ରାଉରକେଲା: ରାଉରକେଲା ଡେଭଲପମେଣ୍ଟ ଫ୍ରଣ୍ଟ (ଆର୍‌ଡିଏଫ୍‌) ବୈଠକ ପାନପୋଷସ୍ଥ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଆର୍‌ଡିଏଫ୍‌ର ଅଧ୍ୟକ୍ଷ ହରିହର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ଉପଯୁକ୍ତ ନେତୃତ୍ବର ଅଭାବ ରହିଥିବା ଉପସ୍ଥିତ ସଦସ୍ୟମାନେ କହିଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଜିଲ୍ଲାରେ ନେତୃତ୍ବ ନେବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି। କାରଣ ବିଗତ ଦିନରେ ରାଉରକେଲା ତଥା ଜିଲ୍ଲାରେ ବିକାଶରେ ଦିଲୀପ ରାୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ସେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ଆର୍‌ଏସ୍‌ପି ଆଧୁନିକୀକରଣ କରାଯିବା ସହ ସହରର ଅନେକ ବିକାଶମୂଳକ କାମ କରିଥିଲେ। କେବଳ କେନ୍ଦ୍ରମନ୍ତ୍ରୀ ନୁହେଁ ରାଉରକେଲା ବିଧାୟକ ଥିବାବେଳେ ଦିଲୀପ ରାୟ ସହରର ଅନେକ ବିକାଶ କରିଥିଲେ। ଅଧ୍ୟକ୍ଷ ଶ୍ରୀ ରାଉତରାୟ, ରଣଜିତ ନାୟକ, ସୁନାକର ନାୟକ, ଇରଶାଦ୍‌ ଖାନ୍‌ କହିଛନ୍ତି, ବ୍ୟାସ ଝୁଲା ପାଇଁ ପ୍ରସ୍ତାବ ସମ୍ପର୍କରେ ଦିଲୀପ ରାୟ ତତ୍କାଳୀନ ପୂର୍ବତନ କେନ୍ଦମନ୍ତ୍ରୀ ଜୁଏଲ ଓରାମଙ୍କ ନିକଟରେ ଦାବି ରଖିଥିଲେ।

Advertisment

ଜୁଏଲ ଓରାମ ତାଙ୍କ ଆଦିବାସୀ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ବ୍ୟାସ ଝୁଲା ନିର୍ମାଣ ସମ୍ପର୍କରେ ସରକାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୌର ନିଗମରେ ନିର୍ବାଚିତ ପ୍ରଦିନିଧି ନାହାନ୍ତି। ପ୍ରତିନିଧି ନଥିବାରୁ ୱାର୍ଡର ବିକାଶ ଠିକ୍‌ ଭାବେ ହୋଇପାରୁନି। ଜନସାଧାରଣଙ୍କ ପାଇଁ ସାମୂହିକ ଚିନ୍ତା କରୁଥିବା ଦିଲୀପ ରାୟ କେବଳ ବିଜୁ ପଟ୍ଟନାୟକ ନୁହନ୍ତି, ଅନେକ ଜାତୀୟ ନେତାଙ୍କର ଆଦାର ପାଇ ଆସିଛନ୍ତି। ଦିଲୀପ ରାୟ ସହରରେ ଅନେକ କଲେଜ ଓ ଶିକ୍ଷାନୁଷ୍ଠାନ ଗଢ଼ିଛନ୍ତି। ଏସବୁ ଦୃଷ୍ଟିକୋଣରୁ ଆସନ୍ତା ନିର୍ବାଚନରେ ଦିଲୀପ ରାୟ ସହର ତଥା ଜିଲ୍ଲାର ନେତୃତ୍ବ ନେବାକୁ ଆର୍‌ଡିଏଫ୍‌ ତରଫରୁ ନିବେଦନ କରାଯାଇଛି। ବୈଠକରେ ଦିଲୀପ କୁଅଁର, ସବିତା ଖାତୁନ୍‌, ସ୍ମିତା ନାୟକ, ସନ୍ତୋଷ ବିଶ୍ବାଳ, ମାଣିକ ଚୌଧୁରି, ରଞ୍ଜନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ,‌ ନିକଟରେ ଦିଲୀପ ରାୟଙ୍କୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭେଟିଥିଲେ। ସହର ରାଜନୀତି ସଂକ୍ରାନ୍ତରେ ବିଭିନ୍ନ ଦଳର ନେତାମାନେ ଦିଲୀପଙ୍କୁ ଅବଗତ କରାଇଥିଲେ। ସେତେବେଳେ ଦିଲୀପ ରାୟ ସେମାନଙ୍କୁ କୁଆଡେ ରାଉରକେଲାର ସ୍ବାଧୀନ ପ୍ରାର୍ଥୀ ଛିଡା ହେବାକୁ କହିଥିଲେ। ଏବେ ଆର୍‌ଡିଏଫ୍‌ ଦିଲୀପ ରାୟଙ୍କୁ ନେତୃତ୍ବ ନେବାକୁ ଆମନ୍ତ୍ରଣ କରିବା ପରେ ସହର ରାଜନୀତି ସରଗରମ ହୋଇଛି।