ନବୀନ ନିବାସରେ ଦିଲୀପ ରାୟ

ନବୀନଙ୍କ ସହ ରୁଦ୍ଧଦ୍ବାର ବୈଠକ, ଆଜି ବିଜେଡିରେ ଯୋଗ ଦେଇପାରନ୍ତି, ମୋ ପାଖରେ ଖବର ନାହିଁ: ବିଜୟ

ଭୁବନେଶ୍ବର : ରାଜ୍ୟ ରାଜନୀତିର ଦୁଇ ହେଭିୱେଟ୍‌ ବିଜୟ ମହାପାତ୍ର ଓ ଦିଲୀପ ରାୟ କେଉଁ ଦଳକୁ ଯିବେ? ଗତ କିଛି ଦିନ ଧରି ଚାଲିଥିବା ଏହି ଚର୍ଚ୍ଚାକୁ ଆଜି ଆହୁରି ଖୋରାକ ମିଳିଯାଇଛି। ଆଜି ସନ୍ଧ୍ୟାରେ ଦିଲୀପ ରାୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଆସନ୍ତାକାଲି ସେ ବିଜେଡିରେ ଯୋଗ ଦେବେ ବୋଲି କୁହାଯାଉଛି। ଅପରପକ୍ଷରେ ବିଜୟ ମହାପାତ୍ର କହିଛନ୍ତି, ଦିଲୀପ ନବୀନ ନିବାସ ଯିବା ନେଇ ମୋ ପାଖରେ ଖବର ନାହିଁ।

ଆଜି ସନ୍ଧ୍ୟାରେ ଦିଲୀପ ରାୟ ନବୀନ ନିବାସ ଆସୁଛନ୍ତି ବୋଲି ଅପରାହ୍ନରୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ଭିଡ଼ ଜମାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ଦିଲୀପଙ୍କ ଗାଡ଼ି ନବୀନ ନିବାସ ଭିତରକୁ ପଶିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଫଟୋ ଉଠାଇବାକୁ ଉଦ୍ୟମ କଲା ବେଳକୁ ତାଙ୍କ ଗାଡ଼ି ଦ୍ରୁତ ଗତିରେ ଭିତରକୁ ପଶିଯାଇଥିଲା। ପରେ ପରେ ଦିଲୀପଙ୍କ ବହୁ ସମର୍ଥକ ନବୀନ ନିବାସ ସାମ୍ନାରେ ଜମା ହେବା ଦେଖାଯାଇଥିଲା।

ଦୀର୍ଘ ବର୍ଷ ପରେ ଦିଲୀପ ନବୀନ ନିବାସକୁ ଯାଇଥିବାରୁ ଓ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ଥିବାରୁ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଥିଲା। ପ୍ରାୟ ୧୫/୨୦ ମିନିଟ୍ ଦିଲୀପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ଫେରିଯାଇଥିଲେ। ଭିତରେ କ’ଣ ଆଲୋଚନା ହେଲା, ସେ ସମ୍ପର୍କରେ ଗଣମାଧ୍ୟମକୁ କିଛି କୁହାଯାଇ ନାହିଁ। ଗଣମାଧ୍ୟମ ପ୍ରତିନିଧିମାନେ ଗୋଟିଏ ଗେଟ୍‌ ପାଖରେ ଥିଲା ବେଳେ ଦିଲୀପଙ୍କ ଗାଡ଼ି ଅନ୍ୟ ଗେଟ୍‌ ପଟେ ବାହାରିଯାଇଥିଲା। ତେବେ ଆସନ୍ତାକାଲି ସକାଳେ ସେ ବିଜେଡିରେ ଯୋଗ ଦେବେ ବୋଲି ତାଙ୍କ ସମର୍ଥକମାନେ କହିଥିଲେ।

ଅପର ପକ୍ଷରେ ଦିଲୀପ ନବୀନ ନିବାସ ଯିବା ନେଇ କିଛି ଜାଣି ନ ଥିବା ବିଜୟ ମହାପାତ୍ର କହିଛନ୍ତି। ‌େତଣୁ ବିଜୟ ବିଜେଡିକୁ ଯିବେ ନା ପୁଣି ବିଜେପିକୁ ଫେରିବେ, ସେ ନେଇ ସସ୍‌ପେନ୍‌ସ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର