ଦିଗ୍‌ବିଜୟ ନାଥ ପାଢ଼ୀ ହେଲେ ରାଜ୍ୟ ଖାଦ୍ୟ କମିସନ ସଦସ୍ୟ; ଅଧ୍ୟକ୍ଷ ପଦ ଏବେ ବି ଖାଲି

ଭୁବନେଶ୍ବର : ଅବସରପ୍ରାପ୍ତ ଓଏଏସ ଅଧିକାରୀ ତଥା ପୂର୍ବତନ ସ୍ବତନ୍ତ୍ର ଶାସନ ସଚିବ ଦିଗବିଜୟ ନାଥ ପାଢ଼ୀଙ୍କୁ ରାଜ୍ୟ ସରକାର ଓଡ଼ିଶା ଖାଦ୍ୟ କମିସନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସୂଚନା କମିସନରଙ୍କ ସଚିବ ଭାବେ ଶ୍ରୀ ପାଢ଼ୀ କାର୍ଯ୍ୟକରି ଗତବର୍ଷ ଅବସର ନେଇଥିଲେ।

ସୂଚନା ଥାଉ କି, ୨୦୧୫ରୁ ଓଡ଼ିଶା ରାଜ୍ୟ ଖାଦ୍ୟ କମିସନ ଗଠନ ହେବା ପରଠୁ ପୂର୍ବତନ ବରିଷ୍ଠ ପ୍ରଶାସକ ରଙ୍ଗଲାଲ ଜାମୁଡା କମିସନର ପ୍ରଥମ ଅଧ୍ୟକ୍ଷ ଭାବେ ୨୦୧୬ରେ ନିଯୁକ୍ତି ପାଇଥିଲେ। ଶ୍ରୀ ଜାମୁଡାଙ୍କ ସହିତ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ଅବସରପ୍ରାପ୍ତ ବିଚାରପତି ମନୋଜ କୁମାର ପଣ୍ଡାଙ୍କୁ କମିସନର ସଦସ୍ୟଭାବେ ନିଯୁକ୍ତ କରାଯାଇଥିଲା। ୨୦୧୯ ମେ’ ୧୮ ତାରିଖରେ କମିସନଙ୍କ କାର୍ଯ୍ୟକାଳ ପୂର୍ଣ୍ଣ ହେବା ପରଠାରୁ ଗୋଟିଏ ସଦସ୍ୟ ପଦ ସହିତ ଅଧ୍ୟକ୍ଷ ପଦ ଖାଲିପଡ଼ିଥିଲା। ଏହା ଭିତରେ ଶ୍ରୀମତି ମଲ୍ଲିକଙ୍କୁ ରାଜ୍ୟ ସରକାର କମିସନ ସଦସ୍ୟା ଭାବେ ପୂର୍ବରୁ ନିଯୁକ୍ତି ଦେଇସାରିଛନ୍ତି। ମାତ୍ର ଏବେ ବି ରାଜ୍ୟ ଖାଦ୍ୟ କମିସନ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ପରେ ଖାଦ୍ୟ କମିସନର ସମସ୍ତ ସଦସ୍ୟ ପଦ ପୂରଣ ହୋଇଛି।

ସମ୍ବନ୍ଧିତ ଖବର