ଡିଜିଟାଲ୍ କୃଷି ଯୋଜନା ଫେଲ୍ : ବିଲରେ ଶଢୁଛି ପରିବା

ଟମାଟୋ, ବୋଇତାଳୁ କେଜି ଦି'ଟଙ୍କା, ଶୀତଳ ଭଣ୍ଡାରରେ ଶୀତଳ ଭଣ୍ଡାର ଯୋଜନା

ଯାଜପୁର/ରସୁଲପୁର : ରାଜ୍ୟର ଅନ୍ୟତମ ଅଗ୍ରଣୀ ଅଞ୍ଚଳ ଭାବେ ପରିଚିତ ଯାଜପୁର ଜିଲ୍ଲାର ଚାଷୀଙ୍କ ସ୍ଥିତି ସରକାରଙ୍କ ଡିଜିଟାଲ କୃଷି ଯୋଜନା ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୃଷିର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟରେ ବ୍ୟାପକ ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା, ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବଜାର ସୁବିଧା ଯୋଗାଇ ଦିଆଯାଉଛି ବୋଲି ବେଶ୍ ପ୍ରଚାର ହେଉଛି। ଅଥଚ ରାଜ୍ୟରେ ସବୁଠାରୁ ଅଧିକ ସଚେତନ ବୋଲି ଚର୍ଚ୍ଚା ହେଉଥିବା ଯାଜପୁର ଜିଲ୍ଲାର ହଜାର ହଜାର ଚାଷୀ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ବିକ୍ରି କରି ନପାରି ନାହିଁନଥିବା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏପରିକି ଏବେ ଶହଶହ ଏକର ଜମିରେ ହୋଇଥିବା ଟମାଟୋ ଓ ବୋଇତାଳୁ(କଖାରୁ) ତୋଳିବାକୁ ଚାଷୀମାନେ ଯାଉ ନଥିବାର ଲକ୍ଷ୍ୟ କରାଯାଇଛି। ବିଲରେ ପଡ଼ିଥିବା ଟମାଟୋ ଓ ବୋଇତାଳୁ ତୋଳିବା ଯେତିକି ମଜୁରି ଆବଶ୍ୟକ, ଛୋଟ ଓ ମଧ୍ୟମ ଚାଷୀଙ୍କର ତାହା ମଧ୍ୟ ଭରଣା ହୋଇପାରୁ ନାହିଁ। ଟମାଟୋ କେଜି ୨ଟଙ୍କା ଓ ବୋଇତାଳୁ କେଜି ୩ଟଙ୍କାରେ ବେପାରୀମାନେ ନେଉଛନ୍ତି। ଗତ ବନ୍ୟାରେ ଧାନ ଫସଲ ବ୍ୟାପକ ନଷ୍ଟ ହୋଇଥିବା ‌ବେଳେ ପନିପରିବା ଜରିଆରେ ସେହି କ୍ଷତିକୁ ଭରଣା କରିବାକୁ ଚାଷୀମାନେ ଆଶା ବାନ୍ଧିଥିବା ବେଳେ ଅଭାବୀ ବିକ୍ରି ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ର ବାରବାଟୀ ପରିବା ବଜାର ପୂର୍ବ ଓଡ଼ିଶାର ସବୁଠୁ ବଡ଼ ପରିବାମଣ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ପରିବା ବ୍ୟବସାୟୀମାନେ ଏଠାକୁ ଆସି ପରିବା କିଣାବିକା କରିଥାନ୍ତି। ବାରବାଟୀ ଆଖପାଖ ଅଞ୍ଚଳର ୧୫ରୁ ଅଧିକ ପଞ୍ଚାୟତର ଚାଷୀମାନେ ବର୍ଷ ତମାମ ବିଭିନ୍ନ ପନିପରିବା ଚାଷ କରିଥାନ୍ତି। ଏଠାରେ ପ୍ରତିବର୍ଷ କିଛିକିଛି ଫସଲକୁ ନେଇ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। କେବେ କାକୁଡ଼ି ତ କେବେ କୋବି। କେତେବେଳେ ବାଇଗଣ ତ ଆଉ କେତେବେଳେ ଆଳୁ ପାଇଁ ଅଭାବୀ ବିକ୍ରି ଲାଗି ରହିଛି। ଏବେ ଶହ ଶହ ଟମାଟୋ ଚାଷୀ ଅଭାବୀ ବିକ୍ରିରେ ନୟାନ୍ତ। ଗତ କିଛିଦିନ ହେଲା ଟମାଟୋର ପାଇକାରି ଦର କିଲୋପ୍ରତି ମାତ୍ର ୨ ଟଙ୍କା ରହିଛି। ଗୋଟିଏ ଟମାଟୋ ‘ଟ୍ରେ’ର ଓଜନ ୨୮ରୁ ୩୦ କେଜି ରହୁଛି। ଏହାର ବର୍ତ୍ତମାନ ଦର ମାତ୍ର ୬୦-୭୦ ଟଙ୍କା। ଏତିକି ଟଙ୍କାରେ ମଧ୍ୟ ଟମାଟୋ କିଣିବାକୁ ବ୍ୟବସାୟୀମାନେ ରାଜି ହେଉ ନଥିବା ନୂଆ ମିର୍ଜାପୁର ଗ୍ରାମର ଚାଷୀ ବିଷ୍ଣୁଚରଣ ସାହୁ କୁହନ୍ତି।

ଅଳ୍ପ ଜମିରେ ଟମାଟୋ ଚାଷ କରିଥିବା ଛୋଟିଆ ଚାଷୀଙ୍କ ପାଇଁ ଏହା ସଙ୍ଗିନ ସ୍ଥିତି ସୃଷ୍ଟି କରିଛି। ‌କ୍ଷୁଦ୍ରଚାଷୀମାନେ ଜମିରୁ ଟମାଟୋ ତୋଳୁ ନାହାନ୍ତି। ଜଣେ ଚାଷୀ ୧୦ କେଜି ଟମାଟୋ ବିକ୍ରି କରିବାକୁ ହାଟକୁ ଗଲେ ତାଙ୍କୁ ପ୍ରଥମେ ହାଟଦାଣ୍ତିଆ ବା ହାଟ ଲିଜ୍ ନେଇଥିବା ଲୋକକୁ ୨୦ ଟଙ୍କା ମାସୁଲ ଦେବାକୁ ପଡ଼ୁଛି। ୧୦ କେଜି ଟମାଟୋର ଦାମ ୨୦ରୁ ୩୦ ଟଙ୍କା। ତେଣୁ ଚାଷୀଟି ହାଟଦାଣ୍ତିଆକୁ ୨୦ ଟଙ୍କା ଦେଲେ ଅବଶିଷ୍ଟ ତାର ୧୦ ଟଙ୍କା ରହୁଛି କିମ୍ବା ବେଳେବେଳେ କିଛି ରହୁନାହିଁ। ତାର ପରିଶ୍ରମ, ସମୟ ଓ ନିଜ ଖର୍ଚ୍ଚ ହିସାବ କଲେ କ୍ଷୁଦ୍ରଚାଷୀମାନେ ହାଟରେ ପରିବା ବିକ୍ରି କରିବାକୁ ଚାହୁଁନାହାନ୍ତି। ଶୀତଳ ଭଣ୍ତାର ଥିଲେ ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତେ ନାହିଁ କିମ୍ବା ଆଉ ଦୁଇମାସ ପରେ ଟମାଟୋ କିଲୋପ୍ରତି ଖାଉଟିଙ୍କୁ ୫୦ ଟଙ୍କା ଦେଇ କିଣିବାକୁ ପଡ଼ନ୍ତାନାହିଁ।

ସେହିଭଳି ଚଳିତ ବର୍ଷ ବୋଇତାଳୁ ଚାଷୀମାନେ ମଧ୍ୟ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। କିଲୋ ପ୍ରତି ଏବେ ମାତ୍ର ୩ ଟଙ୍କା କିମ୍ବା ତା’ଠାରୁ କମରେ ବୋଇତାଳୁ ବିକ୍ରି ହେଉଛି। ମାସେ ପୂର୍ବରୁ କିଲୋ ପ୍ରତି ୨୦-୨୫ ଟଙ୍କାରେ ବିକ୍ରି ହେଉଥିଲା ବେଳେ ଏବେ ବୋଇତାଳୁ ଖୁଚୁରା ବଜାରରେ ମାତ୍ର ୧୦ ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀମାନେ ଚାଷୀଙ୍କ ପାଖରୁ ମାତ୍ର ୩ ଟଙ୍କା ଦରରେ କିଣୁଛନ୍ତି। ଶୀତଳ ଭଣ୍ତାର ସୁବିଧା ଥିଲେ ବର୍ତ୍ତମାନ ଏହାକୁ ବିକ୍ରି ନକରି ୨ରୁ ୩ ମାସ ରଖାଯାଇପାରନ୍ତା ବୋଲି ବୋଇତାଳୁ ଚାଷୀ ମୁଗୁପାଳ ଗ୍ରାମର ଟୁଲା ସେଠୀ କହିଛନ୍ତି।

ଚାଷ ସହିତ ଉପଯୁକ୍ତ ବଜାର ବ୍ୟବସ୍ଥା ନକରି କେବଳ କର୍ମଶାଳା ଓ ଆଧୁନିକ ଜ୍ଞାନକୌଶଳ ଶିକ୍ଷା କିମ୍ବା ରାଜ୍ୟସ୍ତରୀୟ ସମାବେଶ କଲେ ତୃଣମୂଳରେ ଚାଷୀମାନେ କିପରି ଉପକୃତ ହେବେ, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳରେ ଦେଖା ଦେଇଥିବା ସମସ୍ୟା ପ୍ରତି ସରକାର ଯତ୍ନବାନ ହେବା ସହିତ ଯୋଜନାର ସଫଳ ରୂପାୟନ ପାଇଁ ଆନ୍ତରିକ ଉଦ୍ୟମ କରିବା ଆବଶ୍ୟକ ବୋଲି ଚାଷୀମାନେ ଦାବି କରିଛନ୍ତି। ବିଶେଷ କରି ଲାଭଜନକ ହେଉ ନଥିବା ଶୀତଳଭଣ୍ଡାର ଯୋଜନାକୁ ସରକାର କିପରି କାର୍ଯ୍ୟକାରୀ କରିପାରିବେ ସେଥିପ୍ରତି ଧ୍ୟାନ ନେବାକୁ ବାରମ୍ବାର ଦାବି ହେଉଛି।

ସମ୍ବନ୍ଧିତ ଖବର