ଦିଲ-ଦୁଃଖ ପାଲଟୁଛି ‘ଦିଲଖୁସ’ ! ବର୍ଷକରେ ନେଲାଣି ୫ ମୁଣ୍ଡ

ଭୁବନେଶ୍ୱର: ‘ଆପଣଙ୍କ ଯାତ୍ରା ମଙ୍ଗଳମୟ ହେଉ’ ବସର ପ୍ରବେଶ ପଥରେ ଆପଣ କିଛି ଶବ୍ଦର ଏହି ବାକ୍ୟ ଦେଖିବାକୁ ପାଇଥିବେ |ଯାତ୍ରା ମଙ୍ଗଳମୟ ହେଉ ବା ଯାତ୍ରୀଙ୍କ ଦିଲ ଖୁସିରେ ଭରିଯାଉ ଭାବି ବସର ନାମ ରଖାଯାଇଥିଲା ‘ଦିଲଖୁସ’ | କିନ୍ତୁ ଏହି ନାମଧାରୀ  ବସ ବର୍ଷକ ମଧ୍ୟରେ ୪ ଥର ଦୁର୍ଘଟଣା ହୋଇସାରିଲାଣି | ଯେଉଁଥିରେ ୫ ଜଣଙ୍କର ଜୀବନ ଯାଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହେଲେଣି | ବେପରୁଆ ଗାଡିଚାଳନା ହେଉ ବା ପ୍ରତିକୂଳ ପାଣିପାଗ ହେଉ ଏହି ବସଟି ସୁଖ ବାଣ୍ଟିବା ବଦଳରେ ଦୁଃଖର ସୌଦାଗର ପାଲଟିଯାଇଛି |

ସାରା ଓଡ଼ିଶା ସହ ରାଜଧାନୀ ଭୁବନେଶ୍ୱରକୁ ଯୋଡିବା ପାଇଁ ଦିଲଖୁସ ପ୍ରୟାସ ଆରମ୍ଭ କରିଥିଲା ସତ କିନ୍ତୁ ବାରମ୍ବାର ଦୁର୍ଘଟଣା ଯୋଗୁଁ ନିରାପଦ ଯାତ୍ରା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଆଜି ସକାଳେ ଏହି ବସଟି ଅନୁଗୋଳ ଜିଲ୍ଲା ବଅଁରପାଳ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୮ ଜଣ ଆହତ ହୋଇଛନ୍ତି | ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏହି ବସ | ଠିକ ସେହିପରି ଜୁନ ୨୨ ତାରିଖରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଧଡ୍ରା ତେଲ ଟାଙ୍କି ନିକଟରେ ରାଇଘରରୁ ଭୁବନେଶ୍ୱରକୁ ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା |

ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ନଭେମ୍ବର ୨୦୧୮ରେ ମଧ୍ୟ ଦିଲଖୁସ ବସ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବାବେଳେ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହେବା ପଳରେ ଘଟଣାସ୍ଥଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା | ସେହିପରି ୨୦୧୮ ଜୁନମାସରେ ବେଲପାହାଡରେ ମଧ୍ୟ ଏହି ବସ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର