ଦୀଘା-ଗୋପାଳପୁର ଜାତୀୟ ରାଜପଥର ଡିପିଆର୍‌ ପ୍ରସ୍ତୁତି ଚାଲିଛି

ଭୁବନେଶ୍ବର : ଦୀଘାଠାରୁ ଗୋପାଳପୁର ଉପକୂଳ ରାଜପଥର ନିର୍ମାଣ ପ୍ରସ୍ତାବ ବିଚାରାଧୀନ ଅଛି। ଗୋପାଳପୁରଠାରୁ ରତନପୁର ଓ ରତନପୁରଠାରୁ ଦୀଘା ପର୍ଯ୍ୟନ୍ତ ଦୁଇଟି ଅଂଶ ପାଇଁ ଦୁଇ ଜଣ ଡିପିଆର୍‌ କନ୍‌ସଲ୍‌ଟାଣ୍ଟ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ୨୧.୮.୨୦୧୮ରେ ଆଲେନ୍‌ମେଣ୍ଟ୍‌କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୩.୨.୨୦୧୯ରେ ଅନୁଷ୍ଠିତ ବୈଠକରେ ଅନୁମୋଦିତ ଆଲେନ୍‌ମେଣ୍ଟ୍‌ରେ କିଛି ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଥିଲା। ସେହି ଅନୁସାରେ ଡିପିଆର୍‌ କନ୍‌ସଲ୍‌ଟାଣ୍ଟ୍‌ ସର୍ବେକ୍ଷଣ ଓ ଅନୁସନ୍ଧାନ କରୁଛନ୍ତି।

ଦୀଘା-ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ନେଇ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଥିଲେ। ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ଉପକୂଳ ରାଜପଥର ଗୁରୁତ୍ବ ଥିବାରୁ ଏହାର ତୁରନ୍ତ ନିର୍ମାଣ ନେଇ ଦୃଷ୍ଟି ଦେବାକୁ ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବେହେରା କହିଥିଲେ। ଏହି ପ୍ରସ୍ତାବିତ ରାଜପଥ ଯେଉଁ ଯେଉଁ ଅଞ୍ଚଳ ଦେଇ ଯିବ, ସେଠାକାର ବିଧାୟକ ଓ ସାଂସଦମାନଙ୍କୁ ଡାକି ପରାମର୍ଶ କରିବାକୁ ଅନନ୍ତ ଦାସ ପ୍ରସ୍ତାବ ଦେଇଥିଲେ। ପ୍ରଦୀପ ମହାରଥୀ କହିଥିଲେ, ଏହି ରାଜପଥ ଖୁବ୍ ଶୀଘ୍ର ହେବ ବୋଲି ଜଣେ କେନ୍ଦ୍ର ମନ୍ତ୍ରୀ କହିଥିଲେ। କିନ୍ତୁ ତାହା ବିଳମ୍ବ ହେଉଛି। ପୂର୍ତ୍ତ ମନ୍ତ୍ରୀ କେତେ ଥର ଏହାର ସମୀକ୍ଷା କଲେଣି ? ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ, ଖୁବ୍ ଶୀଘ୍ର ସମୀକ୍ଷା ବୈଠକ କରାଯିବ।

ସମ୍ବନ୍ଧିତ ଖବର