ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ଭାରତ ଗଛ ପୁରୁଷ ସମ୍ମାନ’

ଭୁବନେଶ୍ବର : ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରେରଣା ଅନ୍ତର୍ଜାତୀୟ ସବୁଜ ଆର୍ମିର ମୁଖ୍ୟ କମାଣ୍ଡର ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ଭାରତ ଗଛ ପୁରୁଷ’ ସମ୍ମାନରେ ସମ୍ମାନିତ କରାଯାଇଛି। ସାକ୍ଷୀଗୋପାଳ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସମ୍ମାନ ପ୍ରଦାନ ବେଳେ ମହୋତ୍ସବ କମିଟିର ସଭାପତି ସୁକାନ୍ତ କିଶୋର ସାମନ୍ତରାୟ ଓ ସମ୍ପାଦକ ଦିବାକର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଦେଶ ବିଦେଶରେ ବୃକ୍ଷରୋପଣ, ପରିବେଶ ଓ ଜଙ୍ଗଲ ସୁରକ୍ଷା, ବିଶ୍ବତାପନ, ଜଳବାୟୁ ପରିବର୍ତନ ସମ୍ପର୍କରେ ଅନ୍ତର୍ଜାତୀୟ ସମାବେଶ, ଆଲୋଚନାଚକ୍ର, କର୍ମଶାଳା, ୱାକାଥନ ଆୟୋଜନ କରି ସ୍ବତନ୍ତ୍ର ପରିଚୟର ଅଧିକାରୀ ହୋଇଛନ୍ତି। ପରିବେଶ ପ୍ରତି ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ସେ ଅଷ୍ଟ୍ରେଲିଆରୁ ଗ୍ରିନ୍‌ ମ୍ୟାନ୍‌, ଦୁବାଇରୁ ଗ୍ରିନ୍‌ ମ୍ୟାନ୍‌, ଗଛ ବନ୍ଧୁ, ଗଛ ମଣିଷ, ଗଛ ସୁରକ୍ଷା ସେନାପତି ଭଳି ପୁରସ୍କାର ଲାଭ କରିଛନ୍ତି। ବିଭିନ୍ନ ଉତ୍ସବ ଓ ମହୋତ୍ସବ ଆୟୋଜକ ଭାବେ ମହୋତ୍ସବ ଜନକ, ମହୋତ୍ସବ ମହାରଥୀ, ମହୋତ୍ସବ ସମ୍ରାଟ ଆଦି ସମ୍ମାନ ଲାଭ କରିଛନ୍ତି। ଏତଦ୍‌ବ୍ୟତୀତ ସାହିତ୍ୟ ରଚନା ପାଇଁ ମନ୍ଦାକିନୀ ସାହିତ୍ୟ ସମ୍ମାନ, ପଠାଣୀ ସାମନ୍ତ ସମ୍ମାନ ଓ ରାଜଧାନୀ ପୁସ୍ତକ ମେଳା ସମ୍ମାନ ମଧ୍ୟ ପାଇଛନ୍ତି। ଛାତ୍ର ଜୀବନରୁ ଗଛର ଆକର୍ଷଣରେ ପଡ଼ିଥିବା ଡ. ଶ୍ରୀଚନ୍ଦନଙ୍କ ସୂଚନା ମୁତାବକ‌ ସେ ୧୫ଲକ୍ଷରୁ ଅଧିକ ଗଛ ଲଗାଇଥିବା ବେଳେ ୧୦ଟି ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା କରିଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖରେ ଅନ୍ତର୍ଜାତୀୟ ସବୁଜ ୱାକାଥନ ଏବଂ ଡିସେମ୍ବର ୧ ତାରିଖରେ ବିଶ୍ବସ୍ତରୀୟ ବୃକ୍ଷପ୍ରେମୀ ଓ ପରିବେଶବିତ୍‌ଙ୍କ ସମାବେଶ କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର