କଟକ:  ଆଧୁନିକ ଯୁଗରେ ବାହାଘର ନିମନ୍ତ୍ରଣପତ୍ର ଦେବାକୁ କେହି କାହା ଘରକୁ ଯିବାକୁ ପସନ୍ଦ କରୁନାହାନ୍ତି। ଡିଜିଟାଲ୍ କାର୍ଡ ହ୍ବାଟ୍‌ସ୍‌ଆପ୍ ମାଧ୍ୟମରେ ପଠାଉଛନ୍ତି। କିନ୍ତୁ ଏହି ଡିଜିଟାଲ୍ କାର୍ଡ ଏବେ ଘାତକ ହେଲାଣି। ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ନିମନ୍ତ୍ରଣ ପତ୍ର ନାଁରେ ଭାଇରସ୍ ପଠାଇ ମୋବାଇଲ୍ ହ୍ୟାକ୍ କରିନେଉଛନ୍ତି। ଏହାପରେ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଖାଲି କରିନେଉଛନ୍ତି। ତେଣୁ ଏଭଳି ନୂଆ ଧରଣର ସାଇବର୍ ଅପରାଧଠାରୁ ଦୂରେଇ ନ ରହିଲେ କିଛି ସେକେଣ୍ଡ ମଧ୍ୟରେ ସାଇବର୍ ଅପରାଧୀମାନେ ବ୍ୟାଙ୍କ ଗ୍ରାହକଙ୍କୁ କାଙ୍ଗାଳ କରିଦେବାର ଯଥେଷ୍ଟ ଆଶଙ୍କା ରହିଛି।

Advertisment

ପୋଛିନେଉଛନ୍ତି ଜମା ଟଙ୍କା
୪ ରାଜ୍ୟରେ ଆଲର୍ଟ

ସୂଚନା ଅନୁଯାୟୀ, ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏବେ ବାହାଘର ପାଇଁ ସମସ୍ତେ ହ୍ବାଟ୍‌ସ୍‌ଆପ୍‌ରେ ନିମନ୍ତ୍ରଣପତ୍ର ଡିଜିଟାଲ୍ ଆକାରରେ ପଠାଉଛନ୍ତି। ଏହି ଆଳରେ ସାଇବର୍ ଅପରାଧୀମାନେ ହ୍ବାଟ୍‌ସ୍‌ଆପ୍‌ରେ ଏପିକେ(ଆଣ୍ଡ୍ରଏଡ୍ ପ୍ୟାକେଜ୍‌ କିଟ୍) ଫାଇଲ୍‌ରେ ନିମନ୍ତ୍ରଣପତ୍ର ପଠାଉଛନ୍ତି। ଅଜଣା ନମ୍ବରରୁ ନିମନ୍ତ୍ରଣପତ୍ର ଆସୁଥିବା ଦେଖି ଯେତେବେଳେ କେହି ଏହାକୁ କ୍ଲିକ୍ କରୁଛନ୍ତି ତୁରନ୍ତ କ୍ଷତିକାରକ ଆପ୍ଲିକେସନ୍ ମୋବାଇଲ୍‌ରେ ସ୍ବୟଂ ଡାଉନଲୋଡ୍ ହୋଇଯାଉଛି। ଏହା ପରେ ଉକ୍ତ ଆପ୍ଲିକେସନ୍ ମୋବାଇଲ୍‌ରେ ସ୍ବୟଂ ଇନ୍‌ଷ୍ଟଲ୍ ହେବା ପରେ ସାଇବର୍ ଅପରାଧୀମାନେ ମୋବାଇଲ୍‌କୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇଯାଉଛନ୍ତି। ଏହାପରେ ମୋବାଇଲ୍‌ର ଯୋଗାଯୋଗ ନମ୍ବର, ମେସେଜ୍, ଫଟୋ ଓ ଆର୍ଥିକ କାରବାର ସଂକ୍ରାନ୍ତ ସମସ୍ତ ତଥ୍ୟ ମିଳିଯାଉଛି। ମୋବାଇଲ୍‌ରୁ ଏହି ବ୍ୟକ୍ତିଗତ ତଥ୍ୟ ଚୋରି କରିବା ପରେ ଏହାକୁ ବ୍ୟବହାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ୍ କରାଯାଉଛି। ବ୍ଲାକମେଲ୍ କରି ସାଇବର୍ ଅପରାଧୀମାନେ ଟଙ୍କା ଆଦାୟ କରୁଛନ୍ତି। ଏହି ଧରଣର ଠକେଇ କାରବାରକୁ ନେଇ ହିମାଚଳପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ଉତ୍ତରପ୍ରଦେଶରେ ପୁଲିସ ସତର୍କ ସୂଚନା ଜାରି କରିସାରିଲାଣି। ଏହି ଗ୍ୟାଙ୍ଗ ହ୍ବାଟ୍‌ସ୍‌ଆପ୍‌କୁ ବାହାଘର ନିମନ୍ତ୍ରଣପତ୍ର ସହିତ ଲଟେରି ଟିକଟ୍, ଫୋନ୍ ବିଲ୍, ଇ-କମର୍ସ ଭାଉଚର୍‌ ଇତ୍ୟାଦି ଏପିକେ ଫାଇଲ୍‌ରେ ହ୍ବାଟ୍‌ସ୍‌ଆପ୍ ମାଧ୍ୟମରେ ପଠାଇ ମଧ୍ୟ ସମାନ ଧରଣର ଲୁଟୁଛନ୍ତି। ଏହି ଫାଇଲ୍‌ଗୁଡ଼ିକୁ ମଧ୍ୟ ଯେତେବେଳେ କେହି କ୍ଲିକ୍ କରୁଛନ୍ତି ସେ ସମୟରେ ମଧ୍ୟ ଠକେଇର ଶିକାର ହେଉଛନ୍ତି। 

ସାଇବର୍ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହ୍ବାଟ୍‌ସ୍‌ଆପ୍‌ରେ ଦୁଇ ଫ୍ୟାକ୍ଟର ଅଥେଣ୍ଟିକେସନ୍(୨ ଏଫଏ) ଅପ୍‌ସନ୍‌କୁ ଆକ୍ଟିଭେଟ୍ କରିବା ନିହାତି ଜରୁରି। ଏହାଦ୍ବାରା ହ୍ବାଟ୍‌ସ୍‌ଆପ୍ ଆକାଉଣ୍ଟକୁ ଅଧିକ ସୁରକ୍ଷିତ ରଖାଯାଇପାରିବ। ଅନ୍ୟପଟେ ଏଭଳି ପରିସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜାତୀୟ ସାଇବର୍ ଅପରାଧ ରିପୋର୍ଟିଂ ପୋର୍ଟାଲ୍‌ (ଏନ୍‌ସିଆର୍‌ପି)ର ଯୋଗାଯୋଗ ନମ୍ବର ୧୯୩୦ରେ ଫୋନ୍ କରି କିମ୍ବା https://cybercrime.gov.in/ ଵେବ୍‌ସାଇଟ୍‌ରେ ଘଟଣା ସମ୍ପର୍କରେ ସୂଚନା ଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଏସ୍‌ଏମ୍‌ଏସ୍‌, ଇ-ମେଲ୍‌ କିମ୍ବା ହ୍ବାଟ୍‌ସ୍‌ଆପ୍‌ରେ ଆସିଥିବା ଅଜଣା ନମ୍ବରରୁ ଆସିଥିବା ଫାଇଲ୍ କିମ୍ବା ଲିଙ୍କ୍ ଖୋଲିବାକୁ ଉଦ୍ୟମ କରିବା ଅନୁଚିତ। ନଚେତ ଠକେଇରେ ପଡ଼ିବାର ଆଶଙ୍କା ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସତର୍କ କରାଯାଇଛି।