ମୋଦିଙ୍କୁ ମନେ ପକାଇଲେ ଦିଲୀପ

ରାଉରକେଲା : ତିନି ବର୍ଷ ପୂର୍ବେ ଉତ୍କଳ ଦିବସ ଅବସରରେ ରାଉରକେଲାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତିକୁ ବିଧାୟକ ଦିଲୀପ ରାୟ ଆଗାମୀ ଉତ୍କଳ ଦିବସର ତିନି ଦିନ ପୂର୍ବରୁ ବିନମ୍ର ସ୍ମରଣ କରାଇଛନ୍ତି। ଶ୍ରୀ ରାୟ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ୨୦୧୪ ଏପ୍ରିଲ୍‌ ୫ରେ ରାଉରକେଲାକୁ ପ୍ରାକ୍‌-ନିର୍ବାଚନୀ ଗସ୍ତରେ ଆସି ଶ୍ରୀ ମୋଦି ଜନସାଧରଣଙ୍କୁ ଯେଉଁ ଦୁଇଟି ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଅଙ୍ଗୀକାର ଘୋଷଣା କରିଥିଲେ ୨୦୧୫ ଏପ୍ରିଲ୍‌ ୧ ଉତ୍କଳ ଦିବସରେ। ତାହା ଥିଲା- ୭୦୦ ଶଯ୍ୟାବିଶିଷ୍ଟ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌) ରୂପାନ୍ତରିତ ହେବ ସୁପର୍‌ ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ଓ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଆର୍ଥିକ ଜୀବନରେଖା ଅନ୍ତର୍ଗତ ବହୁ ପ୍ରତୀକ୍ଷିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)ର ସମ୍ପ୍ରସାରିତ ପ୍ରକଳ୍ପକୁ ଲୋକାର୍ପଣ କରିବା ଅବସରରେ ସେ ଘୋଷଣା କରିବା ପରେ ତିନି ବର୍ଷ ଅତିକ୍ରାନ୍ତ ହେଲାଣି। ମାତ୍ର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅଦ୍ୟାବଧି କେବଳ ଘୋଷଣାରେ ରହିଯାଇଛି। ପରିଣାମସ୍ୱରୂପ ଜନତାଙ୍କ ହତାଶା ଓ ରୋଷର ଶିକାର ହେଉଛନ୍ତି ତାଙ୍କ ଭଳି ଲୋକ ପ୍ରତିନିଧିମାନେ।

ସେ ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ପରିଚାଳନାଧୀନ ଆଇଜିଏଚ୍‌ର ହୃଦରୋଗ ଓ କର୍କଟ ବିଭାଗ ସମେତ ଅନ୍ୟ କେତକ ବିଭାଗରେ ସୁପର ସ୍ପେଶାଲିଟି ସେବା ପ୍ରଦାନ ନିମନ୍ତେ ଟେଣ୍ଡର ଆହ୍ଵାନ କରାଯାଇଥିଲା। ମାତ୍ର ସେଥିରେ ଥିବା କଠୋର ସର୍ତ୍ତ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ।  କୋଲକାତା-ସୁରତ୍‌ ଜାତୀୟ ରାଜପଥ (ନଂ-୬)କୁ ସଂଯୋଗ କରିବା ପାଇଁ ପ୍ରସ୍ତାବିତ ୪ ଲେନ୍‌ ବିଶିଷ୍ଟ ବୀରମିତ୍ରପୁର-ବାରକୋଟ୍‌ ରାଜପଥ ଓ ଏହା ଅନ୍ତର୍ଗତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଆର୍ଥିକ ଜୀବନରେଖା। ବ୍ୟାପକ ଟଣା-ଓଟରା ପରେ ୨୦୧୭ ଜୁଲାଇ ୨୧ରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ନୀତିନ୍‌ ଗଡ଼କରୀ ଏହି ଆକାଂକ୍ଷିତ ପ୍ରକଳ୍ପର ଶିଳାନ୍ୟାସ କରି ଘୋଷଣା କରିଥିଲେ ଯେ ୧୫ ଦିନ ମଧ୍ୟରେ ନିର୍ମାଣ ଆରମ୍ଭ ହେବ। ଇତିମଧ୍ୟରେ ୮ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଇପ୍ସିତ ପ୍ରକଳ୍ପ ପାଇଁ ଇଟା ଖଣ୍ଡେ ବି ପଡ଼ିପାରିଲା ନାହିଁ। ରାଜପଥ ପାଇଁ ସରକାର ଜଙ୍ଗଲ ଅନୁମତି ନିମନ୍ତେ ସୁପାରିସ୍‌ କରି ସାରିଛନ୍ତି। ଏହା ସତ୍ତ୍ୱେ ଅଜ୍ଞାତ କାରଣରୁ ନିର୍ମାଣ ଆରମ୍ଭ ହୋଇପାରୁ ନାହିଁ। ସୁତରାଂ କୌଣସି ପ୍ରଭାବଶାଳୀ ରାଉରକେଲାବାସୀଙ୍କ ଆକାଂକ୍ଷିତ ପ୍ରକଳ୍ପ ଦିଗରେ ପ୍ରତିବନ୍ଧକ ସାଜିଥିବା ସାଧାରଣରେ ସନ୍ଦେହ ଘନୀଭୂତ ହେଉଛି।

ଶ୍ରୀ ରାୟ ଉଦ୍‌ବେଗର ସହ ଉଲ୍ଲେଖ କରିଛନ୍ତି ଯେ ଉପରୋକ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ତ୍ୱରାନ୍ଵିତ ପାଇଁ ସେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଇ ଅନେକ ଥର ପ୍ରଧାନମନ୍ତ୍ରୀଙ୍କୁ ଓ ଶ୍ରୀ ଗଡ଼କରୀଙ୍କୁ ଭେଟି ଅନୁରୋଧ କରିଛନ୍ତି। ମାତ୍ର ଅଦ୍ୟାବଧି କୌଣସି ଗଠନମୂଳକ ନିର୍ଯ୍ୟାସ ଆସି ନାହିଁ।

ସମ୍ବନ୍ଧିତ ଖବର