ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶ୍ରୀଜଗନ୍ନାଥ, ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସାହସିକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏହିଭଳି ଢଙ୍ଗରେ ପ୍ରଶଂସା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଗତକାଲି ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଶ୍ରୀ ରାୟ କହିଥିଲେ ଯେ, ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆଜି ଓଡ଼ିଶାର ରୂପରେଖ ବଦଳିଛି। ବିଶ୍ବଦରବାରରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ଆଉ ଗତବର୍ଷ ହକି ବିଶ୍ବକପ୍ ଭଳି ମେଗା ଇଭେଣ୍ଟର ଆୟୋଜନ ଓଡ଼ିଶାର ଗରିମାକୁ ଆହୁରି ବଢ଼ାଇଦେଇଛି। କାରଣ ପ୍ରତିଯୋଗିତା ଆୟୋଜନ ପାଇଁ ବିଶ୍ବର ବହୁ ଦେଶ ଓ ଭାରତର ବିଭିନ୍ନ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଓଡ଼ିଶା ସଭିଙ୍କୁ ଚକିତ କରି ଏହାର ସଫଳ ଆୟୋଜନ କରିପାରିଥିଲା। ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।

Advertisment

ସେହିପରି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୋପାଳପୁର ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋକପାତ କରିଥିଲେ। ପ୍ରତ୍ୟହ ଗୋପଳପୁରକୁ ଯେଭଳି ୫ହଜାର ପର୍ଯ୍ୟଟକଙ୍କ ଆଗମନ ହେବ ସେ ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରିଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟସିଂହ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ଡିଆଇଜି, ଜିଲ୍ଲାପାଳ ଓ ଏସ୍‌ପିଙ୍କ ଉପସ୍ଥିତି ସତ୍ତ୍ବେ ସମସ୍ତଙ୍କ ନଜର ଉପରୋକ୍ତ ଦୁଇ ନେତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା।

ପୂର୍ବତନ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ମଞ୍ଚରେ ଦେଖିବାକୁ ମିଳିଥିଲା । ସାଧାରଣ ନିର୍ବାଚନ ପରେ ସିଦ୍ଧାନ୍ତଙ୍କ ଗଞ୍ଜାମ ଜିଲ୍ଲାରେ ଏହା ପ୍ରଥମ କାର୍ଯ୍ୟକ୍ରମ କୁହାଯାଉଛି।