେଗା ଯୋଜନାର ଅନୁଦାନ ଖର୍ଚ୍ଚ କରାଗଲା ଓ ଏହାପଛରେ କେଉଁମାନଙ୍କ ପ୍ରତ୍ୟକ୍ଷ ଭୂମିକା ରହିଛି, ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନାନୁସାରେ, ଚିକିଟି ବ୍ଲକ ତଥା ତହସିଲ ଅଧୀନ ଚାନ୍ଦପୁର ପଞ୍ଚାୟତ ଅଧୀନ ବଳରାମପୁର ମୌଜାରେ ଦିଗପହଣ୍ଡି ବ୍ଲକ୍ ବିଜୟଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଜରିଆରେ ଅନେକ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଯେଉଁ ସ୍ଥାନରେ ଉନ୍ନୟନ କାର୍ଯ୍ୟ ଚାଲିଛି ତାହା, ଅଯୋଗ୍ୟ ଅନାବାଦି ଜଙ୍ଗଲ ଜମି। ଯାହାର ଖାତା ନମ୍ବର ୨୪୪ ଓ ପ୍ଲଟ୍ ନମ୍ବର ୧୧୨୮। ୪୪୧୨ ଏକର ପରିମିତ ଜମି ଚିକିଟି ତହସିଲ ଅଧୀନରେ ରହଛି। ‌ହେଲେ ଏଠାରେ ଦିଗପହଣ୍ଡି ବ୍ଲକ୍ ପ୍ରଶାସନ ଏକ ଆଦର୍ଶ ପୋଖରୀ, ହିଲଟପ୍ ପାର୍କ, ଶିଶୁ ଉଦ୍ୟାନ ଓ ରାସ୍ତା ନିର୍ମାଣ କରିଛି। ପାଖାପାଖି ୫୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ନିର୍ମାଣ ସମ୍ପର୍କରେ ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ କିଛି ଜାଣି ନଥିବା କହିଛନ୍ତି l କିନ୍ତୁ ଦିଗପହଣ୍ଡି ବ୍ଲକ୍ ପ୍ରଶାସନ କାହା ଅନୁମତିରେ ଏସମସ୍ତ କାମ କରିଛି, ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିୟମାନୁସାରେ, ମନରେଗାରେ କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗ୍ରାମବାସୀ ଜିଆରଏସ୍‌ଙ୍କ ଜରିଆରେ ବିଡିଓଙ୍କ ପାଖରେ ଡିମାଣ୍ଡ୍ ଦିଅନ୍ତି। ଡିଆରଡିଏର ଅନୁମୋଦନ ପରେ ଜିଆରଏସ୍ ଓ କନିଷ୍ଠଯନ୍ତ୍ରୀ ମଷ୍ଟର‌ରୋଲ୍ ବାହାର କରନ୍ତି। ସହକାରୀ ଯନ୍ତ୍ରୀଙ୍କ ପରିଦର୍ଶନ ପରେ କାମ ଆରମ୍ଭ ହୋଇଥାଏ। ଏତେସବୁ ନିୟମାବଳୀ ସତ୍ତ୍ବେ ଏହି ସ୍ଥାନ ଚିକିଟି ତହସିଲ ଅଧୀନରେ ରହିଛି ବୋଲି ବିଭାଗୀୟ ଅଧିକାରୀମାନେ କିଭଳି ଭାବେ ଜାଣିପାରିଲେନି ଓ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ କାମ ପାଇଁ ଅନୁମତି କିଏ ଦେଲା ଏହାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି।
ଦିଗପହଣ୍ଡି ବ୍ଲକ୍ ତତ୍କାଳୀନ ସହକାରୀ ଯନ୍ତ୍ରୀ ତଥା ବର୍ତ୍ତମାନ ଚିକିଟି ବ୍ଲକ୍‌ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା କହିଛନ୍ତି, ଅଧିକାରୀମାନେ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁରୀ ଦେବା ପରେ ମଷ୍ଟରରୋଲ୍ କରାଗଲା। ଏହାପରେ କାମ ଆରମ୍ଭ ହେଲା।

ଏନେଇ କନିଷ୍ଠ ଯନ୍ତ୍ରୀ ମୁହଁ ଖୋଲିନାହାନ୍ତି। ଚିକିଟିର ତତ୍କାଳୀନ ବିଡିଓ ଫାଲଗୁନି ମାଝି କହିଛନ୍ତି, କାମ ବିଷୟରେ କୌଣସି ଅଧିକାରୀ ଆମକୁ ଅବଗତ କରିନାହାନ୍ତି। ସେପଟେ ଦିଗପହଣ୍ଡି ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ହେଁ, ସେ ମୋବାଇଲ୍ ରିସିଭ୍ କରିନାହାନ୍ତି। ଚିକିଟି ବ୍ଲକ୍ ଚାନ୍ଦପୁର ପୂର୍ବତନ ସରପଞ୍ଚ ମନୋଜ କୁମାର ସାହୁ  କହିଛନ୍ତି, ବଳରାମପୁର ମୌଜାର ପାହାଡ଼ ଉପରେ ଏକ ହନୁମାନ ମନ୍ଦିର ନିର୍ମାଣ ପାଇଁ ମୋର ପରାମର୍ଶ ନିଆଯାଇଥିଲା। ମନ୍ଦିର ନିର୍ମାଣରେ କୌଣସି ଆପତ୍ତି ନାହିଁ ବୋଲି ସେ କହିଥିଲେ। କିନ୍ତୁ ପରେ ଦିଗପହଣ୍ଡି ବ୍ଲକ୍ ପ୍ରଶାସନ ଏଠାରେ ଉନ୍ନୟନ କାମ କରୁଥିବା ଜାଣି ତତ୍କାଳୀନ ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରିବା ସହ ପଦକ୍ଷେପ ନେବାକୁ କହିଥିଲି।

ସମ୍ବନ୍ଧିତ ଖବର