ଭଞ୍ଜନଗର: ‘ଗୋଟିଏପଟେ ବୋହୂ ଓ ନାତିର ମୃତ୍ୟୁ। ଅନ୍ୟପଟେ ଡାକ୍ତରଖାନାରେ ଜୀବନ ସହ ଲଢ଼ୁଛି ପୁଅ। ମୋ’ପରିବାର ଉପରେ ଦଇବ ଯେମିତି ଦୁଃଖର ପାହାଡ଼ ଲଦିଦେଇଛି। ଆଉ କେତେ ସହିବି’। ଏହି କୋହଭରା ଆବେଦନ ପରିପ୍ରକାଶ କରିବା ବେଳେ ଗୋପାଳଚନ୍ଦ୍ର ପ୍ରଧାନଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ସତରେ ଭଗବାନ କ’ଣ ଏତେ ନିଷ୍ଠୁର ବୋଲି ମୁଜାଗଡ଼ ଗ୍ରାମବାସୀ କହିଥିଲେ।
ଗତ ୨୫ ତାରିଖ ରାତିରେ ଦିଗପହଣ୍ଡି ଖେମୁଣ୍ଡି କଲେଜ ସାମ୍ନାରେ କନ୍ୟାଯାତ୍ରୀ ବସ୍କୁ ଓଏସ୍ଆର୍ଟିସି ବସ୍ ଧକ୍କା ଦେବା ଫଳରେ ୧୨ ଜଣ ପ୍ରାଣ ହରାଇଥିଲେ। ଯେଉଁଥିରେ ନବବିବାହିତା କନ୍ୟା ସୋନାଲି ପ୍ରଧାନଙ୍କ ନିଜ ଭଉଣୀ ଶିବାନୀ ପ୍ରଧାନ (୨୭) ଓ ତାଙ୍କ ଏକବର୍ଷର ପୁଅ ଆଦ୍ଭିକ୍ର ମୃତ୍ୟୁ ଘଟିଥିଲା। ସେହିପରି ସୋନାଲିଙ୍କ ଦାଦାଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନ (୨୭) ଓ ତାଙ୍କ ୩ ବର୍ଷର ପୁଅ ଦେବାଂଶ ପ୍ରଧାନଙ୍କ ବି ମୃତ୍ୟୁ ହୋଇଛି। ଏହାସହ ଗ୍ରାମରେ ରହୁଥିବା ଶିବାନୀଙ୍କ ପିଉସା ସଞ୍ଜୟ ମେଦିନିରାୟଙ୍କ ବି ଜୀବନ ଯାଇଛି। ସୁଜ୍ଞାନୀଙ୍କ ସ୍ବାମୀ ଶୁଭେନ୍ଦୁ ପ୍ରଧାନ କଟକ ବଡ଼ ମେଡିକାଲ ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଛାତିଥରା ଘଟଣା ମୁଜାଗଡ଼ ଓ ବରପକ୍ଷର ପୈତୃକ ଗ୍ରାମ ଭାଲିଆଝରକୁ ନିର୍ବାକ୍ କରିଦେଇଛି। ଏତେବଡ଼ ଘଟଣା ଘଟିଯିବ, ଏହି କଥା ଆମେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲୁ ବୋଲି ଗ୍ରାମବାସୀ କହିଛନ୍ତି। ବିଶେଷକରି ଦୁଇ ନିଷ୍ପାପ ଶିଶୁଙ୍କୁ ଗ୍ରାମବାସୀ ଝୁରୁଥିବା ବେଳେ ଏବେବି ସେମାନଙ୍କ ଚେହେରା ଆମ ଆଖି ଆଗରେ ନାଚି ଉଠୁଛି ବୋଲି କହିଛନ୍ତି।
ମୃତ ଦେବାଂଶର ଜେଜେବାପା ଗୋପାଳଚନ୍ଦ୍ର ପ୍ରଧାନ କହିଛନ୍ତି, ‘ପିଲାଟି ଦିନରୁ ନାତିର ଭକ୍ତିଭାବ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲି। ସକାଳ ଓ ସନ୍ଧ୍ୟାରେ ସେ ମାଆ ଏବଂ ଜେଜେମାଆଙ୍କ ସହ ଠାକୁର ଘରକୁ ଯାଇ ସେମାନଙ୍କୁ ଅନୁକରଣ କରୁଥିଲା। ଠାକୁରଙ୍କୁ ପୂଜା କରୁଥିଲା। ଖାଇବାପିଇବା ବେଳେ ମୋ’ପାଖରେ ବସିରହୁଥିଲା। କେବେ କେମିତି ବଡ଼ଲୋକ ଭଳି ତା’ର ବ୍ୟବହାର ଆମକୁ ଆଶ୍ଚର୍ଯ୍ୟ କରିପକାଉଥିଲା। ଦିନେ ଅଳିଆଗଦାରୁ ଗୋଟିଏ ଜାତୀୟ ପତାକାକୁ ଉଠାଇ ସାଲ୍ୟୁଟ୍ ମାରି ‘ବନ୍ଦେ ବନ୍ଦେ’କହିବା ଦୃଶ୍ୟ ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ମୋ’୩ବର୍ଷ ବୟସର ନାତି ଅତି ଗେଲବସରରେ ବଢ଼ିଥିଲା। କେବେ ଟବ୍ ଭିତରେ ବସି ଏକୁଟିଆ ଗାଧୋଇବାକୁ ଚେଷ୍ଟା କରୁଥିଲା ତ ଆଉ କେବେ ରୁଟି ବେଲଣା ହାତରେ ଧରିପକାଉଥିଲା। କିନ୍ତୁ ଏସବୁ ଏବେ ସ୍ମୃତି ପାଲଟିଯାଇଛି। ସବୁ ପୁରୁଣା ଫଟୋ ଓ ଭିଡ଼ିଓକୁ ଦେଖିଲେ କାଳେ ଦେବାଂଶ ପୁଣି ଘରକୁ ଫେରିଆସିବ ବୋଲି ଲାଗୁଛି। କିନ୍ତୁ ଅତି ଗେଲବସରରେ ବଢ଼ିଥିବା ମୋ’ନାତି ଆଉ ଦୁନିଆରେ ନାହିଁ ବୋଲି ଜମାରୁ ବିଶ୍ବାସ ହେଉନି। ଏଭଳି ପରିସ୍ଥିତିରେ ବୋହୂ ମଧ୍ୟ ଆରପାରିକୁ ପଳାଇଥିବା ବେଳେ ପୁଅ ଜୀବନ ସହ ଲଢ଼ୁଛି ବୋଲି ଗୋପାଳ କହିଛନ୍ତି।
ସେହିପରି ପଡ଼ୋଶୀ ରବିନାରାୟଣ କର କହିଛନ୍ତି ଯେ, କାମ ସାରି ଗାଁକୁ ଫେରିଲେ ଗାଡ଼ିର ହର୍ଣ୍ଣ ଶୁଶିବା ମାତ୍ରେ ଦେବାଂଶ ଘରୁ ଦୌଡ଼ିଆସେ। ସାହିରେ ସମସ୍ତଙ୍କ ସହ ମିଶିଯାଏ। ଏଥିପାଇଁ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ସେ ଜିଣିନେଇଥିଲା। ଏବେ ସେ ଜହ୍ନମାମୁଁ ହୋଇଗଲା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ୯ ଦିନ ତଳେ ଆଦ୍ଭିକ୍ର ପ୍ରଥମ ଜନ୍ମ ଦିନ ପାଳନ ହୋଇଥିଲା। ଆଦ୍ଭିକ୍ କେକ୍ କାଟିଥିଲା। ଏଥିରେ ସବୁ ପରିବାର ସଦସ୍ୟ ଏକଜୁଟ ହୋଇ ତାକୁ ଉପହାର ଓ ଆଶୀର୍ବାଦ ଦେଇଥିଲେ। କିନ୍ତୁ ସପ୍ତାହକ ପରେ ଆଦ୍ଭିକ୍ ସମସ୍ତଙ୍କୁ ଛାଡ଼ି ପଳାଇବ, ଏହି କଥା ଏବେ ବି ବିଶ୍ବାସ ଲାଗୁନି ବୋଲି ଗ୍ରାମବାସୀ କହିଛନ୍ତି।