ମହାପ୍ରଭୁଙ୍କ ୬୦ହଜାର ଏକର ଜମିର ଡିଜିଟାଇଜେସନ୍‌ ଆରମ୍ଭ, ଖର୍ଚ୍ଚ ହେବ ୧୧ କୋଟି

ପୁରୀ: ମହାପ୍ରଭୁଙ୍କ ଜମିଜମାକୁ ନେଇ ବହୁ ବାଦବିବାଦ, ଜରିମାନା, ଜବରଦଖଲ ସମସ୍ୟାରେ ଛନ୍ଦି ହେବା ପରେ ‌ଶେଷରେ ଶ୍ରୀମନ୍ଦିର ପ୍ରଶାସନର ନିଦ ଭାଙ୍ଗିଛି। ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରଭୁଙ୍କ ନାମରେ ଥିବା ପ୍ରାୟ ୬୦ହଜାର ଏକର ଜମିର ଡିଜିଟାଇଜେସନ୍‌ କାମ ଆରମ୍ଭ ହୋଇଛି। ରାଜ୍ୟ ସରକାର ଏ ବାବଦକୁ ପ୍ରାୟ ୧୧ କୋଟି ଟଙ୍କାର ଅନୁଦାନ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ଏହି ଡିଜିଟାଇଜେସନ୍‌ ପ୍ରକଳ୍ପ କାମ ଓର୍‌ସାକ ତତ୍ତ୍ବାବଧାନରେ ସ୍ପାର୍କ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା କରିବ। ଚଳିତବର୍ଷ ହିଁ ଜମିଜମାର ଏହି ଡିଜିଟାଇଜେସନ୍‌ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନ‌ା ଅଧିକାର ତଥ୍ୟ ଅନୁସାରେ, ମହାପ୍ରଭୁଙ୍କ ନାଁରେ ବିଭିନ୍ନ କିସମର ୬୦,୪୨୬.୯୪୩ ଏକର ଜମି ଥିବାବେଳେ ଏଥିରୁ ଓଡ଼ିଶାର ୨୪ଟି ଜିଲ୍ଲାରେ ୬୦,୦୩୧.୯୪୩ ଏକର ଓ ରାଜ୍ୟ ବାହାରେ ୬ଟି ରାଜ୍ୟରେ ୩୯୫.୨୫୨ ଏକର ଜମି ରହିଛି। ରାଜ୍ୟ ବାହାରେ ୬ଟି ରାଜ୍ୟରେ ଚିହ୍ନଟ ଜମିରୁ ପଶ୍ଚିମବଙ୍ଗରେ ସର୍ବାଧିକ ୩୨୨.୯୩୦ ଏକର ଜମି ରହିଛି। ସେହିଭଳି ମହାରାଷ୍ଟରେ ୨୮.୨୧୮ ଏକର, ମଧ୍ୟପ୍ରଦେଶରେ ୨୫.୧୧୦ ଏକର, ଆନ୍ଧ୍ରପ୍ରଦେଶରେ ୧୭.୦୨୦ ଏକର, ଛତିଶଗଡ଼ରେ ୧.୭୦୦ ଏକର ଓ ବିହାରରେ ୦.୨୭୪ ଏକର ଜମି ରହିଛି। ସେହିଭଳି ରାଜ୍ୟ ଭିତରେ ଚିହ୍ନଟ ଜମିରୁ ଖୋର୍ଦ୍ଧା ଜିଲ୍ଲାରେ ୫୮୨.୨୫୫ ଏକର ଜମି ରହିଛି। ଯାହା ଓଡ଼ିଶା କାଜୁ ଉନ୍ନୟନ ନିଗମକୁ ଲିଜ୍‌ ଆକାରରେ ପ୍ରଦାନ କରାଯାଇଛି। ଏହାବାଦ୍‌ ମହାପ୍ରଭୁଙ୍କ ଜମି ଉପରେ ବିଭିନ୍ନ ପ୍ରକାରର ୭୬ଟି ଖଣି ଓ ୨୪୦ଟି କ୍ରସର୍‌ ରହିଛି। ବିଭିନ୍ନ ସ୍ଥାନରେ ଥିବା ଚାଷ ଜମିଗୁଡ଼ିକୁ ସ୍ଥାନୀୟ ଲୋକମାନଙ୍କୁ ଚାଷ କରିବାକୁ ଅନୁମତି ଦେଇ ରାଜଭାଗ ଆଦାୟ କରାଯାଉଛି। ଇତିମଧ୍ୟରେ ୬୦,୪୨୬.୯୪୩ ଏକର ଜମିରୁ ୩୪,୮୭୬.୯୮୩ ଏକର ଜମିର ସଂଶୋଧିତ ସ୍ବତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ବାକି ୨୬,୨୨୫.୯୬୭ ଏକର ଜମିର ସ୍ବତ୍ବଲିପି ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ହସ୍ତଗତ ହୋଇପାରିନି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଅନେକ ସମୟରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଭୂମି ଅଧିଗ୍ରହଣ ଓ ୟୁନିଫର୍ମ ପଲିସି ଅନୁସାରେ ଜମି ନିୟମିତିକରଣ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ ଅନେକ ସମୟରେ ଅସାଧୁ ଲୋକମାନେ ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ସମସ୍ୟା ସୃଷ୍ଟି କରୁଛନ୍ତି ଓ ଶ୍ରୀମନ୍ଦିର ପ୍ରଶାସନ ତାର ସୀମିତ ମାନବସମ୍ବଳକୁ ନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହାୟତାରେ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛି। ଏହି ଡିଜିଟାଇଜେସନ୍‌ ଯୋଜନା ଉପରୋକ୍ତ କାର୍ଯ୍ୟଗୁଡ଼ି‌କରେ ଶ୍ରୀମନ୍ଦିର ପ୍ରଶାସନକୁ ନିଶ୍ଚିତ ଭାବେ ଫଳପ୍ରଦ ସହାୟତା ପ୍ରଦାନ କରିବ। ଚାଷୀମାନେ ସେମାନଙ୍କ ରାଜଭାଗ ଅନଲାଇନ୍‌ରେ ପୈଠ କରିପାରିବେ। ଏହାସହ ଜନସାଧାରଣ ମହାପ୍ରଭୁଙ୍କ ଜମିଜମାର ବିବରଣୀ ଶ୍ରୀମନ୍ଦିର ୱେବସାଇଟ୍‌ରୁ ଦେଖି ପାରିବେ। ଏହାଦ୍ବାରା ବେନାମି ଜମି କାରବାରରେ ରୋକ୍‌ ଲାଗିପାରିବ। ସେହିଭଳି ବିଭିନ୍ନ ଜାଗାରେ ଥିବା ଖଣିଗୁଡ଼ିକୁ ଉପଗ୍ରହ ସୂଚନା ସହ ଯୋଡ଼ି ସମୟକୁ ସମୟ ସେଠାରେ ଖଣିଜ ଦ୍ରବ୍ୟର ଉତ୍ତୋଳନ ଓ ଅବସ୍ଥିତିର ସବିଶେଷ ବିବରଣୀ ଓ ଜବରଦଖଲ ତଥ୍ୟ ହାସଲ କରିହେବ। ସର୍ବୋପରି ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ବ୍ୟବସ୍ଥା ରାଜସ୍ବ ବିଭାଗର ଭୂଲେଖ ଓ ଭୂ-ନକ୍ସା ସହ ସମନ୍ବୟ ରକ୍ଷା କରି ଜମିଗୁଡ଼ିକର ଅଞ୍ଚଳ, ମାଲିକାନା ଓ ଅନ୍ୟାନ୍ୟ ପରିବର୍ତ୍ତନକୁ ଏକାଠି କରି ଏକ ସମୟୋପଯୋଗୀ ଓ ଲୋକାଭିମୁଖୀ ବ୍ୟବସ୍ଥା ପ୍ରଚଳନରେ ସକ୍ଷମ ହେବ। ଏହି ଯୋଜନା ବିଭିନ୍ନ ଜାଗାରେ ଥିବା ମହାପ୍ରପଭୁଙ୍କ ଜମିଜମାର ରକ୍ଷଣାବେକ୍ଷଣରେ ଏକ ଯୁଗାନ୍ତକାରୀ ପ୍ରଭାବ ପକାଇବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୨୩ ତାରିଖରେ ଓର୍‌ସାକ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଓ ସ୍ପାର୍କ ପ୍ରାଇଭେଟ୍‌ ଲିମିଟେଡ୍‌ର କର୍ମକର୍ତ୍ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ବୋଲ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର