ପୁରୀ: ବଳକା ଦାରୁରେ ବିଗ୍ରହ ତିଆରି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିବା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ଅଡ଼ୁଆ ବଢ଼ିଛି। ନିଜର ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ଶ୍ରୀମନ୍ଦିର ଗରିମା କ୍ଷୁଣ୍ଣ ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ତାଙ୍କୁ ଉତ୍ତର ରଖିବାକୁ କୁହାଯାଇଛି। ଏହି ସମୟ ଭିତରେ ସନ୍ତୋଷଜନକ ଉତ୍ତର ନ ମିଳିଲେ ତାଙ୍କ ବିରୋଧରେ ଶ୍ରୀମନ୍ଦିର ଆଇନ ୧୯୫୫ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନୋଟିସ୍ ପରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ୧୦ ଦିନ ଧରି ଚାଲିଥିବା ବିବାଦରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି କୁହାଯାଉଛି। ସେପଟେ ଦୀଘାକୁ ଶ୍ରୀଜଗନ୍ନାଥ ଧାମ କୁହାଯିବା ଓ ଶ୍ରୀମନ୍ଦିରରୁ ଦାରୁ ଚୋରି ପ୍ରସଙ୍ଗରେ ମୁଖ୍ୟ ପ୍ରଶାସକଙ୍କୁ ଦାୟୀ କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଆଜି ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି।
୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ୍
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଏତଲା
ମୁଖ୍ୟ ପ୍ରଶାସକଙ୍କ ନୋଟିସ୍ ଅନୁଯାୟୀ, ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ରାମକୃଷ୍ଣ ଯୋଗ ଦେଇଥିଲେ। ସେଠାରେ ପୂଜା ପାଇବାକୁ ଥିବା ବିଗ୍ରହ ସେ ଏଠାରୁ ନିର୍ମାଣ କରି ନେଇଥିଲେ। ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ପରେ ବଳିଥିବା ଦାରୁରେ ବିଗ୍ରହ ନିର୍ମାଣ କରି ସେ ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିବା ଅଭିଯୋଗ ହୋଇଥିଲା। ଓଡ଼ିଶା ଫେରିବା ପରେ ଏହି ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଇ ଅଭିଯୋଗକୁ ଖଣ୍ଡନ କରିଥିଲେ। ବଳକା ଦାରୁରେ ନୁହେଁ, ବରଂ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ସେଠାରେ ପ୍ରତିଷ୍ଠା କରିଥିବା କହିଥିଲେ। ନବକଳେବରରେ ବ୍ୟବହାର ପରେ ବଳକା ଦାରୁ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ଥିବା ‘ଦାରୁଘର’ଠାରେ ସଂରକ୍ଷିତ ରହିଥାଏ। ଆବଶ୍ୟକ ବେଳେ କେବଳ ଅଣସର ସମୟରେ ଏହି ବଳକା ଦାରୁ ଶ୍ରୀଜିଉମାନଙ୍କ ବ୍ୟବହାରରେ ବିନିଯୋଗ ହେବା ବିଧି ରହିଛି। ଏହା କୌଣସି ପରିସ୍ଥିତିରେ ଅନ୍ୟତ୍ର ବ୍ୟବହାର ହୋଇପାରିବ ନାହିଁ। ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେ ଏ ସଂକ୍ରାନ୍ତରେ ଅବଗତ ଅଛନ୍ତି। କିନ୍ତୁ ତାଙ୍କର ଏଭଳି ଦ୍ବନ୍ଦ୍ବାତ୍ମକ ବୟାନ ଶ୍ରୀଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିଛି। ଏହା ଦ୍ବାରା ଶ୍ରୀମନ୍ଦିରର ଗରିମା ଓ ଐତିହ୍ୟ କ୍ଷୁଣ୍ଣ ହୋଇଥିବା ନୋଟିସ୍ରେ ଦର୍ଶାଯାଇଛି। ତେବେ ଆଜି ନୋଟିସ୍ ଦିଆଯିବା ପୂର୍ବରୁ ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ର ଓ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସହ ମୁଖ୍ୟ ପ୍ରଶାସକ ପ୍ରାୟ ଅଧଘଣ୍ଟା ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଦୀଘା ପ୍ରସଙ୍ଗରେ ଜଣେ ହେଲେ ସେବାୟତ ରାମକୃଷ୍ଣଙ୍କ ସମର୍ଥନରେ ବାହାରି ନାହାନ୍ତି। ଏ ନେଇ ବରିଷ୍ଠ ଦଇତାପତି ଦେବା ଦାସମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାମକୃଷ୍ଣଙ୍କର ଯଜମାନ। ଏଣୁ ନିମନ୍ତ୍ରଣ ହେଲେ ଯିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ସେହି କାଠକୁ ‘ଦାରୁ’ ବୋଲି କହି ଭୁଲ୍ କରିଦେଲେ। ମିଛ କହି ଫସିଗଲେ। ଦାରୁଘରୁ ବଳକା ଦାରୁ ଯାଇନାହିଁ। ଚାରିଆଡ଼େ କ୍ୟାମେରା ଲାଗିଛି। ଦୀଘାକୁ ଜଗନ୍ନାଥଧାମ କହିବା ବି ଅପରାଧ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/03/wXzGvMLszY8N7cCSsVsb.jpg)