ବରୀ : ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଅସଜଡ଼ା ହୋଇପଡିଛି। ଗୃହ ନିର୍ମାଣ ପାଇଁ ୪କୋଟିରୁ ଅଧିକ ଟଙ୍କା ଅନୁଦାନ ଆସିଲା। ଟେଣ୍ଡର ମଧ୍ୟ ହେଲା ମାତ୍ର ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। କିଛି ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସୁରକ୍ଷିତ ଗୃହକୁ ଭାଙ୍ଗି ଦିଆଗଲା। ନୂତନ ଗୃହକୁ ଲୋକମାନେ ଅପେକ୍ଷା କରିଥିଲାବେଳେ ନିର୍ମାଣ ନାମରେ ଡାକ୍ତରଖାନା ପରିସରକୁ ୨-୪ ଫୁଟ ଖୋଳି ଛାଡ଼ି ଦେଇଛନ୍ତି ଠିକାଦାର। ଏହା ପୋଖରୀର ଭ୍ରମ ସୃଷ୍ଟି କରୁଛି। ଯଦି ଜୋରରେ ବର୍ଷା ହୁଏ ତେବେ ଏହା ପୋଖରୀ ହୋଇଯିବ। ଏଥିରେ ପଡ଼ିଯିବାର କିମ୍ବା ଗାଡ଼ି ଗଳିପଡ଼ିବାର ବିପଦ ଆଶଙ୍କା ମଧ୍ୟ ରହିଛି। ରୋଚକ ବିଷୟ ହେଲା ଏ ବିଷୟରେ ଠିକାସଂସ୍ଥା ଓ ବିଭାଗ ଅବଗତ ରହିଛି। ତେଣୁ ଲୋକମାନେ ଯିବାଆସିବା କରୁଥିବା ପାର୍ଶ୍ବରେ ବିପଦ ସଙ୍କେତ ଭାବେ ନାଲି ଜରି/ଫିତା ଟାଣି ଦିଆଯାଇଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଡାକ୍ତରଖାନା ପରି ବ୍ୟସ୍ତବହୁଳ ସ୍ଥାନରେ ଖୋଳାଯାଇଥିବା ସ୍ଥାନକୁ ସୁରକ୍ଷାବାଡ଼ ଦ୍ବାରା ଆବଧ କରାଯାଇ ନାହିଁ। ରୋଗୀମାନଙ୍କୁ ଧରି ବ୍ୟସ୍ତତା ମଧ୍ୟରେ ଆସୁଥିବା ଗାଡ଼ିମଟର ଯେ କୌଣସି ସମୟରେ ଖାଲ ମଧ୍ୟରୁ ଖସି ପଡ଼ି ଆହୁରି ବଡ଼ ବିପଦ ସୃଷ୍ଟି କରିବା ଆଶଙ୍କା ସର୍ବାଧିକ। ଆସୁଥିବା ରୋଗୀ ଓ ତାଙ୍କ ପରିବାର ପାଇଁ ବିପଦକୁ ଆମନ୍ତ୍ରଣ କଲା ଭଳି ଏହା ହୋଇଛି। ଟେଣ୍ଡର ପରେ କାର୍ଯ୍ୟସମାପ୍ତ କରିବାର ଧାର୍ଯ୍ୟ ତାରିଖ ଇତିମଧ୍ୟରେ ପାରିହୋଇଗଲାଣି। ଦ୍ବିତୀୟ ଥର ପାଇଁ ସମୟ ସଂପ୍ରସାରଣ କରାଯାଇଥିବା ଜଣାପଡ଼ିଛି। ମୂଳତଃ ମୂଳ ଠିକାଦାର ଏଠାରେ ପେଟି ଠିକାଦାରଙ୍କୁ ଦାୟିତ୍ବ ଦେଇଥିବା ଜଣାପଡ଼ିଛି।
ଏ ସଂପର୍କରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କୁ ପଚାରିବାରୁ କହନ୍ତି ଯେ ତୁରନ୍ତ ସେଠାରେ ସୁରକ୍ଷାବାଡ଼ ଦେବାକୁ ବ୍ୟବସ୍ଥା କରାଯାଉଛି। ଶେଷ ମୁହୂର୍ତ୍ତରେ ଡିଜାଇନ୍ ବଦଳିଯାଇଥିବାରୁ ଏବେ ଅନୁମତିକୁ ଅପେକ୍ଷା କରାଯାଇଛି। ତେଣୁ ବିଳମ୍ବ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
Follow Us