ବିଜୁ ବାବୁ ଅଧାରେ ରଖିଥିଲେ, ନବୀନ ପୂରଣ କରନ୍ତୁ : ରାଉରକେଲାକୁ ନୂତନ ଜିଲ୍ଲା ମାନ୍ୟତା ମିଳୁ

ମୟୂରଂଭଜ, କେନ୍ଦୁଝର ଜିଲ୍ଲା ଭାଙ୍ଗିବାକୁ ବି ପ୍ରସ୍ତାବ, ଦାବି ଉଠାଇଲେ ବିଧାୟକ ଦିଲ୍ଲୀପ ରାୟ

ଭୁବନେଶ୍ୱର : ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ନେଇ ପଶ୍ଚିମ ଓଡ଼ିଶାର ଦାବି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ କେଉଁଠି ହେବ, ତାହା ବି ଅମୀମାଂସିତ ଅବସ୍ଥାରେ ରହିଛି। ଏମିତି ସ୍ଥିତିରେ ଆଜି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପୁଣି ଏକ ନୂଆ ଦାବି ସାମ୍ନାକୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯେ ସରକାର ରାଉରକେଲାକୁ ନୂତନ ଜିଲ୍ଲା ଭାବେ ଘୋଷଣା କରନ୍ତୁ। ଶ୍ରୀ ରାୟ କହିଛନ୍ତି, ୨୫ ବର୍ଷ ତଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ସୁରେନ୍ଦ୍ର ନାଥ ନାୟକ ରାଜସ୍ୱ ମନ୍ତ୍ରୀ ଥିଲେ। ସେ ସମୟରେ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବଢାଇଥିଲେ। ଏବେ ନବୀନ ପଟ୍ଟନାୟକ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଅନ୍ତତଃପକ୍ଷେ ରାଉରକେଲା ସମେତ ଆଉ ୩ଟି ନୂଆ ଜିଲ୍ଲା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ଶ୍ରୀ ରାୟ କହିଛନ୍ତି, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ତିନୋଟି ବଡ଼ ଜିଲ୍ଲାକୁ ସେତେବେଳେ ବିଭାଜିତ କରାଯାଇନଥିଲା। ପୁରୀ ଜିଲ୍ଲାକୁ ଭାଙ୍ଗି ୩ଟି, କଟକ ଜିଲ୍ଲାକୁ ଭାଙ୍ଗି ୪ଟି, ସମ୍ବଲପୁରକୁ ଭାଙ୍ଗି ୪ଟି ଓ କୋରାପୁଟ ଜିଲ୍ଲାକୁ ଭାଙ୍ଗି ୪ଟି ଜିଲ୍ଲା ଗଠନ କରାଯାଇଥିଲା। ଅନ୍ୟ ସମସ୍ତ ଅବିଭକ୍ତ ଜିଲ୍ଲାର ମଧ୍ୟ ପୁନର୍ଗଠନ କରାଯାଇ ଛୋଟ ଛୋଟ ଜିଲ୍ଲା ଗଢ଼ି ପ୍ରଶାସନ କଳକୁ ଲୋକଙ୍କ ନିକଟରେ ବିଜୁ ବାବୁ ପହଞ୍ଚାଇଥିଲେ। ୧୯୯୫ ନିର୍ବାଚନରେ ପୁଣି ବିଜୁ ବାବୁଙ୍କ ସରକାର ଆସିଥିଲେ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରକୁ ପୁନର୍ଗଠନ କରାଯାଇ ନୂଆ ଜିଲ୍ଲା ସୃଷ୍ଟି କରାଯାଇପାରିଥାନ୍ତା। କିନ୍ତୁ ଜନତା ଦଳ ପୁନର୍ବାର କ୍ଷମତାକୁ ନ ଫେରିବାରୁ ଏହି ପ୍ରକ୍ରିୟା ଅଧାରେ ରହିଯାଇଛି ବୋଲି ସେ ସମୟରେ ଶିଳ୍ପମନ୍ତ୍ରୀ ଥିବା ତଥା ବର୍ତମାନର ବିଧାୟକ ଶ୍ରୀ ରାୟ କହିଛନ୍ତି।

ଶ୍ରୀ ରାୟ ଆହୁରି କହିଛନ୍ତି, ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବା ସହ କେନ୍ଦୁଝର ଓ ମୟୂରଭଞ୍ଜରେ ଜିଲ୍ଲା ପୁନର୍ଗଠନ ଲାଗି ସେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବା ଏବଂ କେନ୍ଦୁଝର ଓ ମୟୂରଭଞ୍ଜକୁ ବିଭାଜନ କରି ନୂତନ ଜିଲ୍ଲା ଗଠନ କରିବା ସମ୍ପର୍କରେ ସରକାରଙ୍କ ନିକଟରେ ବର୍ତମାନ କୌଣସି ପ୍ରସ୍ତାବ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ରାୟ କହିଛନ୍ତି, ସରକାର ରାଉରକେଲାକୁ ପୁଲିସ ଜିଲ୍ଲାର ମାନ୍ୟତା ଦେଇ ସାରିଛନ୍ତି। ସେଠାରେ ସ୍ୱତନ୍ତ୍ର ଭାବେ ଏସ୍‌ପି ନିଯୁକ୍ତ କରାଯାଇଛି। ଏହାଛଡ଼ା ରାଉରକେଲାରେ ମଧ୍ୟ ସ୍ୱତନ୍ତ୍ର ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ ଦପ୍ତର ରହୁଛି। ଇସ୍ପାତ ନଗରୀ ରାଉରକେଲାରେ ଜିଲ୍ଲା ମୁଖ୍ୟ ଦପ୍ତର ପାଇଁ ସମସ୍ତ ପ୍ରକାରର ଅନୁକୂଳ ଭିିତ୍ତିଭୂମି ରହିଥିବାରୁ ଓ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଦଳମତ ନିର୍ବିଶେଷରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ଚାହୁଁଥିବାରୁ ସରକାର ଏ ନେଇ ବିଚାର କରିବା ଦରକାର। ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ବିପୁଳ ପ୍ରାକୃତିକ ସମ୍ପଦ ସତ୍ତ୍ୱେ ବି ରାଜ୍ୟର ଅନ୍ୟତମ ଅନଗ୍ରସର ଜିଲ୍ଲା ଭାବେ ରହିଛି। ଜିଲ୍ଲା ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଗଲେ ବଞ୍ଚିତ ଲୋକଙ୍କ ନିକଟରେ ବିକାଶର ଧାରା ପହଞ୍ଚିବା ସହଜ ହୋଇପାରିବ ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର