ଆରଜିଏଚରେ ମାଗଣା ଡାୟାଲିସିସ୍ ସେବା

ରାଉରକେଲା: କିଡନୀ ରୋଗୀଙ୍କ ଚିକିତ୍ସା ସୁବିଧା ଲାଗି ରାଉରକେଲା ସରକାରୀ ଚିକିତ୍ସାଳୟ ଆରଜିଏଚଠାରେ ରାଜ୍ୟ ସରକାରଙ୍କ ସହାୟ ଯୋଜନା ଅଧୀନରେ ଡାୟାଲିସିସ୍ ସେବା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ସେବାର ଶୁଭାରମ୍ଭ କରିଛନ୍ତି। ମାତୃ ଓ ଶିଶୁ ଚିକିତ୍ସାଳୟ (ଏମସିଏଚ୍) ପରିସରରେ ଏହି ୨୪ ଘଣ୍ଟିଆ ସେବା ମାଗଣାରେ କିଡନୀ ରୋଗୀଙ୍କୁ ମିଳିପାରିବ।

‘‘ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଆରଜିଏଚରେ ରୋଗୀମାନଙ୍କ ଲାଗି ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ଆଜି ଏହି ହସ୍ପିଟାଲରେ ଡାୟାଲିସିସ୍ ୟୁନିଟ୍ ଖୋଲିଥିବାରୁ ରାଉରକେଲା ଏବଂ ଆଖପାଖ ଅଞ୍ଚଳର ଅନେକ କିଡନୀ ରୋଗୀ ଉପକୃତ ହେବେ। ମାଗଣାରେ ତାଙ୍କୁ ଏହି ସେବା ମିଳିବ। ଡାୟାଲିସିସ୍ ପାଇଁ ରୋଗୀମାନେ ଯେଉଁ ଅସୁବିଧା ଭୋଗୁଥିଲେ ତାହା ଏବେ ଦୂର ହୋଇପାରିବ’’, କହିଛନ୍ତି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ।

‘‘ଆଗରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ୍ ସୁବିଧା ରହିଥିଲା। ଆରଜିଏଚରେ ଆଜି ଏହି ସେବା ଶୁଭାରମ୍ଭ କରାଯାଇଛି। ରୋଗୀମାନଙ୍କୁ ଏହି ସେବା ମାଗଣାରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ରୋଗୀମାନେ ଯେପରି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବେ ସେଥିଲାଗି ପ୍ରଶାସନ ପକ୍ଷରୁ ସବୁବେଳେ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଆରଜିଏଚରେ ଏହି ଡାୟାଲିସିସ୍ ସେବା ସରକାରୀ ଓ ଘରୋଇ ସହଭାଗିତା (ପିପିପି) ମାଧ୍ୟମରେ ଆରମ୍ଭ କରାଯାଇଛି। ରାହି କେୟାର ପ୍ରାଇଭେଟ୍ ଲିମିଟେଡ୍ ଏହାର ପରିଚାଳନା ଦାୟିତ୍ୱ ନେଇଛି। ଡାୟାଲିସିସ୍ ସୁବିଧା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ଏବଂ ଫେୟାର ଫ୍ୟାକ୍ସ ଫାଉଣ୍ଡେସନ ପକ୍ଷରୁ ୪ଟି ମେସିନ ଆରଜିଏଚକୁ ଯୋଗାଇ ଦିଆଯାଇଛି। ଏହି ସେବା ପ୍ରଦାନ ଲାଗି ଡାକ୍ତର, ଲାବୋରେଟୋରି ଟେକ୍ନିସିଆନ ଏବଂ ନର୍ସମାନଙ୍କୁ ନିଯୁକ୍ତ କରାଯାଇଛି। ଏଠାରେ ଦିନକୁ ୭ରୁ ୮ ଜଣ ରୋଗୀଙ୍କର ଡାୟାଲିସିସ୍ ହୋଇପାରିବ।

ଡାୟାଲିସିସ୍ ସେବା ଶୁଭାରମ୍ଭ ବେଳେ ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଜଗଦ୍ଦୀଶ ଚନ୍ଦ୍ର ବାରିକ, କୋଭିଡ୍ ହସ୍ପିଟାଲ ଏଏମଓ ଡାକ୍ତର ଶଶାଙ୍କ କବି ଶତପଥୀ, ଆରଜିଏଚ୍ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କ ସହିତ ବରିଷ୍ଠ ଡାକ୍ତର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଆଇସିଆଇସିଆଇ ବ୍ୟାଙ୍କ (ରିଟେଲ୍) ଆଞ୍ଚଳିକ ମୁଖ୍ୟ ଦୀପକ ମହାପାତ୍ର, ରାଉରକେଲା ଶାଖାର ମୁଖ୍ୟ ସ୍ୱୟମ ପତି, ଆଞ୍ଚଳିକ ମୁଖ୍ୟ ସେଲ୍ସ (ସରକାରୀ ବ୍ୟାପାର) ରମେଶ ସାହୁ, ଆଇସିଆଇସିଆଇ ବ୍ୟାଙ୍କର ସୁନ୍ଦରଗଡ଼ ଶାଖା ମୁଖ୍ୟ ପୁଷ୍ପମିତ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର