ଭୁବନେଶ୍ବର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ଭୁବନେଶ୍ବରରେ ଚାଲିଥିବା ସରଗିଫୁଲ୍ ମହୋତ୍ସବ ଆଜି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲାଙ୍କୁ କହିଲେ ଯେ ଓଡ଼ିଶା ପିଲା କାହାଠାରୁ କମ୍ ନୁହନ୍ତି। ପ୍ରତିଯୋଗିତାମୂଳକ ମନୋଭାବ ନେଇ ତୁମେ ଆଗକୁ ବଢ଼। ଜୀବନରେ ପ୍ରତିଷ୍ଠା ଲାଭ କର। ସଫଳତା ପାଇଁ ଉଦ୍ୟମ କର। ମୋ ଆଶୀର୍ବାଦ ସବୁବେଳେ ତୁମମାନଙ୍କ ସହ ରହିଛି।
କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ତୁମମାନଙ୍କ କାର୍ଯ୍ୟକ୍ରମରେ ମୁଁ ପ୍ରତିବର୍ଷ ଯୋଗ ଦେଉଛି। ତୁମ ଖୁସିରେ ମଧ୍ୟ ସାମିଲ ହେଉଛି। କ୍ରୀଡାବିତ୍ ଦିଲୀପ ତିର୍କି ଜଣେ ଓଡ଼ିଆ ପୁଅ ଭାବେ ନିଜ ଦକ୍ଷତା ଓ ପରିଶ୍ରମ ଯୋଗୁ ଭାରତୀୟ ହକି ଦଳର ଅଧିନାୟକ ହେବାସହ ହକି ଇଣ୍ଡିଆର ସଭାପତି ହୋଇପାରିଛନ୍ତି। ଯୁବ ସମାଜ ପାଇଁ ସେ ଜଣେ ରୋଲ୍ ମଡେଲ୍। ମାଟ୍ରିକ ପରୀକ୍ଷାରେ କୃତିତ୍ବର ସହ ସଫଳତା ହାସଲ କରିଥିବା ପିଲାଙ୍କୁ ଓ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ କହିଲେ, ରାଜ୍ୟର ବିଭିନ୍ନ ସରକାରୀ ହଷ୍ଟେଲରେ ଏବେ ୫ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପିଲା ପଢ଼ୁଛନ୍ତି। ଆଉ ୧୦୦ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୦୨୩ ଡିସେମ୍ବର ସୁଦ୍ଧା ଉକ୍ତ ହଷ୍ଟେଲଗୁଡ଼ିକର ନିର୍ମାଣ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଜନଜାତି ପିଲାଙ୍କ ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍ ବାଲକ୍ରିଷ୍ଣନ, ଉନ୍ନୟନ କମିସନର ପି କେ ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ରୂପା ରୋଶନ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଏଟିଏଲ୍ସିର ସଦସ୍ୟ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ‘ସରଗିଫୁଲ୍’ ନାମକ ଏକ ସ୍ମରଣିକା ଓ ସାମଗ୍ରିକ ଶିକ୍ଷା ଉପରେ ଏକ ପୋଷ୍ଟର ବୁକ୍ର ଡିଜିଟାଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ସାମଗ୍ରିକ ଶିକ୍ଷା ସଂପର୍କିତ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ସୂଚନାଯୋଗ୍ୟ ଯେ ସର୍ଗିଫୁଲ ମହୋତ୍ସବ ୧୨ ବର୍ଷ ଧରି ଅନୁଷ୍ଠିତ ହେଉଛି। ଚଳିତବର୍ଷ ଉତ୍ସବରେ ୧୨୦୦ ଛାତ୍ରଛାତ୍ରୀ ଓ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ୨୦୨୧ ଓ ୨୦୨୨ର ହାଇସ୍କୁଲ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ପିଲାଙ୍କୁ ସମ୍ବର୍ଦ୍ଧିତ ସହ ବିଭିନ୍ନ ପ୍ରତିଯୋଗିତା ଯଥା-ତର୍କ, କୁଇଜ, ବିଜ୍ଞାନ ପ୍ରଦର୍ଶନୀ, ସୃଜନାତ୍ମକ ଲିଖନ, ବାଦ୍ୟଯନ୍ତ୍ର, ଖେଳ, ଲୋକନୃତ୍ୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ କୃତିତ୍ବ ହାସଲ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା।