‘ଡିଜିଟାଲ୍ ଇଣ୍ଡିଆ’ ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିଛି: ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ୍‌

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଲକ୍ଷାଧିକ ଓଡ଼ିଆଙ୍କ ଜୀବନରେ ଆଖିଦୃଶିଆ ପରିବର୍ତ୍ତନ ଆଣିଛି। ମହାମାରୀ ସମୟରେ ଓଡ଼ିଶା ସମେତ ଦେଶର ଅନେକ ଗରିବ ଲୋକଙ୍କୁ ସିଧାସଳଖ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ ଏବଂ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ପହଞ୍ଚାଇବାରେ ଡିଜିଟାଲ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଡିଜିଟାଲ ଇଣ୍ଡିଆ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାରେ ଟେଲିଫୋନ୍‌ ଘନତ୍ୱକୁ ବଢ଼ାଇବା ପାଇଁ ଭାରତ ସରକାର ୨ଜି ଭଏସ୍ ଓ ୪ଜି ଡାଟାର ସୁବିଧା ଯୋଗାଇବା ନିମନ୍ତେ ରାଜ୍ୟର ୧୮ଟି ମାଓପ୍ରବଣ ଅଞ୍ଚଳରେ ୪୮୩ଟି ମୋବାଇଲ ଟାୱାର ପ୍ରତିଷ୍ଠା କରୁଛନ୍ତି। ଏହି ପଦକ୍ଷେପ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ଯୋଗାଇବା ସହ ଆର୍ଥିକ କାରବାରକୁ ବୃଦ୍ଧି କରାଇବ। ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବା ସହ ସ୍ଥାନୀୟ ସୁରକ୍ଷା ବଳକୁ ସାହାଯ୍ୟ କରିବ। ଓଡ଼ିଶାର ୧୬ଟି ଜିଲ୍ଲାର ୩୨୯୧ ଗ୍ରାମ ପଞ୍ଚାୟତକୁ ବିଶ୍ୱର ସର୍ବବୃହତ୍ତ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରକଳ୍ପ ଭାରତନେଟ୍ ଜରିଆରେ ଅପଟିକାଲ୍ ଫାଇବର୍ କେବୁଲ ସହ ଯୋଡ଼ା ହୋଇଛି। ଏହା ଦ୍ୱାରା ଏହି ଗ୍ରାମାଞ୍ଚଳର ଲୋକମାନେ ହାଇସ୍ପିଡ୍ ଇଣ୍ଟରନେଟର ସୁବିଧା ପାଇପାରିବେ। ସେହିପରି ୬୫୦ରୁ ଅଧିକ ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ ବ୍ୟାଙ୍କ୍ କେବଳ ଓଡ଼ିଶାର ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଉ ନାହିଁ ବରଂ ଏହା ସମଗ୍ର ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରିବା ଦିଗରେ କାମ କରୁଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡିଜିଟାଲ୍ ଟେକ୍ନୋଲୋଜି ବିଶେଷତଃ କରୋନା ସମୟରେ ଲୋକଙ୍କ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇପାରିଛି । ନିକଟରେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିସନ୍‌ରେ ଘୋଷଣା ହୋଇଥିବା ଆରୋଗ୍ୟ ସେତୁ ‘ଡିଜିଟାଲ୍ ଇଣ୍ଡିଆ’ରେ କେବଳ କରୋନା ମୁକବିଲା କରିବାରେ ସକ୍ଷମ ହୋଇ ନାହିଁ ବରଂ ଅନେକ ଲକ୍ଷ୍ୟକୁ ମଧ୍ୟ ପୂରଣ କରିପାରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ପଦକ୍ଷେପ ପାରଦର୍ଶୀ ଶାସନର ଯୁଗ ଆରମ୍ଭ କରିବା ସହ ସରକାରଙ୍କୁ ଲୋକଙ୍କ ନିକଟରେ ଅଧିକ ଉତ୍ତରଦାୟୀ କରିଛି । ଏହା ସହ ୧୩୦ କୋଟି ଭାରତୀୟଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିପାରିଛି । ଲୋକଙ୍କ ଜୀବନଶୈଳୀକୁ ସୁବିଧା ଯୋଗାଇବା ସହ ଜନସେବା ବିତରଣ କାମକୁ ମଧ୍ୟ ତ୍ୱରାନ୍ୱିତ କରିଛି। ଡିଜିଟାଲ୍‌ ଟେକ୍ନୋଲୋଜି ମାଧ୍ୟମରେ ଦୁର୍ନୀତିକୁ ରୋକାଯାଇ ପାରୁଛି। ସ୍ୱାସ୍ଥ୍ୟ ସେବା, ଶିକ୍ଷା ପ୍ରଦାନ କରିବା ଭଳି ଅନେକ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ କରିବା ଦିଗରେ ଡିଜିଟାଲ୍‌ ଟେକ୍ନୋଲୋଜି ମୁଖ୍ୟ ଭୂମିକା ନେଉଛି। ବିଶ୍ୱ କରୋନା ପରବର୍ତ୍ତୀ ସମୟରେ ଡିଜିଟାଲ୍ ଇଣ୍ଡିଆ ଗେମ୍‌-ଚେଞ୍ଜର୍ ଭାବେ ଉଭା ହେବ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ କେନ୍ଦ୍ର ଟେଲିକମ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉଦ୍ୟମ ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ ନବସୃଜନର ଏକ ଢାଞ୍ଚା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ରାଜ୍ୟକୁ ସୁବିଧା ଯୋଗାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର