ସୁକିନ୍ଦା : ପାନୀୟଜଳ ପ୍ରକଳ୍ପ ନାଁରେ ରାସ୍ତାଘାଟକୁ ମନଇଚ୍ଛା ତାଡ଼ି ଦିଆଯାଉଛି। ଏହାପରେ ତାକୁ ଠିକ୍‌ ଭା​ବରେ ପୋତାଯାଉ ନାହିଁ କି ମରାମତି ହେଉନାହିଁ। ଜିଲ୍ଲା ଖଣିଜ ପାଣ୍ଠିରୁ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ପାନୀୟଜଳ ଯୋଗାଣ ନାଁରେ କଂକ୍ରିଟ ରାସ୍ତାକୁ ଜେସିବି, କଂପ୍ରେସର ମାଧ୍ୟମର ଖୋଳି ପାଇପ ବିଛା ଚାଲିଛି। ଖୋଳିଥିବା ରାସ୍ତାକୁ ପୂର୍ବଅବସ୍ଥାକୁ ଫେରାଇ ଆଣିବାକୁ ବିଭାଗ ନିକଟରେ ଠିକାସଂସ୍ଥା ଚୁକ୍ତି ସ୍ୱାକ୍ଷର କରିଅଛି। ଏହାସତ୍ତ୍ବେ ବର୍ଷ ବର୍ଷ ଧରି ଏହି କାମକୁ ଅଧାପନ୍ତରିଆ କରି ପକାଇ ଦିଆଯାଇଛି। ଫଳରେ ସାଧାରଣ ଲୋକଙ୍କ ଦୁର୍ଦଶା ବଢ଼ୁଛି।

Advertisment

ସୁକିନ୍ଦା ବ୍ଲକର ୨୫ ଟି ପଞ୍ଚାୟତର ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଣ ଲକ୍ଷ୍ୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ଶହଶହ କୋଟି ଟଙ୍କା ବ୍ୟୟବରାଦ  କରାଯାଇଛି। ପ୍ରଥମ ଦଫାରେ ଖଣି ଅଞ୍ଚଳର ୭ ଟି ପଞ୍ଚାୟତ ପାଇଁ ଟେଣ୍ଡର ଆହ୍ବାନ କରାଯାଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦ୍ୱିତୀୟ ଦଫାରେ  ଅବଶିଷ୍ଟ ୧୮ ପଞ୍ଚାୟତ ପାଇଁ ଟେଣ୍ଡର ଆହ୍ବାନ କରି ଅର୍ଦ୍ଧାଧିକ ପଞ୍ଚାୟତରେ ମୁଖ୍ୟ ପାଇପ ବିଛାଇ ଗୃହକୁ ମଧ୍ୟ ପାଇପ୍‌ ସଂଯୋଗ ଦିଆଯାଇଛି। ଏହି  ଜଳଯୋଗାଣ ପ୍ରକଳ୍ପର ଠିକାକାର୍ଯ୍ୟ ନାଗାର୍ଜୁନ ଇଂଜିନିୟରିଂ କନଷ୍ଟ୍ରକସନ କମ୍ପାନି କରୁଛି। ଏହାର ବେପରୁଆ କାର୍ଯ୍ୟ ପାଇଁ ରାସ୍ତାଘାଟ ଭଙ୍ଗା, ଅଧାଖୋଳା ହୋଇ ପଡ଼ିଛି। ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଲୋକାୟୁକ୍ତଙ୍କ  ଦ୍ଵାରସ୍ଥ ହେବାକୁ ସୁକିନ୍ଦା ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ପକ୍ଷରୁ  ଚେତାବନୀ ଦିଆଯାଇଛି।