ସୋନପୁର: ଶନିବାର ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ସୋନପୁରରେ ବନ୍ଦ ପାଳନ କରାଯାଉଥିଲା। ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଥିଲେ। ଏହି ସମୟରେ ସିଆରିପିଏଫ୍ ଡିଆଇଜି କେ. ସଜାଉଦ୍ଦିନ ନୂଆପଡ଼ା ଅଞ୍ଚଳରୁ ଭୁବନେଶ୍ବର ଫେରୁଥିଲେ। ସିଆର୍ପିଏଫ୍ ଡିଆଇଜି ଓ ତାଙ୍କର ପିଏସ୍ଓ ସାଧା ପୋଷାକରେ ଥିବାରୁ ଆନ୍ଦୋଳନକାରୀମାନେ ସେମାନଙ୍କୁ ଚିହ୍ନି ନପାରି ଗାଡ଼ିକୁ ବ୍ଲକ୍ ଛକରେ ଅଟକାଇଥିଲେ ଏବଂ ସେମାନଙ୍କୁ ପରିଚୟପତ୍ର ମାଗିଥିଲେ।
ଏହି ସମୟରେ ସିଆର୍ପିଏଫ୍ ଡିଆଇଜିଙ୍କ ପିଏସ୍ଓ ଧରିଥିବା ବନ୍ଧୁକ ଆନ୍ଦୋଳନକାରୀମାନଙ୍କୁ ଦେଖାଇବାରୁ ସେଠାରେ ପ୍ରାୟ ଘଣ୍ଟାଏ ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ସୋନପୁର ପୁଲିସ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରି ଡିଆଇଜିଙ୍କ ଗାଡ଼ିକୁ ଥାନାକୁ ନେଇଥିଲା। ପରିଚୟ ପାଇବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହାପରେ ସିଆର୍ପିଏଫ୍ ଡିଆଇଜିଙ୍କ ପିଏସ୍ଓ ହାତଯୋଡ଼ି ଆନ୍ଦୋଳନକାରୀଙ୍କୁ କ୍ଷମା ମାଗିବ ସହ ଜୟ କୋଶଲ କହିଥିଲେ।