ପୁରୀ: ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଦାରୁବ୍ରହ୍ମ ଓ ବଳକା ଦାରୁରେ ବିଗ୍ରହ ତିଆରି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିବା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନିଲମ୍ବନ ଆଶଙ୍କା ବଢ଼ିଛି। ଧାର୍ଯ୍ୟ ଅବଧିରେ ଉତ୍ତର ରଖି ନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ଚରମପତ୍ର ଲେଖିଛି। ୧୨ ତାରିଖ ବା ସୋମବାର ସୁଦ୍ଧା ସନ୍ତୋଷଜନକ ଉତ୍ତର ନ ରଖିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛି ପ୍ରଶାସନ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ ଲେଖିଛନ୍ତି, ଦୀଘାଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶ୍ରୀ ଦାସ ମହାପାତ୍ର ଯୋଗଦାନ କରି ସେବକ ଦଳର ନେତୃତ୍ବ ନେଉଥିବା ଖବର ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଛି। ସେଠାରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ‘ଜଗନ୍ନାଥଧାମ- ଦୀଘା’ ଲେଖାଯିବା ସହ ବିଭିନ୍ନ ସ୍ଥାନରେ ଫଳକ ଲଗାଯିବା ନଜରକୁ ଆସିଛି। ପୁରୀ ହେଉଛି ପରମଆରାଧ୍ୟ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ପବିତ୍ର ଆଦ୍ୟ ଓ ନିତ୍ୟ ପୀଠ। ଶାସ୍ତ୍ରୀୟ ମତ ଅନୁସାରେ ଭାରତବର୍ଷର ଚାରିଧାମ ମଧ୍ୟରେ ଅନ୍ୟତମ ପ୍ରମୁଖ ଧାମ ହେଉଛି ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଧାମ। ମହାପ୍ରଭୁଙ୍କ ଜଣେ ବରିଷ୍ଠ ଦଇତାପତି ସେବକ ଭାବେ ଏ ସମ୍ପର୍କରେ ଅବଗତ ଥାଇ ମଧ୍ୟ ଜଗନ୍ନାଥଧାମ ଦୀଘା ସ୍ବ-ନାମିତ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ କରିବା ଘଟଣା ଶ୍ରୀମନ୍ଦିର ପରମ୍ପରା ନେଇ ଭକ୍ତଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ଏବଂ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାକୁ ଆଘାତ ଲାଗିଛି।
‘ଜଗନ୍ନାଥଧାମ- ଦୀଘା’ ଲେଖାଥିବା ମନ୍ଦିରର କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର ସେବକ ଭାବେ କାହିଁକି ସେ ଯୋଗଦେଲେ? ସେତେବେଳେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତାମାନଙ୍କୁ ସେ ଏହାର ପ୍ରତିବାଦ କରି ନଥିଲେ କାହିଁକି? ଏହା ଉପରେ କୈଫିୟତ ଦେବାକୁ ନୋଟିସରେ କୁହାଯାଇଛି। ଏଠାରେ ସୂଚାଇ ଦିଆଯାଇପାରେ, ଦୀଘାରୁ ଫେରିବା ପରେ ରାମକୃଷ୍ଣ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି ଜଗନ୍ନାଥ ଧାମ-ଦୀଘା ଲେଖାହେବା ମୁଁ ଦେଖିନି। କିନ୍ତୁ ଏହାର ପ୍ରତିବାଦ କରିବି। ମମତାଙ୍କୁ ଚିଠି ଲେଖିବି ବୋଲି କହିଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ସେ ଏହାକୁ କିଭଳି ଦେଖିପାରି ନଥିଲେ, ସେ ନେଇ ପ୍ରଶ୍ନ ଉଠିଥିଲା। ଏବେ ସେହି ପ୍ରଶ୍ନ ଶ୍ରୀମନ୍ଦିର ପ୍ରଶାସନ ପଚାରିଛି। ଏ ପ୍ରସଙ୍ଗରେ ଗତ ୩ ତାରିଖରେ ତାଙ୍କୁ କୈଫିୟତ ତଲବ କରାଯାଇଥିବାବେଳେ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିଲା। ହେଲେ ସେ ନିରବ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/02/KlyZxhHWg7zZixSNsymD.jpg)