ଭୁବନେଶ୍ୱର: ଶ୍ରୀମନ୍ଦିରର ଚତୁର୍ଦ୍ଧା ବିଗ୍ରହଙ୍କ ବଳକା ଦାରୁରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବା ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦେଇଥିବା ଅନ୍ତରୀଣ ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷେ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ବିଭିନ୍ନ ନିଯୋଗର ସେବକଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ମାର୍ଗଦର୍ଶିକା ଜାରି ହେବ। ଯାହାଦ୍ବାରା ଭବିଷ୍ୟତରେ ଏଭଳି ବିଶୃଙ୍ଖଳା ଆଉ ହେବନି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ଅନ୍ତରୀଣ ତଦନ୍ତ ଶେଷ ହୋଇଛି ଓ ତଦନ୍ତ କମିଟି ସବିଶେଷ ରିପୋର୍ଟ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା, ମନ୍ଦିର ନାମକୁ ‘ଜଗନ୍ନାଥ ଧାମ’ ଲେଖାଯିବା, ଶ୍ରୀମନ୍ଦିର ସେବାୟତମାନେ ସେଠାରେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଆଦି ବାବଦରେ ଅନ୍ତରୀଣ ତଦନ୍ତ କମିଟି ଦେଇଥିବା ରିପୋର୍ଟକୁ ଡ. ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦଇତାପତି ନିଯୋଗ ଏବଂ ଯେଉଁମାନେ ଦୀଘା ମନ୍ଦିର ଯାଇଥିଲେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ଜେରା କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରସ୍ତାବ ଓ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅନୁଧ୍ୟାନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। 

ଜଗନ୍ନାଥ ଧାମ ଓ ମହୋଦଧି ନାମରୁ ବିରତ ପାଇଁ ପଶ୍ଚିମବଙ୍ଗକୁ ଚିଠି ଲେଖିବ ଓଡ଼ିଶା
ଫେରିବ ୧୯୯୫-୯୬ ମସିହାରେ ଦଇତାପତିଙ୍କ ଘରେ ଥିବା ଦାରୁ କାଠ, ଗଠନ ହେଲା ସ୍ବତନ୍ତ୍ର କମିଟି
ନୀତିକାନ୍ତି ଜଡ଼ିତ ସେବକଙ୍କ ଆଚରଣ ଓ ଉଚ୍ଚାରଣ ନେଇ ଜାରି ହେବ ମାର୍ଗଦର୍ଶିକା

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ। ଦେଶରେ କେବଳ ଚାରିଟି ଧାମ ରହିଛି। ଏହି ଚାରିଧାମ ବ୍ୟତୀତ ଅନ୍ୟ ସ୍ଥାନରେ ‘ଧାମ’ ନାମ ଲାଗିପାରିବ ନାହିଁ। ତେଣୁ ଦୀଘାରେ ‘ଜଗନ୍ନାଥ ଧାମ’ ଉଲ୍ଲେଖ ଠିକ ନୁହେଁ। ଏହାକୁ ଶୀଘ୍ର ହଟାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ ଏବଂ ଦୀଘାଠାରେ ମହୋଦଧି ନାମକୁ କାଟିବା ପାଇଁ ମଧ୍ୟ କୁହାଯିବ। ଶ୍ରୀମନ୍ଦିର ସେବାୟତମାନେ କୌଣସି ସ୍ଥାନକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବାର ବିଧି ନାହିଁ। ସେବକମାନେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବିଷୟରେ ବାହାରେ କ’ଣ ସବୁ ପ୍ରକାଶ କରି ପାରିବେ ଓ କରିପାରିବେନି, ସେଥିନେଇ ମାର୍ଗଦର୍ଶିକା ଜାରି ହେବ। ରିପୋର୍ଟରୁ ଯାହା ଜଣାପଡ଼ିଛି, ବଳକା ଦାରୁକାଠ ବାହାରକୁ ଯିବା ଏବଂ ଏଥିରେ ବିଗ୍ରହ ନିର୍ମାଣ ହେବା ସମ୍ଭବ ନୁହେଁ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ନିଯୋଗମାନେ ଉଲ୍ଲେଖ କରିଛନ୍ତି। ଦାରୁଘର ଭିତରେ ଦାରୁକାଠ ସୁରକ୍ଷିତ ଅଛି। ୧୯୯୫-୯୬ ମସିହାରେ ସେତେବେଳର ସରକାରଙ୍କ ନିଷ୍ପତ୍ତିକ୍ରମେ କିଛି ଦଇତାପତିଙ୍କ ଘରେ ଦାରୁ କାଠ ରହିଛି। ସେ ସମସ୍ତ କାଠ ଦାରୁଘରକୁ ଆଣିବା ଏବଂ ଏହାର ଗଣତି ପାଇଁ ୫ଜଣିଆ କମିଟି ଗଠନ ହୋଇଛି। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା, ତାହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ୍ ହୋଇଥିଲା। ସେ ନିଜର ପକ୍ଷ ରଖିଛନ୍ତି। ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆ ନଯିବ, ସେ ନେଇ ୭ ଦିନ ମଧ୍ୟରେ ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ପ୍ରଦାନ ବେଳେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ବିଭୁପ୍ରସାଦ ପଣ୍ଡା, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ କେବଳ ‘ଜଗନ୍ନାଥ ଧାମ’: ଗଜପତି

ଅନ୍ୟ ଜଗନ୍ନାଥ ମନ୍ଦିରରେ ସମର୍ପିତ ନୈବେଦ୍ୟ ମହାପ୍ରସାଦ ନୁହେଁ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐତିହ୍ୟ ଓ ପରମ୍ପରାକୁ ଅସମ୍ମାନ କରନି

 

ଭୁବନେଶ୍ବର: ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଓ ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ଆଜି ବଡ଼ ମନ୍ତବ୍ୟ ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜା କହିଛନ୍ତି, ପୁରୀ କେବଳ ‘ଜଗନ୍ନାଥ ଧାମ’। ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। ଏହା ଶାସ୍ତ୍ରସମ୍ମତ ମତ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ବି ସ୍ପଷ୍ଟ କରିଛି। ଏଣୁ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟି ଏବଂ ପୃଷ୍ଠପୋଷକମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କିମ୍ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରିବାରୁ ନିବୃତ୍ତ ରହିବାକୁ ଗଜପତି ନିବେଦନ କରିଛନ୍ତି।

ଗଜପତି କହିଛନ୍ତି, ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକ ଶ୍ରୀଜଗନ୍ନାଥ ଧାମ ପୁରୀକୁ ମୂଳପୀଠ ବୋଲି ମାନି ଆସିଛନ୍ତି ଏବଂ ମୂଳପୀଠର ମହାନ ପ୍ରାଚୀନ ପରମ୍ପରା, ରୀତିନୀତି, ଶାସ୍ତ୍ରୀୟ ସିଦ୍ଧାନ୍ତ ଓ ଶ୍ରୀମନ୍ଦିରର ଗୌରବମୟ ଐତିହ୍ୟକୁ ସମ୍ମାନ ଦେଇ ଆସିଛନ୍ତି। ଶତାବ୍ଦୀ ଶତାବ୍ଦୀ ଧରି ସନାତନ ବୈଦିକ ଧର୍ମର ବିଭିନ୍ନ ସଂପ୍ରଦାୟର ମହାନ ପ୍ରତିଷ୍ଠାତା ଯଥା ଭଗବତପାଦ, ଆଦି ଶଙ୍କରାଚାର୍ଯ୍ୟ, ଶ୍ରୀରାମାନୁଜାଚାର୍ଯ୍ୟ, ଶ୍ରୀନିମ୍ବାର୍କାଚାର୍ଯ୍ୟ, ଶ୍ରୀରାମାନନ୍ଦାଚାର୍ଯ୍ୟ, ଶ୍ରୀଚୈତନ୍ୟ, ଶ୍ରୀବଲ୍ଲଭାଚାର୍ଯ୍ୟ କେବଳ ପୁରୀକୁ ହିଁ ଶ୍ରୀଜଗନ୍ନାଥ ଧାମ ଭାବେ ସ୍ବୀକାର କରିଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତସଭା ସ୍ପଷ୍ଟ କରିଛି ଯେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶିଳାରେ ନିର୍ମାଣ କରି ପୂଜା କରିବା ଅନୁଚିତ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ଶ୍ରୀମନ୍ଦିର। ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀବିଗ୍ରହଙ୍କୁ ସମର୍ପଣ କରାଯାଉଥିବା ନୈବେଦ୍ୟକୁ ‘ଶ୍ରୀମହାପ୍ରସାଦ’ କୁହାଯିବା ଶାସ୍ତ୍ର ସମ୍ମତ ନୁହେଁ। ଅନାଦି କାଳରୁ ପ୍ରଚଳିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ଓ ପରମ୍ପରାକୁ ଅସମ୍ମାନ କରାଗଲେ, ଏହା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେବ।

ଗଜପତି କହିଛନ୍ତି, ସେ ଦୀଘା ଜଗନ୍ନାଥ ମନ୍ଦିର ଉପରେ ଗତ ୩ ତାରିଖରେ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ଚିଠି କରି ମତ ଚାହିଥିଲେ। ପ୍ରତ୍ୟୁତ୍ତରରେ ପଣ୍ଡିତ ସଭା ସ୍ପଷ୍ଟ କରିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର ପୁରୀ। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧା ବିଗ୍ରହଙ୍କ ଶାସ୍ତ୍ର ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ ଭାବେ ନାମିତ କରାଯାଇପାରିବ ନାହିଁ। ସୁତରାଂ ଦୀଘାରେ କରାଯାଇଥିବା ଜଗନ୍ନାଥ ମନ୍ଦିରର ବି ଏଭଳି ନାମକରଣ କରାଯାଇପାରିବ ନାହିଁ। ଗଜପତି ଆହୁରି କହିଛନ୍ତି, ମହର୍ଷି ବେଦବ୍ୟାସଙ୍କ ଦ୍ବାରା ରଚିତ ସ୍କନ୍ଦ ପୁରାଣର ‘ବୈଷ୍ଣବ ଖଣ୍ଡ’ରେ ଥିବା ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ଏହା ପ୍ରାମାଣିକ ଓ ବ୍ୟାପକ ଭାବେ ଉଲ୍ଲେଖ କରାଯାଇଛି। କେବଳ ପୁରୀ କାହିଁକି ‘ଶ୍ରୀଜଗନ୍ନାଥ ଧାମ’, ତାହା ସ୍କନ୍ଦ ପୁରାଣର ଏକ ସରଳ ପଠନ ଦ୍ବାରା ସ୍ପଷ୍ଟ ହୋଇପାରିବ। ପୁରୀ ହେଉଛି ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ଆଦ୍ୟ ଓ ନିତ୍ୟ ପୀଠ।

ଭଗବାନ ବ୍ରହ୍ମାଙ୍କ ଜୀବନକାଳର ପ୍ରଥମ ପରାର୍ଦ୍ଧ (୫୦ ବର୍ଷ) ସମୟରେ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ ‘ନୀଳମାଧବ’ ରୂପରେ ଥିଲେ। ଏହା ପରେ ବ୍ରହ୍ମାଙ୍କର ୫୧ତମ ବର୍ଷ (ଯାହା ବର୍ତ୍ତମାନର ଯୁଗ ଭାବେ ପରିଗଣିତ)ରେ ମହାପ୍ରଭୁ ‘ଚତୁର୍ଦ୍ଧା ଦାରୁ ବିଗ୍ରହ’ ଭାବେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଆବିର୍ଭାବ ହୋଇ ଉପାସିତ ହେଉଛନ୍ତି। ମହାପ୍ରଭୁ ଏହି ଦାରୁବ୍ରହ୍ମ ରୂପରେ ଭଗବାନ ବ୍ରହ୍ମାଙ୍କର ଜୀବନକାଳରେ ଏହି ୫୦ ବର୍ଷ (ଦ୍ବିତୀୟ ପରାର୍ଦ୍ଧ)ରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ହୋଇ ରହିବେ। ଏହା ସ୍କନ୍ଦ ପୁରାଣରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। କେବଳ ସ୍କନ୍ଦ ପୁରାଣ ନୁହେଁ, ପଦ୍ମପୁରାଣ, ବ୍ରହ୍ମ ପୁରାଣ, ନୀଳାଦ୍ରି ମହୋଦୟ ଓ ଅନ୍ୟାନ୍ୟ ପବିତ୍ର ଓ ପ୍ରାଚୀନ ଶାସ୍ତ୍ରରେ ପୁରୀକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଏବଂ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ଉପାସନାର ପୀଠ ବୋଲି ଉଲ୍ଲେଖ କରାଯାଇଥିବା ଗଜପତି କହିଛନ୍ତି।