ସୁନ୍ଦରଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷିରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ହକି ତାରକା ପଦ୍ମଶ୍ରୀ ଡ. ଦିଲୀପ ତିର୍କୀ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ଜୋନକୁ ଯାଇ ମାରାଥନ୍ ପ୍ରଚାର କରୁଛନ୍ତି। ମଙ୍ଗଳବାର ତଳସରା ବିଧାନସଭା କ୍ଷେତ୍ରର ଲଣ୍ଡାବୁଡ଼, ସାଗବାହାଲ, ବନଡେଗା, ଲୁଲୁକିଡିହି ଆଦି ଗାଁକୁ ଯାଇ ବିଜେଡି ପାଇଁ ସେ ଭୋଟ୍ ମାଗିଥିଲେ। ଏହି ସମୟରେ ଏକ ରୋଚକ ଦୃଶ୍ୟକ୍ରମରେ ଆଦିବାସୀ ମହିଳାମାନେ କଂସା ଥାଳି ପାଣିରେ ପଦ୍ମଶ୍ରୀ ଡ. ତିର୍କୀଙ୍କ ହାତ ଧୋଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା। ସମାନ ଢଙ୍ଗରେ ଅନ୍ୟ ଅତିଥିମାନଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା। ନିର୍ବାଚନ ସମୟରେ ଭୋଟ୍ ମାଗିବାକୁ ଆସୁଥିବା ନେତାମାନଙ୍କୁ ମଧ୍ୟ ଗାଁର ଅତିଥି ଭାବେ ଗ୍ରହଣ କରି ଆଦିବାସୀମାନେ ପାରମ୍ପରିକ ଭାବେ ସ୍ବାଗତ କରିବାକୁ ଭୁଲି ନଥିଲେ। ଯାହା ସେମାନଙ୍କ ସରଳ ଓ ଅନାବିଳ ଅତିଥି ପରାୟଣତାକୁ ସୂଚୀତ କରୁଥିଲା। ଦିଲୀପ ତିର୍କୀ ବାଲିଶଙ୍କରା ‘ଖ’ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଜୟନ୍ତୀ ଟପ୍ପୋ ଓ ‘କ’ ଜୋନର ବିନୋଦ କୁଜୁରଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ର ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ କାଉନସିଲର ପଞ୍ଚା ବାର୍ଲା, ବିଜେଡି ଯୁବନେତା ପ୍ରକାଶ ପାଶ୍ବାନଙ୍କ ସମେତ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଜୟନ୍ତୀ ଟପ୍ପୋ, ପ୍ରାର୍ଥୀ ବିନୋଦ କୁଜୁର ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ।
ବିଜେଡି ପାଇଁ ଗାଁ ବୁଲୁଛନ୍ତି ଦିଲୀପ: ପଦ୍ମଶ୍ରୀଙ୍କ ହାତ ଧୋଇ ପାଛୋଟି ନେଲେ ଆଦିବାସୀ ମହିଳା
/sambad/media/post_attachments/wp-content/uploads/2022/02/65a4g654ad65gdagd.jpg)