ମ୍ୟାଚ୍‌ ପାଇଁ ହନିମୁନ୍‌ ବାତିଲ କରିଥିଲେ ଦିଲୀପ ତିର୍କୀ

ରାଉରକେଲା: ଜଣେ ସର୍ବୋତ୍କୃଷ୍ଟ ହକି ଖେଳାଳି ହେବା ସହ ଦିଲୀପ ହେଉଛନ୍ତି ଜଣେ ମିଷ୍ଟଭାଷୀ, ମେଳାପୀ। ୨୦୦୬ ମସିହାରେ ବିବାହ ପରେ ସେ ହନିମୁନ୍‌ ପାଇଁ ଛୁଟି ନେବା ପରିବର୍ତ୍ତେ ଭାରତୀୟ ଦଳରେ ସାମିଲ ହେବାକୁ ଉଚିତ ମଣିଥିଲେ; ଯାହାକି ତାଙ୍କର ହକି ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ପୁଣିଥରେ ପ୍ରମାଣିତ କରିଥିଲା। ୨୦୦୬ ଫେବ୍ରୁଆରୀ ୬ ତାରିଖରେ ରାଉରକେଲା ହମିରପୁରସ୍ଥ ଚର୍ଚ୍ଚ୍‌ରେ ମୀରାଙ୍କ ହାତ ଧରିଥିଲେ ଦିଲୀପ। ​୬ ତାରିଖରେ ବାହାଘର ଥିବାବେଳେ ୧୭ ତାରିଖରୁ ଇଣ୍ଡିଆ-ପାକିସ୍ତାନ ଟେଷ୍ଟ୍‌ ସିରିଜ୍‌ ଆରମ୍ଭ ହେବାକୁ ସ୍ଥିରିକୃତ ହୋଇଥିଲା।

ତେବେ ନୂଆନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିବାରୁ ସ୍ତ୍ରୀଙ୍କୁ ସମୟ ଦେବାକୁ ଦିଲୀପ ସାମାନ୍ୟ ବିରତି ନେବେବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ସମସ୍ତଙ୍କର ଆଶଙ୍କାକୁ ମିଛ ପ୍ରମାଣିତ କରିଥିଲେ। ଛୁଟି ନେବା ବଦଳରେ ସେ ସିଧାସଳଖ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଭାରତୀୟ ଦଳରେ ଯୋଗଦେଇଥିଲେ। ଉକ୍ତ ସିରିଜ୍‌ ପରେ ପରେ ରାଜ୍ୟଗୋଷ୍ଠି କ୍ରୀଡ଼ା ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ଶିବିରରେ ସାମିଲ ହୋଇଥିଲେ। ସେତେବେଳେ ଦିଲୀପ ଭାରତୀୟ ଦଳର ଅଧିନାୟକ ଥିଲେ। ଏଣୁ ଜଣେ ସ୍ବାମୀର ଦାୟିତ୍ବ ତୁଲାଇବା ପରିବର୍ତ୍ତେ ଅଧିନାୟକ ପଦଭାରକୁ ପ୍ରାଥମିକତା ଦେବା; ତାଙ୍କୁ ନୂତନ ଯଶ ଆଣିଦେଇଥିଲା।

ସମ୍ବନ୍ଧିତ ଖବର