ରାଉରକେଲା: ଜିଲ୍ଲାର ପୁରୁଖା ଆଦିବାସୀ ନେତା ତଥା ବିଜେଡି ଉପସଭାପତି ମଙ୍ଗଳା କିଷାନ ଶନିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଭେଟିଛନ୍ତି। ଉଭୟ ବରିଷ୍ଠ ନେତା ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବିଜେଡିରେ କନ୍ଦଳ ତଥା ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ବିରୋଧରେ ଶ୍ରୀ କିଷାନଙ୍କ ଗୁରୁତର ଅଭିଯୋଗ ପରିପ୍ରେକ୍ଷୀରେ ଏହି ଭେଟଘାଟ ଓ ଆଲୋଚନା ଯଥେଷ୍ଟ ଗୁରୁତ୍ବ ରଖୁଛି। ଗତ ଗୁରୁବାର ଶ୍ରୀ କିଷାନ ଗଣମାଧ୍ୟମ ଆଗରେ ଦୁଇମନ୍ତ୍ରୀ ରାଉରକେଲା ବିଧାୟକ ସାରଦା ନାୟକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼େଇ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ ଆଣିଥିଲେ। ଏମିତିକି ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକଲେ ଜିଲ୍ଲାରେ ଦଳୀୟ ସଙ୍ଗଠନ ଧ୍ବଂସ ହେବ ବୋଲି କହିଥିଲେ। ଏହା ପରେପରେ ସେ ଆଜି ଦିଲୀପ ରାୟଙ୍କୁ ଭେଟିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଉଭୟ ନେତା ସ୍ଥାନୀୟ ମେ’ ଫେୟାର୍ ହୋଟେଲରେ ଆଲୋଚନା କରିଥିଲେ।
ଗତ ୨୫ ତାରିଖ ଦିନ ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବତ କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ପଦଚ୍ୟୁତ କରାଯାଇଥିଲା। ଏହାପରେ ନିଲମ୍ବିତ ଯୁବନେତା ରବୀନ୍ଦ୍ର ପ୍ରଧାନ ଶ୍ରମମନ୍ତ୍ରୀ ଶ୍ରୀ ନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଘଡ଼େଇଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ଏସବୁ ଅଭିଯୋଗକୁ ସମର୍ଥନ ଜଣାଇ କାର୍ଯ୍ୟାନୁଷ୍ଠାନକୁ ଭୁଲ ବୋଲି ଦର୍ଶାଇଥିଲେ ଶ୍ରୀ କିଷାନ। ଏହା ଜିଲ୍ଲା ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିଲା। ଏସବୁ ଭିତରେ ଆଜି ଦିଲୀପ-ମଙ୍ଗଳା ଭେଟ, ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ଉଭୟ ବରିଷ୍ଠ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆଗାମୀ ଦିନରେ ଏହା ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରାୟଙ୍କ ଦବ୍ଦବା ରହିଛି। ଗତ ୨୦୧୯ ନିର୍ବାଚନରେ ସାରଦା ନାୟକଙ୍କୁ ବିଜୟୀ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।