ଭୁବନେଶ୍ୱର : କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଅନ୍ଲାଇନ୍ ଶିକ୍ଷାଦାନ ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଛି। ହ୍ୱାଟସ୍ ଆପ୍ରେ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ‘ଦୀକ୍ଷା’ ଓ ‘ମଧୁ’ ଆପ୍ ଜରିଆରେ ଛାତ୍ରଛାତ୍ରୀ ପାଠ୍ୟପୁସ୍ତକ, ପାଠ୍ୟ ଭିଡିଓ ଦେଖି ପାରୁଛନ୍ତି। ଦୂରଦର୍ଶନ(ଡିଡି ଓଡ଼ିଆ)ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତିଦିନ ୩ ଘଣ୍ଟାର ଶିକ୍ଷାଦାନ ଚାଲୁ ରହିଛି। ଅନ୍ୟ ଶ୍ରେଣୀର ଶିକ୍ଷାଦାନ ପାଇଁ ପ୍ରୟାସ ହେଉଛି। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ରେଡିଓ-ପାଠଶାଳା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ କମ୍ୟୁନିଟି ରେଡିଓ ମାଧ୍ୟମ ପରି ରେଡିଓ-ସୁରଭି କାର୍ଯ୍ୟକ୍ରମ କରାଯାଉଛି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ସମେତ ସମସ୍ତ ଆଦର୍ଶ ବିଦ୍ୟାଳୟ ଓ ୧୦୧ଟି ଉତ୍କର୍ଷ ବିଦ୍ୟାଳୟରେ ଅନ୍ଲାଇନ୍ ଶିକ୍ଷାଦାନ ଚାଲୁ ରହିଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରାମର୍ଶକ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଅନ୍ଲାଇନ୍ ଶିକ୍ଷାଦାନ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍(ଟିସିଏସ୍) ପକ୍ଷରୁ ଆଇ ଓ ଏନ୍ ଡିଜିଟାଲ୍ ଗ୍ଲାସ୍ରୁମ୍ କାର୍ଯ୍ୟକ୍ରମ ରାଜ୍ୟର ୧୦୧ଟି ଉତ୍କର୍ଷ ବିଦ୍ୟାଳୟ ଓ ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆରମ୍ଭ କରିବାକୁ ସ୍ଥିର ହୋଇଛି। ଏହା ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ର ସିଏସ୍ଆର୍ ପକ୍ଷରୁ ବିନା ମୂଲ୍ୟରେ କରାଯିବ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅନ୍ଲାଇନ୍ ମାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, ଗୃହ ପାଠ୍ୟ, ଡିବେଟ୍, କୁଇଜ୍ ସର୍ବେକ୍ଷଣ ଆଦି ବିଭିନ୍ନ ଶିକ୍ଷଣ କାର୍ଯ୍ୟ କରିପାରିବେ। ଏହି ଶିକ୍ଷଣ କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିନାମୂଲ୍ୟରେ ଟିସିଏସ୍ ଦ୍ୱାରା ତାଲିମ ଦିଆଯିବ। ଏହାଦ୍ୱାରା ସେମାନେ ବିଭିନ୍ନ ପ୍ରକାର ଡିଜିଟାଲ୍ ଶିକ୍ଷକତା ପ୍ଲାଟ୍ଫର୍ମ ଓ ଶିକ୍ଷା ବିଜ୍ଞାନ ବିଷୟରେ ଧାରଣା ପାଇ ପାରିବେ। ଏହି ତାଲିମ ଶିକ୍ଷକ/ଶକ୍ଷୟିତ୍ରୀ ନିଜ ସମୟ ସୁବିଧା ଅନୁସାରେ ଦିନକୁ ୧/୨ଘଣ୍ଟା ସମୟ ଦେଇ ଶିକ୍ଷା ଶେଷ କରିବେ। ଏହି ତାଲିମ ଦ୍ୱାରା ଶିକ୍ଷକ/ଶିକ୍ଷୟିତ୍ରୀ ଅନ୍ଲାଇନ୍ ଶିକ୍ଷଣ ସମ୍ପର୍କିତ ବିଭିନ୍ନ କୌଶଳ ଜାଣିପାରିବେ। କ୍ରମାଗତ ନିଜର ଶିକ୍ଷଣ ଦକ୍ଷତାକୁ ବୃଦ୍ଧି କରିବା ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହୋଇପାରିବ।
ଭର୍ଚୁଆଲ୍ ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ଓସେପାର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।