ଫୁଲବାଣୀ : ଗୋଟିଏ ପଟେ କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆର ସ୍ବପ୍ନ ଦେଖାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ ଜିଲ୍ଲାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ପରିଧି ବାହାରେ ଯଦି ନେଟ୍ୱର୍କ ନାହିଁ ତେବେ ଜିଲ୍ଲାର ଅନ୍ୟାନ୍ୟ ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳ କଥା ନ କହିବା ଭଲ। ମୋବାଇଲ୍ ନେଟ୍ୱର୍କ ଦିନ ଦିନ ଧରି ରହୁ ନଥିବାରୁ ଜିଲ୍ଲାର ଅଧିକାଂଶ ଆଦିବାସୀ ଅପହଞ୍ଚ ଇଲାକା ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ବିଶେଷ କରି ଡାକ୍ତରଖାନା ମାମଲାରେ ଆମ୍ବୁଲାନ୍ସକୁ ଫୋନ୍ କରି ଜଣାଇବା ମଧ୍ୟ ସମ୍ଭବପର ହେଉନାହିଁ।
ସେହିଭଳି ଏସବୁ ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍, ପଞ୍ଚାୟତ କାର୍ଯ୍ୟାଳୟ ଆଦି ମୋବାଇଲ ନେଟ୍ୱର୍କ ବିନା ଏକପ୍ରକାର ଅଚଳ ହୋଇ ପଡ଼ିଛି। କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଭର୍ଚୁଆଲ୍ ମିଟିଂ ପାଇଁ ପଞ୍ଚାୟତ କର୍ମଚାରୀ ଏମିତି ନେଟୱର୍କ ଖୋଜି ଖୋଜି ପାହାଡ଼ ଉପରକୁ,ଘାଟି ରାସ୍ତା ଚଢ଼ନ୍ତି। ସେହିଭଳି ଫୋନରେ ଯୋଗାଯୋଗ କରିବା ସ୍ଥାନୀୟ ଅଞ୍ଚଳର ଆଦିବାସୀଙ୍କ ପାଇଁ ସାତସପନ ପାଲଟିଛି।
ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ଜାମଝରି ମାତ୍ର ୧୨ କିଲୋମିଟର ହୋଇ ମଧ୍ୟ ଏଠାରେ ନେଟ୍ୱର୍କ ସମସ୍ୟା ଅତି ଦୟନୀୟ। କେବଳ ଜାମଝରି କାହିଁକି ଫୁଲବାଣୀ ବ୍ଲକ୍ର କଟ୍ରିଙ୍ଗିଆ, ଦଡ଼କି, ତୁଡ଼ିପାଜୁ, ମିଣିଆ ଆଦି ପଞ୍ଚାୟତ ଫୁଲବାଣୀ ସହରଠାରୁ ମାତ୍ର ୧୦ କିଲୋମିଟର ଦୂରତାରେ ଥିବାବେଳେ ଏ ସବୁ ପଞ୍ଚାୟତର ଗାଁମାନଙ୍କୁ ନେଟୱର୍କ ନାହିଁ। ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ଜାମୁଝରି ପଞ୍ଚାୟତରେ କାର୍ଯ୍ୟରତ ଦକ୍ଷ ନଥିପତ୍ର ଲେଖିକା ଗୀତାଞ୍ଜଳି ରଣା ଏବଂ ଓଏଲ୍ଏମ୍ କର୍ମଚାରୀ ପଙ୍କଜିନୀ ମଲିକ ନିଜର ସ୍ମାର୍ଟଫୋନ୍ ଧରି ଗ୍ରାମ ଉପକଣ୍ଠରେ ଥିବା ଉକୁଡୁଡୁ ପାହାଡ଼ଘାଟିରେ ବସିଥିବାର ଦେଖିବା ପରେ ମନରେ ସ୍ବାଭାବିକ ପ୍ରଶ୍ନ ଉଠିଥିଲା। ଘାଟି ଉପରେ ଥାକଥାକ ଇଟା ଉପରେ ସ୍ମାର୍ଟଫୋନ୍କୁ ରଖି ଏ ଦୁଇ ମହିଳା କ'ଣ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ସେମାନେ ଅଫିସ କାମ କରୁଛନ୍ତି ବୋଲି କହିଥିଲେ। ବ୍ଲକ ଅଫିସରୁ କିଛି ଜରୁରୀ ସୂଚନା ଓ ଚିଠି ସେମାନଙ୍କ ସ୍ମାର୍ଟଫୋନ୍ରେ ଆସିଥିଲା। ସେସବୁ ଚିଠି ଓ ସୂଚନା ଡାଉନ୍ଲୋଡ଼ କରିବାକୁ ଇଣ୍ଟରନେଟ୍ର ଆବଶ୍ୟକ।
ମାତ୍ର ଜାମୁଝରି ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ନେଟ୍ୱର୍କ ସୁବିଧା ନଥିବାରୁ ଏ ଦୁହେଁ ନିକଟସ୍ଥ ଉକୁଡୁଡୁ ପାହାଡ଼ ଘାଟି ଉପରକୁ ଚାଲି ଯାଇଥିଲେ ଏବଂ ଘାଟି ଉପରେ ଇଟାକୁ ଥାକ ଥାକ କରି ସଜେଇ ତା' ଉପରେ ସ୍ମାର୍ଟଫୋନ୍କୁ ରଖି ଚାତକ ଦୃଷ୍ଟିରେ ମୋବାଇଲ ଫୋନ୍କୁ ଚାହିଁ ରହିଥିଲେ। ଜାମୁଝରି ପଞ୍ଚାୟତ ସଦର ମହକୁମାଠାରେ ଇଣ୍ଟରନେଟ୍ ସୁବିଧା ନଥିଲା। ମାତ୍ର ଉକୁଡୁଡୁ ଘାଟିର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନେଟ୍ୱର୍କ ଆସୁଥିଲା। ଏଣୁ ପଞ୍ଚାୟତ କାର୍ଯ୍ୟାଳୟର କର୍ମଚାରୀମାନେ ନେଟ୍ୱର୍କ ପାଇଁ ଏହି ଘାଟି ଉପରକୁ ଚାଲି ଆସନ୍ତି ବୋଲି ଜାମଝରି ସରପଞ୍ଚ ଲଳିତା କହଁର କହିଥିଲେ। କେବଳ ଜାମଝରି ପଞ୍ଚାୟତର କର୍ମଚାରୀ କାହିଁକି ମନରେଗା କାର୍ଯ୍ୟରେ ନିୟୋଜିତ ମେଟ୍ କର୍ମଚାରୀ, ଯୋଗାଣ ସହାୟକ, ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀମାନେ ନେଟ୍ୱର୍କ ଖୋଜି ଖୋଜି ଏହି ଘାଟିକୁ ଚାଲି ଆସନ୍ତି ବୋଲି କହିଥିଲେ ଗୀତାଞ୍ଜଳି ରଣା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/25-19.jpg)