ଭୁବନେଶ୍ବର : ଡିଜିଟାଲ୍ ଭୋଟର୍ ପରିଚୟପତ୍ରର ଡାଉନ୍ଲୋଡ୍ ସମୟସୀମା ବୃଦ୍ଧି କରାଯାଇଛି। ଫେବ୍ରୁଆରି ମାସ େଶଷ ପର୍ଯ୍ୟନ୍ତ ଏହା ଡାଉନ୍ଲୋଡ୍ କରାଯାଇପାରିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଗତ ୨୫ ତାରିଖରେ ଜାତୀୟ ଭୋଟର୍ ଦିବସ ପାଳନ ଅବସରରେ ଭୋଟର୍ମାନଙ୍କ ପାଇଁ ଇ-ଇପିକ୍ ବା ଇଲେକ୍ଟ୍ରୋନିକ୍ସ ଭୋଟର୍ ପରିଚୟ ପତ୍ରର ଶୁଭାରମ୍ଭ କରିଥିଲେ। ଏହା ଏକ ଡିଜିଟାଲ୍ ଭୋଟର୍ ପରିଚୟ ହୋଇଥିବାରୁ ଭୋଟର୍ମାନେ ଏହାକୁ ଭୋଟର୍ ହେଲ୍ପ୍ ଲାଇନ୍ ମୋବାଇଲ୍ ଆପ୍ କିମ୍ବା voterportal.eci.in କିମ୍ବା nvsp.inରେ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିପାରିବେ। ନୂଆ ଭୋଟର୍ମାନେ(ପ୍ରଥମ ଥର ଭୋଟର୍) ଯେଉଁମାନଙ୍କର ଭୋଟର୍ ତାଲିକା ସହ ନିଜ ମୋବାଇଲ୍ ନମ୍ବର ପଞ୍ଜୀକୃତ ହୋଇଥିବ, ସେମାନେ ଜାନୁଆରି ୨୫ରୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ନିଜ ମୋବାଇଲ୍ ମାଧ୍ୟମରେ ଇ-ଇପିକ୍ ଡାଉନ୍ଲୋଡ୍ କରିପାରିବେ ବୋଲି ପୂର୍ବରୁ ନିର୍ବାଚନ କମିସନ୍ ନିର୍ଦ୍ଦେଶ ଦେଇଥିଲେ। ମୋବାଇଲ୍ ନମ୍ବର ପଞ୍ଜୀକୃତ ହୋଇ ନ ଥିବା ଭୋଟର୍ମାନେ ଫେବ୍ରୁଆରି ୧ ତାରିଖ ଠାରୁ ଇ-ଇପିକ୍ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିପାରିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ତେବେ ଇ-ଇପିକ୍ ପ୍ରତି ଭୋଟର୍ମାନଙ୍କର ପ୍ରବଳ ଆଗ୍ରହ ଦେଖି ନିର୍ବାଚନ କମିସନ୍ ପ୍ରାଥମିକତା ଭିତ୍ତିରେ ୨୦୨୧ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର୍ ତାଲିକାରେ ନୂଆ କରି ପଞ୍ଜୀକୃତ ହୋଇଥିବା ଭୋଟର୍ମାନଙ୍କ ନିମନ୍ତେ ଇ-ଇପିକ୍ ଡାଉନ୍ଲୋଡ୍ କରିବା ସମୟସୀମା ଫେବ୍ରୁଆରି ମାସ େଶଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟାନ୍ୟ ଭୋଟର୍ ଏସ୍ଏସ୍ଆର୍-୨୦୨୧ ପୂର୍ବରୁ ପଞ୍ଜୀକୃତ ଭୋଟର୍ମାନେ ଯେଉଁମାନଙ୍କ ମୋବାଇଲ୍ ନମ୍ବର ସଂଯୋଗ ହୋଇଥିବ, ସେମାନଙ୍କ ପାଇଁ ଇ-ଇପିକ୍ ବା ଡିଜିଟାଲ୍ ଫଟୋ ପରିଚୟ ଡାଉନ୍ଲୋଡ୍ କରିବାର ସମୟ ଅଲଗା ଭାବେ ନିର୍ବାଚନ କମିସନ୍ଙ୍କ ପକ୍ଷରୁ ଜଣାଇ ଦିଆଯିବ। ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଜଣାଇବା ସହ ଇ-ଇପିକ୍ର ସୁଯୋଗ ନେବା ନିମନ୍ତେ ସମସ୍ତ ନୂଆ ଭୋଟର୍ଙ୍କୁ ଉତ୍ସାହିତ କରିବା ପାଇଁ ନିର୍ବାଚନ କମିସନ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।