ରାଉରକେଲା: ଭାରତୀୟ ହକି ଜଗତର କିମ୍ବଦନ୍ତୀ ଖେଳାଳି ତଥା ସୁନ୍ଦରଗଡ଼ ଜନ୍ମିତ ଦିଲୀପ ତିର୍କୀଙ୍କୁ ଆଜି ନୂତନ ଗୁରୁଦାୟିତ୍ବ ମିଳିଛି। ହକି ଇଣ୍ଡିଆର ସଭାପତିଭାବେ ଆଜି ନିର୍ଦ୍ବନ୍ଦରେ ନିର୍ବାଚିତ ହେବାପରେ ଉତ୍ସବମୁଖର ହୋଇଉଠିଛି ଜନ୍ମମାଟି ସୁନ୍ଦରଗଡ଼ସମେତ ସମଗ୍ର ଓଡ଼ିଶା। ଜୀବନବ୍ୟାପୀ ହକି ପଡ଼ିଆରେ ଏକାଧିକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଥିବା ଦିଲୀପ ହିଁ ପରବର୍ତ୍ତୀ ସମୟରେ ହକି ଷ୍ଟିକ୍‌ ଧରିବାକୁ ଅସଂଖ୍ୟ ଆଦିବାସୀଙ୍କ ପ୍ରେରଣାର ସ୍ରୋତ ପାଲଟିଥିଲେ। ଜୀବନର ପ୍ରତିଟି ମୁହୁର୍ତ୍ତରେ ନୂଆ ନୂଆ ଦାୟିତ୍ବକୁ ସଫଳତାର ସହ ନିର୍ବାହକରିଥିବା ଦିଲୀପଙ୍କୁ ନୂଆ ଦାୟିତ୍ବ ମିଳିବାପରେ ଓଡ଼ିଶାବାସୀଙ୍କ ଆକାଂକ୍ଷା ବଢ଼ିବା ସ୍ବାଭାବିକ୍‌। ଦୁଇମାସ ପୂର୍ବେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଥିବାବେଳେ ଦିଲୀପ ହକି ଇଣ୍ଡିଆର ସଭାପତିତ୍ବ ହେବା, ଓଡ଼ିଶାବାସୀଙ୍କ ଖୁସିକୁ ଦ୍ବିଗୁଣିତ କରିଛି। ସେ ପ୍ରଥମ ଓଡ଼ିଆଭାବେ ହକି ଇଣ୍ଡିଆର ମଙ୍ଗ ସମ୍ଭାଳିବେ।

Advertisment

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକର ଉପାନ୍ତ ସଉନାମୁରା ଗ୍ରାମରେ ୧୯୭୭ ମସିହା ନଭେମ୍ବର ୨୫ ତାରିଖରେ ସିଆର୍‌ପିଏଫ୍‌ ଯବାନ ଭିନସେଣ୍ଟ୍‌ ତିର୍କୀ ଓ ମା’ ରେଗିନା ତିର୍କୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଦିଲୀପ। ବାପା ଭିନସେଣ୍ଟ୍‌ ମଧ୍ୟ ଜଣେ ଉନ୍ନତମାନର ହକି ଖେଳାଳିଥିଲେ। ତାକୁ ଦେଖି ହିଁ ସେ ଗାଁ ମାଟିରେ ହକି ଷ୍ଟିକ୍‌ ଧରି ଖେଲିବା ଆରମ୍ଭ କରିଥିଲେ। ବିନା କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ସତ୍ତ୍ବେ ତାଙ୍କର ଖେଳିବାର ଶୈଳୀ ବେଶ୍‌ ଉଚ୍ଚକୋଟୀର ଥିଲା। ଖାସ୍‌ ଏହାକୁ ଦେଖି ପରିବାରବର୍ଗ ତାଙ୍କୁ ସୁନ୍ଦରଗଡ଼ସ୍ଥ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ୧୯୮୯ ମସିହାରେ ଦାଖଲ କରିଥିଲେ।

ସେ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେଠାରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିବାସହ ସୁନ୍ଦରଗଡ଼ ସାଇ କ୍ରୀଡ଼ା ଛାତ୍ରାବାସରେ ବିଧିବଦ୍ଧ ପ୍ରଶିକ୍ଷଣ ନେଇଥିଲେ। ତାଙ୍କର ଚମତ୍କାର କଳାକୌଶଳକୁ ଦେଖି ତାଙ୍କୁ କୋଲକାତାସ୍ଥ ସାଇ ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ତାଙ୍କର କ୍ରୀଡ଼ା ଜୀବନ ବେଗ ଧରିଥିଲା। ୧୯୯୫ ମସିହାରେ ଇଂଲଣ୍ଡ୍‌ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାପରେ ତତ୍କାଳୀନ ମାଡ୍ରାସ୍‌ରେ ୧୯୯୫ ମସିହାରେ ଅନୁଷ୍ଠିତ ସପ୍ତମ ସାଫ୍‌ ଗେମ୍‌ସର ବିଜେତା ଦଳରେ ସଦସ୍ୟ ହେବାପରଠାରୁ ଆରମ୍ଭ କରି ଜର୍ମାନୀ ବିପକ୍ଷରେ ୨୧ ବର୍ଷରୁ କମ୍‌ ଟେଷ୍ଟ୍‌ସିରିଜ୍‌(ବିଜେତା), ୧୯୯୭ ପୋଲାଣ୍ଡ୍‌ରେ ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ଚାଲେଞ୍ଜର୍‌ କପ୍‌ ପ୍ରତିଯୋଗିତା(ବିଜେତା), ଇଂଲଣ୍ଡ୍‌ରେ ୧୯୯୭ରେ ଅନୁଷ୍ଠିତ କନିଷ୍ଠ ବିଶ୍ବକପ୍‌(ଉପବିଜେତା), ୧୯୯୮ ଏସିଆ ଗେମ୍‌ସ(ସ୍ବର୍ଣ୍ଣପଦକ), ୧୯୯୯ କୁଆଲମ୍ପୁର ଏସିଆ କପ୍‌(କାଂସ୍ୟ ପଦକ), ୨୦୦୦ ସୁଲତାନ ଆଜଲାନ ଶାହ କପ୍‌(କାଂସ୍ୟ ପଦକ), ୨୦୦୨ ଚାମ୍ପିଅନ୍‌ସ ଟ୍ରଫି(ଚତୁର୍ଥ ସ୍ଥାନ), ୨୦୦୨ ଦକ୍ଷିଣ କୋରିଆ ଏସିଆନ ଗେମ୍‌ସ(କାଂସ୍ୟ ପଦକ), ୨୦୦୩ ଏସିଆ କପ୍‌(ବିଜେତା), ୨୦୦୩ ଆଫ୍ରୋ-ଏସିଆନ ଗେମ୍‌ସ(ସ୍ବର୍ଣ୍ଣ ପଦକ) ଆଦି ଏକାଧିକ ପ୍ରତିଯୋଗିତାରେ ଭାରତୀୟ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର୍‌ଭାବେ ଦାୟିତ୍ବ ତୁଲାଇଥିଲେ। ଏତଦ୍‌ବ୍ୟତୀତ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍ସ, ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସ, ୨୦୦୪ ଏଥେନ୍ସ ଅଲିମ୍ପକ୍ସରେ ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଦୀର୍ଘ ବର୍ଷ ଧରି ଭାରତୀୟ ହକି ଦଳର ଅଧିନାୟକ ପଦ ସମ୍ଭାଳିବା ସହ ଭାରତ ପକ୍ଷରୁ ସର୍ବାଧିକ ୪୧୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ଖେଳିବାର ରେକର୍ଡ ତାଙ୍କ ନାଁରେ ରହିଛି। ୨୦୧୦ ମସିହା ମେ’ ୨ ତାରିଖରେ ସେ ହକିକୁ ଅଲ୍‌ବିଦା କହିଥିଲେ।

ଜୀବନବ୍ୟାପୀ ହକି ପ୍ରତି ସମର୍ପିତ ଥିବା ଦିଲୀପ କ୍ରୀଡ଼ାରୁ ସନ୍ୟାସ ନେବାପରେ ନୂଆ ନୂଆ ପଦବି ପାଇଁ ତାଙ୍କ ପାଖକୁ ପ୍ରସ୍ତାବର ସୁଅ ଛୁଟିଥିଲା। ଅବସର ନେବାର କିଛି ଦିନପରେ ତାଙ୍କୁ ଜାତୀୟ ଦଳର ଚୟନକର୍ତ୍ତାଭାବେ ପ୍ରସ୍ତାବ ଦିଆଯାଇଥିଲା। ଏମିତିକି ତାଙ୍କୁ ଏକ ବିଦେଶୀ ଦଳ ମୁଖ୍ୟ ପ୍ରଶିକ୍ଷକ ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା। କିନ୍ତୁ ଓଡ଼ିଶା ମାଟିର ସେବା କରିବାକୁ ସହୃଦୟତାର ସହ ସବୁ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ।​ ଏହାପରେ ୨୦୧୨ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ବିଜୁ ଜନତା ଦଳ ପକ୍ଷରୁ ୨୦୧୨ ମାର୍ଚ୍ଚ ମାର୍ଚ୍ଚ ୨୨ ତାରିଖରେ ରାଜ୍ୟସଭା ସାଂସଦଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେଡି ପକ୍ଷରୁ ଲଢ଼ିଥିଲେ ମଧ୍ୟ ପରାଜୟ ଭୋଗିବାକୁ ପଡ଼ିଥିଲା। ଏହାପରେ ଶ୍ରୀ ତିର୍କୀ ଓଟିଡିସି ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋଶନ କାଉନସିଲ ଅଧ୍ୟକ୍ଷ ଆଦି ପଦଭାର ସମ୍ଭାଳିଥିଲେ।

ସମ୍ମାନ ଓ ଉପଲବ୍ଧି

ପଦ୍ମଶ୍ରୀ -୨୦୦୪

ଅର୍ଜୁନ ପୁରସ୍କାର-୨୦୦୨

ଏକଲବ୍ୟ ପୁରସ୍କାର-୧୯୯୬

ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌-୨୦୦୪

ରିକୋ ଷ୍ଟାର୍‌ ଅଫ୍‌ ଦ’ ଇଅର- ୨୦୧୦

ଶ୍ରେଷ୍ଠ କନିଷ୍ଠ ବିଶ୍ବ ଏକାଦଶରେ ସାମିଲ-୧୯୯୭

ଏସିଆ ଶ୍ରେଷ୍ଠ ଏକାଦଶରେ ସାମିଲ-୨୦୦୨

ୱାର୍ଲ୍‌ଡ୍‌ ଅଲ୍‌ଷ୍ଟାର୍‌ ଟିମ୍‌-୨୦୦୬ ଓ ୨୦୦୭

ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍‌ ଉପାଧି-୨୦୧୦